ବିଶ୍ୱ ନିୟନ୍ତାଙ୍କ ବଡ ଯାତ୍ରା ନେଇ ଦୂର ହେଲା ଦ୍ୱନ୍ଦ୍ୱ । ଗୋଟିଏ ଦିନରେ ନିଷ୍ପତି ବଦଳାଇଲେ ସୁପ୍ରିମକୋର୍ଟ, କୋଟି କୋଟି ଜଗନ୍ନାଥପ୍ରେମୀଙ୍କ ବିଶ୍ୱାସର ହେଲା ବିଜୟ।

216

କନକ ବ୍ୟୁରୋ : ଚଳିତ ବର୍ଷ ରଥଯାତ୍ରା ହେବ ନାହିଁ । ଏହା କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ମନକୁ ଆନ୍ଦୋଳିତ କରୁଥିଲା । ଏପରିକି କେହି କେହି ରଥଯାତ୍ରା ହୋଇପାରିବ ନାହିଁ ବୋଲି କହିବାକୁ ପଛାଉନଥିଲେ । ଏହାକୁ ଆଖି ଆଗରେ ରଖି ବିଧି ରକ୍ଷା ପାଇଁ ଚାଲିଥିଲା ଆଲୋଚନା । ହେଲେ, ଏସବୁ ଭିତରେ ସମସ୍ତଙ୍କ ଚମକାଇ ଦେଇ ରଥଯାତ୍ରା ପାଇଁ ଅନୁମତି ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ଆଉ ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା, କରିସ୍ମା କଲା କି କାଳିଆ?

ବଡ଼ଦେଉଳ ଆଗରେ କାନ୍ଦି କାନ୍ଦି କାଳିଆ ଠାକୁରଙ୍କୁ ଗୁହାରି କରୁଥିଲେ ମହିଳା ଭକ୍ତମାନେ । ସମସ୍ତେ ଆଶା କରୁଥିଲେ, କିଛି ଅଲୌକିକ ଘଟଣା ଘଟିବ । ବଡ଼ଦାଣ୍ଡରେ ଗଡିବ ତିନି ରଥ । ସେମାନଙ୍କ ବିଶ୍ୱାସ, ଜଗତର ନାଥ ଜଗନ୍ନାଥ ସକଳ ସୃଷ୍ଟିର ଆଧାର । ତାଙ୍କରି ଇଙ୍ଗିତରେ ସବୁ କିଛି ହୋଇଥାଏ । ଆଉ ତାଙ୍କରି ଇଚ୍ଛାରେ ରଥଯାତ୍ରା ହେବ, ଏପରି ଆସ୍ଥା ଥିଲା ଅନେକଙ୍କ ମନରେ । ଗତ ୧୮ ତାରିଖରେ ଶହ ଶହ ବର୍ଷର ପୁରୀ ରଥଯାତ୍ରା ବନ୍ଦ କରିବା ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ମହାପ୍ରଭୁଙ୍କ ଅଲୌକିକତାକୁ ଅପେକ୍ଷା କରିଥିଲେ ଲୋକେ ।

କରୋନା କଟକଣା ଦୃଷ୍ଟିରୁ ରଥଯାତ୍ରା ଉପରେ ରୋକ ଲାଗିବା ପରେ ପରେ ସାରା ଓଡ଼ିଶାରେ ହଇଚଇ ସୃଷ୍ଟି ହୋଇଥିଲା । ରାୟର ପରିବର୍ତନ କରି କେବଳ ପୁରୀରେ ରଥଯାତ୍ରା କରିବା ପାଇଁ ଅନୁମତି ଦେବାକୁ ଗୋଟିଏ ପରେ ଗୋଟିଏ ପିଟିସନ ଦାୟର ହେଲା ସୁପ୍ରିମକୋର୍ଟରେ । ଶନିବାର ଓ ରବିବାର କୋର୍ଟ ବନ୍ଦ ରହିଥିଲା । ମଙ୍ଗଳବାର ଦିନ ରଥଯାତ୍ରା । ମଝିରେ ଥିଲା ଗୋଟିଏ ଦିନ । ସମସ୍ତଙ୍କ ମନରେ ଆଶା ଓ ଆଶଙ୍କା ବଢ଼ି ଚାଲିଥିଲା । ଯଦି ଜଗନ୍ନାଥ ଚାହାଁନ୍ତି, ଏହି ଗୋଟିଏ ଦିନରେ ସବୁ ସମସ୍ୟା ହଟିଯିବ, ଆଉ ରଥଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି ମିଳିବ ବୋଲି ଭକ୍ତ ଓ ସେବାୟତଙ୍କ ବିଶ୍ୱାସ ।

ଆଜି ସୁପ୍ରିମକୋର୍ଟ କି ନିଷ୍ପତି ନେଉଛନ୍ତି, ଏହା ଉପରେ ଓଡ଼ିଶା ସମେତ ବିଶ୍ୱରେ ଥିବା କୋଟି କୋଟି ଜଗନ୍ନାଥ ପ୍ରେମୀ ନଜର ର୍ଖିଥିଲେ । ଉଭୟ କେନ୍ଦ୍ର ଓ ଓଡ଼ିଶା ସରକାର ରଥଯାତ୍ରା ସପକ୍ଷରେ ସୁପ୍ରିମକୋର୍ଟରେ ପକ୍ଷ ରଖିବା ପାଇଁ ଆଗେଇ ଆସିଲେ । ରଥଯାତ୍ରା ସପକ୍ଷରେ ସର୍ବୋଚ୍ଚ ନ୍ୟାୟାଳୟରେ ଦେଶର ବଡ଼ ବଡ଼ ଓକିଲ ଯୁକ୍ତି ଦର୍ଶାଇବା ପାଇଁ ପ୍ରସ୍ତୁତ ହେଲେ । ଅଲୌକିକ ଘଟଣା ଭଳି ସବୁକିଛି ଘଟିଥିଲା ଖୁବ କମ୍ ସମୟ ମଧ୍ୟରେ । ଶେଷରେ କୋଭିଡ୍ କଟକଣା ଭିତରେ ବିନା ଭକ୍ତରେ ପୁରୀରେ ରଥଯାତ୍ରା କରିବା ପାଇଁ ଅନୁମତି ଦେଇଥିଲେ ସୁପ୍ରିମକୋର୍ଟ ।