ମୃତ୍ୟୁ ମୁଖରୁ ଅଳ୍ପକେ ବଂଚିଗଲେ ମୁମ୍ବାଇର କୁନି ପୁଅ ! ଉପସ୍ଥିତ ବୁଦ୍ଧି ଖଟାଇବାରୁ ପାଇଲେ ନୂଆ ଜୀବନ, ଖେଳୁଥିବାବେଳେ ପଛପଟୁ ମାଡିଆସିଥିଲା କାର ।

42

କନକ ବ୍ୟୁରୋ : ମୃତ୍ୟୁ ମୁଖରୁ ଅଳ୍ପକେ ବଂଚିଗଲେ ମୁମ୍ବାଇର କୁନି ବାଳକ । ଖେଳୁଥିବା ବେଳେ ହଠାତ ତାଙ୍କ ଉପରକୁ କାର ମାଡି ଆସିଥିଲା ତେବେ ସେ ଉପସ୍ଥିତ ବୁଦ୍ଧି ଖଟାଇ ଶୋଇ ଯିବାରୁ ପାଇଲେ ନୂଆ ଜୀବନ । ସିସିଟିଭିରେ କଏଦ ହେଲା ପୁରା ଦୃଶ୍ୟ ।

ଏମିିତି ବି ହୁଏ ଚମକ୍ରାର । ମୃତ୍ୟୁକୁ ମାତ୍ ଦେଲେ କୁନି ପିଲା । ମୁମ୍ବାଇ ଘାଟକୋପର ଅଂଚଳରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଛି । କଥାରେ ଅଛି ରଖେ ହରି ତ ମାରେ କିଏ । ଠିକ ଏହି ଘଟଣାରେ ଥିବା ବାଳକ କ୍ଷେତ୍ରରେ ତାହା ପ୍ରମାଣିତ ହୋଇଛି । ତେବେ ଭିଡିଓରେ ଦେଖାଯାଇଛି, ୭ରୁ ୮ଜଣ କୁନି କୁନି ପିଲା ଫୁଟବଲ ଖେଳୁଛନ୍ତି । ଜଣେ କୁନି ପିଲା ହଠାତ ହାତରେ ବଲ ଧରି ଅନ୍ୟ ସାଥୀ ହାତରେ ଦେବା ପରେ କୁନି ପିଲାଟି ତଳେ ବସି ନିଜ ଯୋତାର ଫିତା ବାନ୍ଧୁଛି । ଠିକ ଏହି ସମୟରେ ପିଲାର ପଛପଟେ ଏକ କାର ଷ୍ଟାର୍ଟ ହୋଇଥିଲା । ଯେଉଁଥିରେ ଥିଲେ ଜଣେ ମହିଳା । ମହିଳା ଜଣକ କାର ଷ୍ଟାର୍ଟ କରି ଆଗକୁ ବଢିବା ପରେ ଯାହା ଘଟିଲା ତାହା ହୁଏତ ଆପଣ ଅନୁମାନ କରିପାରୁଥିବେ ।

କିଛି କ୍ଷଣ ପାଇଁ ଆପଣଙ୍କ ମନରେ ଏହା ଆସିଥିବା ଯେ ହୁଏତ ପିଲାଟି ଆଉ ନଥିବ । କିନ୍ତୁ ନିଜର ଉପସ୍ଥିତି ବୁଦ୍ଧି ଖଟାଇ କାରର ତଳେ ଶୋଇପଡିଥିଲା ପିଲାଟି । ସେହି ସମୟ ମଧ୍ୟରେ କାରଟି ପାସ କରିଯାଇଥିଲା । ଆଉ କୁନି ପିଲାଟି ଉଠି ନିଜ ସାଥୀ ଖେଳାଳୀଙ୍କ ପାଖକୁ ଯାଇଥିଲେ । ଆଉ ପୁଣି ଖେଳିବାକୁ ଲାଗିଥିଲେ । ଏତେ ବଡ ଦୁର୍ଘଟଣା ପରେ ମଧ୍ୟ କୁନି ପିଲାଟି ସୁରକ୍ଷିତ ଭାବେ କାର ତଳୁ ଉଠିଥିଲେ । ଘାଟକୋପର କାମରାଜନଗରର ଏକ ସୋସାଇଟିର ସିସିଟିଭିରେ ଏହି ଦୃଶ୍ୟ  କଏଦ ହୋଇଯାଇଥିଲା । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।