ତେଲେଙ୍ଗାନା ଇଟାଭାଟିରୁ ଉଦ୍ଧାର ହେଲା ନବରଙ୍ଗପୁରର ନାବାଳିକା: ଖବର ପ୍ରସାରଣ ପରେ ଉଦ୍ୟମ କରି ଉଦ୍ଧାର କଲେ କଂଗ୍ରେସ ନେତା ପ୍ରଦୀପ ମାଝି; ମା’ର ଋଣ ସୁଝିବାକୁ ବନ୍ଧକ ରହିଥିଲା ଝିଅ

519

କନକ ବ୍ୟୁରୋ: ଦାଦନ ବଜାରରୁ ମୁକ୍ତି ପାଇଲା ନବରଙ୍ଗପୁରର ନାବାଳିକା । ମାଆ ଆଣିଥିବା କରଜ ସୁଝିବା ପାଇଁ କଲେଜ ପଢୁଆ ଝିଅକୁ ଅଟକ ରଖିଥିଲା ତେଲେଙ୍ଗାନାର ଇଟା ଭାଟି ମାଲିକ । ଏମିତି କି ମାଆର ମୃତ୍ୟୁ ଖବର ପାଇ ବି ଝିଅକୁ ଛାଡି ନଥିଲା ଇଟାଭାଟି ମାଲିକ । ଏନେଇ କନକ ନ୍ୟୁଜରେ ଖବର ପ୍ରସାରଣ ପରେ ନାବାଳିକାକୁ ଉଦ୍ଧାର କରିଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝି । ନବରଙ୍ଗପୁର ଚନ୍ଦାହାଣ୍ଡି ବ୍ଲକ କେନାଲ ସାହିର ସାଗରିକା ପାଣିଗ୍ରାହୀ ତାଙ୍କ ମାଆଙ୍କ ସହ ମିଶି ଦାଦନ ଖଟିବାକୁ ତେଲେଙ୍ଗାନା ଯାଇଥିଲେ । ସେଠାରେ ମାଆଙ୍କ ଦେହ ଖରାପ ହେବାରୁ ସାଗରିକାଙ୍କୁ ଛାଡି ସେ ଘରକୁ ଆସିଥିଲେ ।

ଆସିବା ବେଳେ ଭାଟି ମାଲିକଙ୍କ ଠାରୁ ୬୦ ହଜାର ଟଙ୍କା ଅଗ୍ରିମ ଆଣିଥିଲେ । ସୁସ୍ଥ ହୋଇ ଫରିଲେ ୬ ମାସ କାମ କରି ସୁଝିଦେବେ ବୋଲି କଥା ଦେଇଥିଲେ ସାଗରିକାଙ୍କ ମାଆ । ହେଲେ ଚିକିତ୍ସିତ ଅବସ୍ଥାରେ ବଡ ଝିଅ ପ୍ରିୟଙ୍କାଙ୍କ ପାଖରେ ମାଆଙ୍କ ମୃତ୍ୟୁ ହେବା ପରେ ସାନ ଝିଅ ସାଗରିକାଙ୍କୁ ଅଟକ ରଖିଥିଲା ଇଟାଭାଟି ମାଲିକ । ମାଆ କରିଥିବା ଋଣ ପରିଶୋଧ ନକରିବା ଯାଏଁ ଇଟାଭାଟିରୁ ସାଗରିକାଙ୍କୁ ମୁକ୍ତି ମିଳିବ ନାହିଁ ବୋଲି କହୁଥିଲା । ଏନେଇ ଗତ ୨୬ ତାରିଖରେ କନକ ନ୍ୟୁଜରେ ପ୍ରସାରଣ ହେବା ପରେ ସାଗରିକାଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରିଥିଲେ କଂଗ୍ରେସ ନେତା ପ୍ରଦୀପ ମାଝି । ଶେଷରେ ସେ ତାଙ୍କ ଉଦ୍ୟମରେ ସଫଳ ହୋଇଛନ୍ତି । ଆଉ ନାବାଳିକା ଜଣଙ୍କ ଉଦ୍ଧାର ହୋଇ ଘରକୁ ଫେରିଛନ୍ତି ।