ଭାରତ ସୀମାରେ ଏଫ୍-୧୬ ବିମାନର ବ୍ୟବହାର କରିବା ପାକିସ୍ତାନକୁ ପଡିବ ମହଙ୍ଗା! ପ୍ରମାଣ ମିଳିଲେ ଏଫ୍-୧୬କୁ ଅକାମୀ କରିଦେବ ଆମେରିକା

487

କନକ ବ୍ୟୁରୋ : ଭାରତୀୟ ସୀମା ଭିତରକୁ ପଶି ପାକିସ୍ତାନ ଅଡୁଆ ଭିତରେ ଛନ୍ଦି ହୋଇଛି । ତାଠୁ ଅଧିକ ମହଙ୍ଗା ହୋଇଛି ଏହି ଅଭିଯାନରେ ଏଫ-୧୬ ଲଢୁଆ ବିମାନର ବ୍ୟବହାର । ଯାହାକୁ ନେଇ ପାକିସ୍ତାନକୁ କୈଫିୟତ ମାଗିଛି ଆମେରିକା । ଭାରତୀୟ ସୈନ୍ୟ ପ୍ରତିଷ୍ଠାନ ଉପରେ ପାକିସ୍ତାନ ଏଫ୍-୧୬ରୁ ମିଶାଇଲା ମାଡ କରିଥିବା ପ୍ରମାଣ ଭାରତ ଦେଇସାରିଛି । ହେଲେ ମୂଳରୁ ଏହାକୁ ଇସଲାମାବାଦ ଖଣ୍ଡନ କରିଆସୁଛି । ଏବେ ଆମେରିକା ଏଫ-୧୬ ବିମାନ ପାଇଁ ଦୁଇ ଦେଶ ମଧ୍ୟରେ ହୋଇଥିବା ବୁଝାମଣାର ଉଂଲଘନ ହୋଇଥିବା କହି ପାକିସ୍ତାନକୁ ଜବାବ ମାଗିଛି ।

ଭାରତ ପାକ ସୀମାର ଆକାଶରେ ଗତ ୨୭ତାରିଖରେ ଯେତେବେଳେ ପାକିସ୍ତାନ ଆମେରିକା ନିର୍ମିତ ଏଫ୍-୧୬ଯୁଦ୍ଧ ବିମାନ ଉଡାଉଥିଲା ଏବଂ ଭାରତୀୟ ବାୟୁସେନାର ୱିଙ୍ଗ କମାଣ୍ଡର ଅଭିନନ୍ଦନ ମିଗ୍ ୨୧ ବାଇସନ ଯୁଦ୍ଧ ବିମାନରେ ଏହି ବିମାନକୁ ପିଛା କରିଥିଲେ । ଆଉ କିଛି ସମୟ ପରେ ଆମେରିକା ନିର୍ମିତ ଏଫ୍-୧୬ ବିମାନକୁ ଧ୍ୱଂସ କରିଦେଲେ । କିନ୍ତୁ ପାକିସ୍ତାନ ଏହା ମାନିବାକୁ ରାଜି ହେଲା ନାହିଁ ।

ତେବେ ଏହି ଘଟଣାର କିଛି ସମୟ ପରେ ଏହାର ପ୍ରମାଣ ପାଇଲା ଭାରତୀୟ ସେନା । ଏଫ-୧୬ରେ ଲାଗିଥିବା ମିସାଇଲର ଭଗ୍ନାବଶେଷ ରାଜୌରୀ ସେକ୍ଟରରୁ ମିଳିବା ପରେ ଏହା ସ୍ୱଷ୍ଟ ହୋଇଯାଇଥିଲା ଭାରତୀୟ ସୀମା ମଧ୍ୟକୁ ପାକ୍ ଏଫ-୧୬ ବିମାନ ପୁରାଇଥିଲା । ଏପରିକି ଭାରତୀୟ ସେନା ଏହାର ପ୍ରମାଣ ମଧ୍ୟ ଗଣମାଧ୍ୟମ ସାମ୍ନାରେ ରଖିଥିଲା ।

ଏହି ଘଟଣା ପରେ ଏବେ ଅଡୁଆରେ ପଡିଛି ପାକିସ୍ତାନ । ଏଫ୍-୧୬ ଲଢୁଆ ବିମାନ ବ୍ୟବହାରକୁ ନେଇ ଚୁକ୍ତି ଉଲ୍ଲଙ୍ଘନ କରିଛି ପାକିସ୍ତାନ । ଏଫ୍-୧୬ ବିମାନ ବ୍ୟବହାର ନେଇ ଇସଲାମାବାଦକୁ କୈଫିୟତ ମାଗିଛି ୱାସିଂଟନ । ଭାରତ ବିରୋଧରେ ପାକିସ୍ତାନ ଏଫ୍-୧୬ ଯୁଦ୍ଧ ବିମାନ ବ୍ୟବହାର କରିଥିଲା । ଗତ ୨୭ ତାରିଖରେ ଏଫ୍-୧୬ ବିମାନ ବ୍ୟବହାର କରିଥିଲା ପାକ୍ । ଫଳରେ ଆମେରିକା ଓ ପାକିସ୍ତାନ ମଧ୍ୟରେ ବୁଝାମଣା ଉଂଲଘନ ହୋଇଥିବା ଅଭିଯୋଗ ହୋଇଛି । ଏବଂ ଏନେଇ ଅଧିକ ସୂଚନା ମାଗିଛି ଆମେରିକା ।

ବାସ୍ତବରେ ୧୯୮୦ ଦଶକରେ ଆମେରିକାଠାରୁ ପାକିସ୍ତାନକୁ ଏଫ୍-୧୬ ଯୁଦ୍ଧ ବିମାନ ମିଳିଥିଲା । ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏଫ୍-୧୬ବିମାନକୁ ଆତଙ୍କବାଦ ବିରୋଧୀ ଲଢେଇରେ ବ୍ୟବହାର କରିବା ପାଇଁ ପାକିସ୍ତାନକୁ ଦେଇଥିଲା ଆମେରିକା । ଆମେରିକୀୟ ନିୟମ ଅନୁସାରେ କୌଣସି ଦେଶ ଉପରେ ଆକ୍ରମଣ କରିବା ପାଇଁ ଏଫ୍-୧୬କୁ ବ୍ୟବହାର କରିପାରିବ ନାହିଁ ପାକ୍ ।

ଭାରତର ପ୍ରତିରକ୍ଷା ପ୍ରତିଷ୍ଠାନକୁ ଏଫ୍-୧୬ ଯୁଦ୍ଧ ବିମାନରେ ଟାର୍ଗେଟ କରିଥିଲା ପାକିସ୍ତାନ । କିନ୍ତୁ ଏଫ୍-୧୬ ବ୍ୟବହାର କରିନଥିବା ଦାବିକୁ ବାରମ୍ବାର ଦୋହରାଉଛି ପାକ୍ । ଅପରପକ୍ଷରେ ଏହି ଅପରେସନରେ ଏଫ୍-୧୬ବିମାନ ବ୍ୟବହାର କରାଯାଇଥିବା ପ୍ରମାଣ ଦେଇଛି ଭାରତୀୟ ବାୟୁସେନା । ଏଫ୍-୧୬ରେ ହିଁ ଏମରାମ ମିଶାଇଲ ଖଂଜା ଯାଇଥାଏ । ଯାହାର ଅବଶେଷ ଭାରତୀୟ ବାୟୁସେନାକୁ ମିଳିଛି । ଭାରତୀୟ ସୀମାର ରଜୌରୀର ପୂର୍ବାଂଚଳରେ ଏମରାମ କ୍ଷେପଣାସ୍ତ୍ରର ଅବଶେଷ ବାୟୁସେନାକୁ ମିଳିଛି । ଏହାସହ ଇଲୋକଟ୍ରୋନିକ ସିଗନେଚର ମାଧ୍ୟମରେ ବି ଏଫ୍-୧୬ ବ୍ୟବହାର ହୋଇଥିବା ନେଇ ସ୍ପଷ୍ଟ କରିଛି ବାୟୁସେନା ।

ସମଗ୍ର ବିଶ୍ୱରେ ପ୍ରତିରକ୍ଷା ସାମଗ୍ରୀ ବିକ୍ରୟ କରୁଥିବା ଆମେରିକା ସେଗୁଡିକର ଅପବ୍ୟବହାର ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ । ଏଫ୍-୧୬ର ଅପବ୍ୟବହାର ସଂକ୍ରାନ୍ତ କୌଣସି ତଥ୍ୟ ହାସଲ କରିବାକୁ ଉଦ୍ୟମ ଚଳାଇଛି ଯୁକ୍ତରାଷ୍ଟ୍ର ଆମେରିକା । ଆଉ ଯଦି ଏହାର ପ୍ରମାଣ ମିଳେ ତେବେ ଏଫ୍-୧୬କୁ ଅକାମୀ କରିବାକୁ ପଛାଇବ ନାହିଁ ଆମେରିକା ।