କନକ ବ୍ୟୁରୋ: ବାଂଲାଦେଶରେ ହିଂସା ଓ ଅରାଜକତା ଜାରି ରହିଛି, ଏହା ସହ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଆକ୍ରମଣ ଘଟଣା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଇସଲାମୀୟ ମୌଳବାଦୀମାନେ ହିନ୍ଦୁ, ବୌଦ୍ଧ, ଖ୍ରୀଷ୍ଟିଆନଙ୍କ ହତ୍ୟା କରିବା ସହ ସଂଖ୍ୟାଲଘୁଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଆଦି ପୋଡ଼ି ଦିଆଯାଉଛି। ଏସବୁ ମଧ୍ୟରେ ସୀମା ଦେଇ ବାଂଲାଦେଶୀ ମାନେ ଭାରତକୁ ପ୍ରବେଶ କରିବା ଆଶଙ୍କାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଭାରତ ବାଂଲାଦେଶ ସୀମାନ୍ତବର୍ତ୍ତୀ ଅଞ୍ଚଳରେ ବିଏସଏଫ ଯବାନ ମାନେ ଅନୁପ୍ରବେଶକାରୀଙ୍କ ଗତିବିଧି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି।
ହିନ୍ଦୁ ଓ ଅନ୍ୟ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ। ମୁକାବିଲା ପାଇଁ ବାଂଲାଦେଶର ଅନ୍ତରୀଣ ସରକାରର ନେତା ମହମ୍ମଦ ୟୁନୁସ୍ ବୈଠକ ଡାକିଛନ୍ତି। ହିନ୍ଦୁ ଛାତ୍ର ଓ ଯୁବକ ଗୋଷ୍ଠୀଙ୍କ ଏହି ବୈଠକ ହେବ। ଏବେ ଦେଖାଦେଇଥିବା ସଙ୍କଟର ସମାଧାନ ଏବଂ ହିନ୍ଦୁ ସମ୍ପ୍ରଦାୟର ସୁରକ୍ଷା ସୁନିଶ୍ଚିତ କରିବା ଉପରେ ଅନ୍ତରୀଣ ସରକାରର ମୁଖିଆ ଆଲୋଚନା କରିବେ। ରିପୋର୍ଟ ଅନୁଯାୟୀ, ଅଗଷ୍ଟ ୫ରେ ଶେଖ୍ ହସିନାଙ୍କ ନେତୃତ୍ୱାଧୀନ ସରକାର ପତନ ହୋଇଛି। ଏହାପପରେ ୫୨ଟି ଜିଲ୍ଲାରେ ଅତି କମରେ ୨୦୫ଟି ଆକ୍ରମଣର ସମ୍ମୁଖୀନ ହୋଇଛନ୍ତି ସଂଖ୍ୟାଲଘୁ ସଂପ୍ରଦାୟ। ମହମ୍ମଦ ୟୁନୁସ ପୂର୍ବରୁ ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିଥିଲେ । ହିନ୍ଦୁ, ଖ୍ରୀଷ୍ଟିଆନ ଓ ବୌଦ୍ଧ ପରିବାରକୁ ସୁରକ୍ଷା ଦେବା ପାଇଁ ଅନୁରୋଧ କରିଥିଲେ।
ବାଂଲାଦେଶୀ ଅନୁପ୍ରବେଶକାରୀଙ୍କ ପ୍ରବେଶ ଆଶଙ୍କାରେ ଓଡ଼ିଶାର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳ ଗୁଡ଼ିକରେ ହାଇଆଲର୍ଟ ଜାରି କରାଯାଇଛି। ସମସ୍ତ ସାମୁଦ୍ରିକ ଥାନା ପକ୍ଷରୁ ବାଂଲାଦେଶୀଙ୍କ ଅନୁପ୍ରବେଶକାରୀଙ୍କ ପ୍ରବେଶ ରୋକିବାକୁ ପାଟ୍ରୋଲିଂକୁ କଡ଼ାକଡି କରାଯାଇଛି। ପୁରୀ ଜିଲ୍ଲାର ଅସ୍ତରଙ୍ଗ ସାମୁଦ୍ରିକ ଥାନା ପକ୍ଷରୁ ଅସ୍ତରଙ୍ଗ ଅଞ୍ଚଳର ୨୦ କିଲୋମିଟର ସାମୁଦ୍ରିକ ଅଞ୍ଚଳ ଭିତରେ କଡା ପ୍ରହରା ବ୍ୟବସ୍ଥା କରାଯାଇଛି।