ମଝି ରାତିର ଆତଙ୍କ! ଚୋରି କରିବାକୁ ଆସି ୮ ବର୍ଷର ଝିଅଙ୍କୁ ଧର୍ଷଣ କଲେ ଦୁର୍ବୃତ

ଗଞ୍ଜାମ ପୋଲସରାର ଘଟଣାକୁ ନେଇ ସାରା ରାଜ୍ୟରେ ଚାଂଚଲ୍ୟ ।ଚୋରି କରିବାକୁ ଆସି ନାବାଳିକାକୁ ଧର୍ଷଣ କଲେ ଦୁବୃର୍ତ୍ତ । ମୁମୁର୍ଷୁ ଅବସ୍ଥାରେ ଘରପାଖ ବିଲରୁ ଉଦ୍ଧାର କଲେ ପରିବାର ଲୋକ ।

219

କନକ ବ୍ୟୁରୋ : ଆଠ ବର୍ଷର ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ଗଂଜାମ ପୋଲସରା ଅଂଚଳରେ ଘଟିଥିବା ଏହି ଘଟଣା ଯେତିକି ହୃଦୟ ବିଦାରକ, ସେତିକି ଲଜ୍ଜାଜନକ । ରାତି ଅଧରେ ଘରେ ପଶି ଚୋରି କରୁଥିବା ତିନି ଦୁର୍ବୃତ, ୮ ବର୍ଷର ନାବାଳିକାଙ୍କୁ ଘରୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଗୁରତର ଅବସ୍ଥାରେ ପୀଡ଼ିତାଙ୍କୁ ବ୍ରହ୍ମପୁର ମେଡିକାଲରେ ଭର୍ତି କରାଯାଇଛି । ଦୁଇଟି ଟିମ୍ ଗଢ଼ି ତନାଘନା ଆରମ୍ଭ କରିଛି ପୋଲିସ ।

୮ ବର୍ଷର ନାବାଳିକାଙ୍କୁ ଗଣଦୁଷ୍କର୍ମ । ଗଂଜାମ ପୋଲସରାରୁ ଆସିଲା ଲଜ୍ଜାଜନକ ଖବର । ଏ ଏପରି ଏକ ଘଟଣା ଯାହା ସଭ୍ୟ ସମାଜର ମୁଣ୍ଡ ତଳକୁ କରିଦେବ । ଏ ଏମିତି ଏକ ନାରକୀୟ କାଣ୍ଡ ଯାହାକୁ ଶୁଣିଲେ ରାଗରେ ଆପଣଙ୍କ ଦେହ ଥରି ଉଠିବ । ଅମଣିଷ ପଣିଆର ସବୁ ସୀମା ଟପି ଯାଇଛନ୍ତି ତିନି ଜଣ ନରରୂପୀ ରାକ୍ଷସ । ଗଂଜାମ ପୋଲିସରା ଅଂଚଳରେ ଜଣଙ୍କ ଘରେ ରାତି ଅଧରେ ପଶିଥିଲେ ତିନି ଦୁର୍ବୃତ । ଲୁଟ ପାଟ କରିବା ପରେ ୮ ବର୍ଷ ନାବାଳିକାଙ୍କୁ ଉଠାଇ ନେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।

ତିନି ଡକାୟତ ଘର ଛାଡି ଚାଲିଯିବା ପରେ ଝିଅ ଘରେ ନଥିବା ଜାଣି ବାପାମାଆଙ୍କ ମୁଣ୍ଡରେ ପଡିଥିଲା ଚଡ଼କ । ରାତିରେ ଖୋଜାଖୋଜି କରିବା ପରେ ପାଖ ବିଲ ଭିତରେ ମୂମୁର୍ଷୁ ଅବସ୍ଥାରେ ମିଳିଥିଲା ନାବାଳିକା । ପ୍ରଥମେ ପୋଲିସରା ଡାକ୍ତରଖାନା ପରେ ଅବସ୍ଥା ଗୁରୁତର ହେବାରୁ ବ୍ରହ୍ମପୁର ବଡ଼ ମେଡିକାଲରେ ତାଙ୍କୁ ଭର୍ତି କରାଯାଇଛି । ଏହି ସମ୍ବେଦନଶୀଳ ଘଟଣାକୁ ଅତି ଗୁରୁତ୍ୱର ସହ ନେଇଛି ପୋଲିସ । ଦୁଇଟି ଟିମ୍ କରି ତଦନ୍ତକୁ ଜୋରଦାର କରାଯାଇଛି । ଏଭଳି ଜଘନ୍ୟ ଅପରାଧ ଘଟାଇଥିବା ଅପରାଧୀଙ୍କୁ କଠୋରରୁ କଠୋରତମ ଦଣ୍ଡ ଦେବାକୁ ଦାବି କରିଛନ୍ତି ଲୋକେ ।

ଏମକେସିଜି ହସପିଟାଲରେ ଜୀବନ ସହ ସଂଗ୍ରାମ କରୁଛି ପୀଡିତା । ସେପଟେ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରବଳ ଉତେଜନା ପ୍ରକାଶ ପାଇଛି ।