କନକ ବ୍ୟୁରୋ : ଶ୍ରୀମନ୍ଦିର ପରିସରରେ ଏପରି ଏକ ଲଜ୍ଜାଜନକ ଘଟଣା ଘଟିଛି ଯାହା ପୁରୀରେ ହଇଚଇ ଖେଳାଇ ଦେଇଛି । ଦଧିବାମନ ମନ୍ଦିରର ପୂଜକଙ୍କ ବିରୋଧରେ ନାବାଳିକାକୁ ଅସଦାଚରଣ କରିଥିବା ନେଇ ସାଂଘାତିକ ଅଭିଯୋଗ ହୋଇଛି । ପକ୍ସୋ ଆକ୍ଟରେ ଅଭିଯୁକ୍ତ ପୂଜକକୁ ଗିରଫ କରିଛି ପୋଲିସ । ଏହି ଘଟଣାକୁ ନେଇ ପ୍ରବଳ ପ୍ରତିକ୍ରିୟା ସୃଷ୍ଟି ହୋଇଛି ।
ଶ୍ରୀମନ୍ଦିର ପରିସରରେ ନାବାଳିକାଙ୍କୁ ଅସଦାଚରଣ । ପୂଜକଙ୍କ ନାଁରେ ସାଂଘାତିକ ଅଭିଯୋଗ । ଶ୍ରୀମନ୍ଦିର ପରିସରରେ ଥିବା ଦଧିବାମନ ମନ୍ଦିର ପ୍ରାଙ୍ଗଣରେ ଏପରି ଏକ ଘଟଣା ଘଟିଛି, ଯାହା ସମସ୍ତଙ୍କୁ ଆନ୍ଦୋଳିତ କରିଛି । ଯେଉଁ ଧାମକୁ ଆସି କୋଟି କୋଟି ଶ୍ରଦ୍ଧାଳୁ, ଭକ୍ତି ଭାବରେ ଲୀନ ହୋଇଯାଆନ୍ତି, ସେହି ପରିସରରେ ଜଣେ ପୂଜକ, ନାବାଳିକାକୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ପୂଜକ ଦୋଷ ସ୍ୱୀକାର କରିଥିବା କହିଛନ୍ତି ସିଡବ୍ଲୁସି ସଦସ୍ୟ ।
ଅଭିଯୁକ୍ତ ସଂଗ୍ରାମ ଦାଶ । ଦଧିବାମନ ମନ୍ଦିରର ପୂଜକ । ଅଭିଯୋଗ ଅନୁସାରେ ଶୁକ୍ରବାର ଅପରାହ୍ନରେ ହାଇଦ୍ରାବାଦରୁ ଆସିଥିବା ଜଣେ ନାବାଳିକାଙ୍କୁ ଏକୁଟିଆ ପାଇ ଦଧିବାମନ ମନ୍ଦିରର ପୂଜକ ସଂଗ୍ରାମ ଦାଶ, ଅସଦାଚରଣ କରିଥିଲେ । ସିଂହଦ୍ୱାର ଥାନାରେ ପୀଡ଼ିତା ନାବାଳିକା ଓ ତାଙ୍କ ପରିବାର ଲୋକ ଅଭିଯୋଗ କରିବା ପରେ ଆରମ୍ଭ ହୋଇଥିଲା ତନାଘନା । ଥାନାକୁ ଆଣି ପଚରାଉଚରା କରିବା ପରେ ସତ ମାନିଯାଇଥିଲା ଅଭିଯୁକ୍ତ । ଜିଲ୍ଲା ଶିଶୁମଙ୍ଗଳ କମିଟି ନାବାଳିକାଙ୍କୁ କାଉନସେଲିଂ କରି ବୟାନ ରେକର୍ଡ କରିଥିବା ବେଳେ ଅଭିଯୁକ୍ତ ସଂଗ୍ରାମକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ୧୬୪ ଧାରାରେ ଅଭିଯୁକ୍ତର ଜମାନବନ୍ଦୀ ରେକର୍ଡ କରାଯାଇଛି । ଏହି ଘଟଣାକୁ ନେଇ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି ।
ଅସଦାଚରଣ ଅଭିଯୋଗକୁ ଗୁରୁତର ସହ ନେଇଛି ପୁରୀ ପୁଲିସ । ପୁଲିସର ତନାଘନା, ଅଭିଯୁକ୍ତ ବିରୋଧରେ ଲଗାଇଛି ପକ୍ସୋ ଆଇନ । ପକ୍ସୋ ଆଇନ ଧାରା ୮ରେ ୩ରୁ ୫ ବର୍ଷ ଜେଲ ବ୍ୟବସ୍ଥା ରହିଛି । ଧାରା ୧୦ରେ ସମ୍ବେଦନଶୀଳ ଅଙ୍ଗକୁ ଛୁଇଁବା ଅପରାଧରେ ଦଣ୍ଡବିଧାନ ବ୍ୟବସ୍ଥା ରହିଛି । ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛି ପୁଲିସ ।
ଅଭିଯୁକ୍ତ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଏବଂ ଶ୍ରୀମନ୍ଦିର ପରିସରର ଶିଶୁ ସୁରକ୍ଷା ନେଇ କର୍ମଶାଳା କରିବାକୁ ଜିଲ୍ଲାପାଳ, ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଛି ସିଡବ୍ଲୁସି । ପୀଡ଼ିତାଙ୍କ ପରିବାର ବାହାର ରାଜ୍ୟର ହୋଇଥିବାରୁ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ପୁଲିସକୁ ନିର୍ଦ୍ଦେଶ ଦେଇଛି ସିଡବ୍ଲୁସି । ଶ୍ରୀମନ୍ଦିର ପରିସରରେ ଅସଦାଚରଣ ଘଟଣାକୁ ନିନ୍ଦା କରିଛନ୍ତି ସେବାୟତ । ଘଟଣାର ଯେପରି ପୁନରାବୃତି ନହେବ ସେ ନେଇ କଡ଼ା ପଦକ୍ଷେପ ନେବାକୁ ଦାବି ହୋଇଛି ।