‘ଅଳ୍ପସଂଖ୍ୟକ ସ୍କଲାରସିପ ଯୋଜନା’ରେ ହେଇଥବା ଦୁର୍ନୀତିର ଯାଞ୍ଚ CBI କରୁଛି । କୁହାଯାଉଛି ଏହି ଯୋଜନାରେ 144 କୋଟି ଟଙ୍କାର ସ୍କାମ  ହେଇଛି ।

କେନ୍ଦ୍ରୀୟ ଅଳ୍ପସଂଖ୍ୟକ ମନ୍ତ୍ରାଳୟରେ ହେଇଥିବା ସ୍କଲାରସିପ ଯୋଜନା ଦୁର୍ନୀତିର ପର୍ଦାଫାସ କରିବାକୁ CBI ମାମଲା ରୁଜୁ କରିଛି । ଅଳ୍ପସଂଖ୍ୟକ ସ୍କଲାରସିପ ଯୋଜନା ଅନ୍ତର୍ଗତରେ ପ୍ରାୟ 830 ନକଲି ଅନୁଷ୍ଠାନକୁ 144 କୋଟି ଟଙ୍କାର ଅନୁଦାନ ଦିଆଯାଇଛି । ଏହି 144 କୋଟି ଟଙ୍କାର ଦୁର୍ନୀତି 2017 ରୁ 2022 ମଧ୍ୟରେ ଘଟିଥିଲା । ଏହି ମାମଲାରେ CBI ବ୍ୟାଙ୍କ, ଅନୁଷ୍ଠାନ ଏବଂ ଅଜ୍ଞାତ ଲୋକଙ୍କ ବିରୋଧରେ ଆର୍ଥିକ ହେରଫେର, ଷଡଯନ୍ତ୍ର ଓ ଠକେଇ ସମେତ ଅନ୍ୟ ଧାରାରେ ମାମଲା ରୁଜୁ କରିଛି ।

କେନ୍ଦ୍ରୀୟ ଅଳ୍ପସଂଖ୍ୟକ ମନ୍ତ୍ରାଳୟରେ ଏହି ଦୁର୍ନୀତିର ଖବର ସାମନାକୁ ଆସିଥିଲା । ମନ୍ତ୍ରାଳୟ ଯେତେବେଳେ ଏହାର ସୁରାଗ ପାଇଲା ସେବେ ସେ ପ୍ରଥମେ ଏହାର ବିଭାଗୀୟ ତଦନ୍ତ କରାଇଥିଲା । ଏହି ତଦନ୍ତରୁ ଜଣାପଡ଼ିଥିଲା କି ଏହି ସ୍କଲାରସିପ ଯୋଜନାରେ ଏକ ବଡ଼ ଦୁର୍ନୀତି ହେଇଛି । ଏହାପରେ ଜୁଲାଇ 10 ରେ ଏହାର ତଦନ୍ତର ଭାର CBI କୁ ଦିଆଯାଇଥଲା । ଏହାପରେ CBI ଅଜ୍ଞାତଲୋକଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲା ।

PTI ସୂତ୍ରରୁ ପ୍ରକାଶ ଯେ ଏହି ସ୍କଲାରସିପ ଯୋଜନା ଦୁର୍ନୀତି ବିଷୟରେ ମନ୍ତ୍ରାଳୟ ପକ୍ଷରୁ ମଧ୍ୟ ବିବୃତି ଜାରି କରାଯାଇଥିଲା । ମନ୍ତ୍ରାଳୟର ବିବୃତି ଅନୁସାରେ ଏହି ଯୋଜନାରେ ହିତାଧିକାରୀଙ୍କୁ ଦିଆଯାଉଥିବା ନିଧିରେ ଆର୍ଥିକ ଅନିୟମିତତାର ସୂଚନା ମିଳିବ ପରେ ମନ୍ତ୍ରାଳୟ ଏକ ତୃତୀଯ ପକ୍ଷ ଦ୍ଵାରା ଯାଞ୍ଚ କରାଇଥିଲା । ଏହି ରିପୋର୍ଟ ଅନୁସାରେ 1527 ଅନୁଷ୍ଠାନକୁ ଅନୁଦାନ ଦେବାପାଇଁ ଚିହ୍ନଟ କରାଯାଇଥିଲା କିନ୍ତୁ ତଦନ୍ତରୁ ଜଣାପଡ଼ିଥିଲା ଯେ ସେଥିରୁ 830 ଅନୁଷ୍ଠାନ ନକଲି ବୋଲି ।

ମନ୍ତ୍ରାଳୟର ରିପୋର୍ଟ ଅନୁସାରେ ଏହି 830 ନକଲି ଅନୁଷ୍ଠାନ 21 ଟି ରାଜ୍ୟର ନିଜର କାୟା ବିସ୍ତାର କରିଛନ୍ତି ।  ସବୁଠୁ ଅଧିକ ଆସାମରେ (225)ଟି ଏବଂ ତା’ତଳକୁ , କର୍ଣାଟକ(162), ଉତ୍ତରପ୍ରଦେଶ(154), ରାଜସ୍ଥାନ(99)ରେ ନକଲି ଅନୁଷ୍ଠାନ ଠାବ ହେଇଛି । ପଶ୍ଚିମବଙ୍ଗରୁ ସର୍ବାଧିକ ନକଲି ଦରଖାସ୍ତ ଆସିଛି । ମନ୍ତ୍ରାଳୟର ହିସାବ ଅନୁସାରେ ଏହି ଦୁର୍ନୀତି ଯୋଗୁ ସରକାରଙ୍କ ପ୍ରାୟ 144.33 କୋଟି ଟଙ୍କା କ୍ଷତି ହୋଇଛି ।

କଣ ଏହି  ‘ଅଳ୍ପସଂଖ୍ୟକ ସ୍କଲାରସିପ ଯୋଜନା’

କେନ୍ଦ୍ରୀୟ ଅଳ୍ପସଂଖ୍ୟକ ମନ୍ତ୍ରାଳୟ ଦ୍ଵାରା ଏହି  ସ୍କଲାରସିପ ଯୋଜନାରେ ମୁସଲମାନ, ଖ୍ରୀଷ୍ଟିୟାନ, ଶିଖ, ଜୈନ, ବୌଦ୍ଧ ଏବଂ ପାର୍ସି ପିଲାମାନେ ଉପକୃତ ହୋଇଥାନ୍ତି । ଏହି ଯୋଜନାରେ ଲାଭ ଦେଶର ପ୍ରାୟ 1.80 ଲକ୍ଷ ଅନୁଷ୍ଠାନ ପାଉଛନ୍ତି ।  63 ଲକ୍ଷ ଛାତ୍ରଛାତ୍ରୀ ଏହି ଯୋଜନାରେ ଉପକୃତ ହୋଇଛନ୍ତି ବୋଲି ମନ୍ତ୍ରାଳୟ ଦାବି କରିଛି ।