ରାଜଧାନୀରେ ନାବାଳିକାଙ୍କ ଗଣଣଦୁଷ୍କର୍ମ ଅଭିଯୋଗ ମାମଲା । ଭିଡ଼ିଓ କନଫରେନ୍ସି ମାଧ୍ୟମରେ ହାଜର ହେଲେ ଡିଜିପି । ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇ ନଥିବାରୁ କୋର୍ଟଙ୍କ ଦ୍ୱାରା ଭତ୍ସନା

123

କନକ ବ୍ୟୁରୋ : ରାଜଧାନୀରେ ବହୁ ଚର୍ଚ୍ଚିତ ନାବାଳିକା ଗଣ ଦୁଷ୍କର୍ମ ମାମଲାରେ ପୋଲିସକୁ କୋର୍ଟଙ୍କ ଭତ୍ସନା । ଅଭିଯୋଗ ପରେ ପୋଲିସ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିନଥିବା ନେଇ ପୋଲିସକୁ କୋର୍ଟ ଭତ୍ସନା କରିଛନ୍ତି । ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ପୋଲିସର ତଦନ୍ତ ଉପରେ ଅସନ୍ତୋଷ ପ୍ରକାଶ କରି କୋର୍ଟ ପୋଲିସ ଡିଜିପିଙ୍କୁ ସମନ କରିଥିଲେ । ଆଜି ପୋଲିସ ଡିଜିପି ଭିଡିଓ କନଫେରେନ୍ସିଂ ମାଧ୍ୟମରେ କୋର୍ଟରେ ହାଜର ହୋଇଥିଲେ । ଅପରପକ୍ଷେ ଡିଜିପିଙ୍କ ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ଦାଖଲ ହେବା ସହ ମୁଦା ଲଫାପାରେ ତଦନ୍ତ ଷ୍ଟାଟସ ରିପୋର୍ଟ ଦାଖଲ କରାଯାଇଛି । କିନ୍ତୁ ନାବାଳିକା ଗଣଦୁଷ୍କର୍ମ ଭଳି ସ୍ପର୍ଶକାତର ମାମଲାରେ ପୋଲିସ ତଦନ୍ତର ଅଗ୍ରଗତି ନେଇ ପୁନର୍ବାର ଅସନ୍ତୋଷ ପ୍ରକାଶ କରିଛନ୍ତି କୋର୍ଟ । ଡିସେମ୍ବର ୧୬ ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ କୋର୍ଟ ପକ୍ଷରୁ ଦିନ ଧାର୍ଯ୍ୟ କରାଯାଇଛି ।
ସୂଚନା ଥାଉକି ଗତ ମାର୍ଚ୍ଚ ଓ ଏପ୍ରିଲ ମାସରେ କିଛି ଲୋକ ତାଙ୍କ ଝିଅକୁ ବାରମ୍ବାର ଦୁଷ୍କର୍ମ କରିଥିବା ନେଇ ନାବାଳିକାଙ୍କ ମା ଗତ ଅଗଷ୍ଟ ୩୦ ତାରିଖରେ ଲିଖିତ ଅଭିଯୋଗ କରିଥିଲେ । ଏହାକୁ ଆଧାର କରି ମହିଳା ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା । ଗତ ସେପ୍ଟେମ୍ବର ୩୦ ତାରିଖରେ ଏ ସଂପର୍କିତ ଏକ ଜନସ୍ୱାର୍ଥ ମାମଲାର ଶୁଣାଣି ବେଳେ ତଦନ୍ତରେ ଶିଥିତଳତାକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ । ତା’ ସହିତ ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଦ୍ୱାରା ଘଟଣାର ତଦନ୍ତ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ପୋଲିସ ମହାନିର୍ଦ୍ଦେଶକ ଆଜି ଭିଡିଓ କନଫେରେନ୍ସିଂ ମାଧ୍ୟମରେ ହାଜର ହୋଇ ସତ୍ୟପାଠ ଦାଖଲ କରିଛନ୍ତି ।