ଟୋକିଓରେ ଟେକ ରଖିଲେ ମୀରାବାଇ ଚାନୁ । ୪୯ କେଜି ଭାରୋତ୍ତଳନରେ ଭାରତ ପାଇଁ ଆଣିଲେ ରୌପ୍ୟ ପଦକ ।

145

କନକ ବ୍ୟୁରୋ: କୌଣସି ଭାରତୀୟ ମହିଳା ଭାରୋତ୍ତଳକଙ୍କ ବେକରେ ସଫଳତାର ମେଡାଲ ଝୁଲିବାକୁ ଯେଉଁ ଦୁଇ ଦଶନ୍ଧୀର ଅପେକ୍ଷା ଥିଲା, ସେହି ଅପେକ୍ଷାର ଅନ୍ତ ହୋଇଛି । ଦୀର୍ଘ ୨୧ ବର୍ଷ ପରେ ଭାରତକୁ ଭାରୋତ୍ତଳନରୁ ଆସିଛି ଅଲିମ୍ପିକ୍ସ ପଦକ । ପ୍ରଥମ ଦିନରେ ରୌପ୍ୟ ପଦକ ଆଣି ଟୋକିଓ ଅଲିମ୍ପିକ୍ସରେ ତ୍ରିରଙ୍ଗା ଉଡାଇଛନ୍ତି ମହିଳା ଭାରୋତ୍ତଳନକାରୀ ମୀରାବାଇ ଚାନୁ ।

୪୯ କେଜି ବର୍ଗରେ ଚାନୁଙ୍କୁ ମିଳିଛି ରୌପ୍ୟ ପଦକ । କ୍ଲିନ୍ ଆଣ୍ଡ ଜର୍କରେ ଚାନୁ ଦ୍ୱିତୀୟ ପ୍ରୟାସରେ ୧୧୫ କେଜି ଓଜନ ଉଠାଇବାରେ ସଫଳ ହୋଇଥିଲେ । ଏହାକୁ ମିଶାଇ ସେ ମୋଟ୍ ୨୦୨ କେଜି ଭାର ଉଠାଇଥିଲେ । ଏହା ପୂର୍ବରୁ କର୍ଣ୍ଣମ ମାଲେଶ୍ୱରୀ ୨୦୦୦ ମସିହାର ସିଡନୀ ଅଲିମ୍ପିକ୍ସରେ ଦେଶକୁ ପ୍ରଥମ ମହିଳା ଭାରୋତ୍ତଳନ ପଦକ ଦେଇଥିଲେ ।

ତେବେ ଟୋକିଓରେ ଭାରତର ଟେକ ରଖିଥିବା ଚାନୁଙ୍କ ଏହି ସଫଳତା ପରେ ତାଙ୍କ ପରିବାରରେ ଖେଳି ଯାଇଛି ଖୁସିର ପରିବେଶ । ଟିଭି ପରଦାରେ ଝିଅର ସଫଳତାକୁ ଅନେଇ ରହିଥିବା ତାଙ୍କ ପରିବାର ସଦସ୍ୟ କହିଛନ୍ତି, ଚାନୁଙ୍କ ସଫଳତା ନେଇ ସେମାନେ ଆଶବାଦୀ ଥିଲେ କିନ୍ତୁ ଆଶା ଥିଲା ସ୍ୱର୍ଣ୍ଣ ପଦକ ।

ଅନ୍ୟପଟେ ମୀରାବାଇ ଚାନୁଙ୍କ ପରେ ଚୀନ ଭାରତ୍ତୋଳନରେ ପ୍ରଥମ ସ୍ଥାନରେ ରହି ସ୍ୱର୍ଣ୍ଣ ପଦକ ହାସଲ କରିଛି । ସେହିପରି ଇଣ୍ଡୋନେସିଆର ପ୍ରତିଯୋଗୀ ବୋଞ୍ଜ୍ ପଦକ ଜିତିଛନ୍ତି । ଚାନୁଙ୍କ ଏହି ସଫଳତା ପରେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସାରା ଦେଶରୁ ଛୁଟିଛି ଶୁଭେଚ୍ଛାର ସୁଅ । ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଚାନୁଙ୍କ ସଫଳତା ପ୍ରତିଭାରତୀୟଙ୍କୁ ପ୍ରେରଣା ଦେବ ।