କନକ ବ୍ୟୁରୋ: ରଥଯାତ୍ରା ପାଇଁ ଗହଳ ଚହଳ ଶରଧାବାଲିରେ ସୋମବାର ଦିନ ବିଳମ୍ବିତ ରାତିରେ ଘଟିଛି ଏକ ଅଭାବନୀୟ ଘଟଣା। ୧୦ ହଜାର ପୁଲିସ, ମାଳ ମାଳ ଯବାନ ଓ ଅଧିକାରୀଙ୍କ ବଳୟ ଭିତରେ ଥିବା ପୁ ଶରଧାବାଲିସ୍ଥିତ ବସଷ୍ଟାଣ୍ଡରେ କେନ୍ଦୁଝର ହରିଚନ୍ଦନପୁର ଅଞ୍ଚଳର ଜଣେ ନିରିହ ଆଦିବାସୀ ନାବାଳିକା(୧୬)ଙ୍କୁ ବସ ଭିତରେ ଦୁଷ୍କର୍ମ କରାଯାଇଛି। ରଥଯାତ୍ରା ସମୟରେ ପୁରୀରେ ଜଣେ ଅସହାୟ ଆଦିବାସୀ ନାବାଳିକାଙ୍କୁ ବସ ଭିତରେ ଦୁଷ୍ମର୍ମ କରାଯିବା, ଅସହାୟ ନାବାଳିକା ଜଣକ ଚିତ୍କାର କରି କାନ୍ଦି କାନ୍ଦି ବସଷ୍ଟାଣ୍ଡରୁ ବାହାରିବା, ନାବାଳିକାଙ୍କ ଚିତ୍କାର ପୁଲିସ ଶୁଣି ନ ପାରିବା, ଲୋକଙ୍କଠାରୁ ଖବର ପାଇ ପୁଲିସ ବିଳମ୍ବରେ ପହଞ୍ଚିବା ଆଦି ଘଟଣା ରଥଯାତ୍ରା ସମୟରେ ସୁରକ୍ଷା ବ୍ୟବସ୍ଥାକୁ ପଦାରେ ପକାଇ ଦେଇଛି। ସୋମବାର ରାତି ପ୍ରାୟ ୧୧ଟା ବେଳେ ଘଟିଥିବା ଏହି ଘଟଣା ପରେ ପୁରୀକୁ ଆସୁଥିବା ମହିଳା ଭକ୍ତଙ୍କ ସୁରକ୍ଷାକୁ ନେଇ ଏକ ବଡ ପ୍ରଶ୍ନ ଠିଆ ହୋଇଛି। ପୁରୀରେ ନିୟୋଜିତ ୧୦ହଜାର ପୁଲିସ କାହା ସୁରକ୍ଷାରେ ଲାଗିଛନ୍ତି ସେ ନେଇ ମଧ୍ୟ ବଡ ପ୍ରଶ୍ନ ଉଠିଛି।
ସୋମବାର ଏହି ବର୍ବୋରଚିତ ଘଟଣାକୁ ନେଇ ନାବାଳିକା ଜଣକ କୁମ୍ଭାରପଡା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ନାବାଳିକାଙ୍କ ଅଭିଯୋଗ ଅଧାରରେ ପୁଲିସ ଏ ନେଇ ଦଫା ୩୭୬ ଓ ପୋସ୍କୋ ଆକ୍ଟ ବଳରେ ୧୩୭/୧୯ ନମ୍ବର ମାମଲା ରୁଜୁ କରି ଅଭିଯୁକ୍ତ ଯୁବକ ଗୋପ, ଜାଉଁଳିପୋଖରୀର ଅଞ୍ଚଳର ନାରାୟଣ ମଲ୍ଲିକ ଓରଫ ନାରଣକୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁରୀରେ ରଥଯାତ୍ରା ଚାଲିଥିବା ବେଳେ ଏଭଳି ଏକ ଘଟଣା ପୁଲିସ ପାଇଁ ଆହ୍ବାନ ହୋଇଛି। ସୋମବାର ବିଳମ୍ବିତ ରାତିରେ ଜଣେ ନାବାଳିକା ଝିଅ ବିକଳରେ କାନ୍ଦୁଥିବା ବେଳେ ଶରଧାବାଲି ଅଞ୍ଚଳର କିଛି ଦୋକାନୀ ଏ ସଂପର୍କରେ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନାବାଳିକାଙ୍କୁ ଉଦ୍ଧାର କରିବା ପରେ ସତ ଜାଣିଥିଲେ।
ନାବାଳିକାଙ୍କ ଅଭିଯୋଗ ମୁତାବକ, ମାଳତୀପାଟପୁର ଅଞ୍ଚଳର ୱାଟର ପାର୍କରେ କାମ କରୁଥିବା ନାବାଳିକା ଜଣକ ଗତ ୨୯ ତାରିଖରେ ନିଜ ଗାଁକୁ ତୁଷାରତାଜ ନାମକ ଏକ ବସରେ ଯାଇଥିଲେ। ବସରେ ହେଲପର କାମ କରୁଥିବା ନାରଣ ସହିତ ନାବାଳିକାଙ୍କ ପରିଚୟ ହୋଇଥିଲା। କୌଶଳକ୍ରମେ ନାରଣ ନାବାଳିକାଙ୍କ ଫୋନ ନମ୍ବର ରଖିଥିଲା। ସୋମବାର ନାବାଳିକା ଜଣକ ପୁରୀ ଫେରୁଥିବା ଜାଣି ତାଙ୍କ ବସରେ ଆସିବାକୁ ଅନୁରୋଧ କରିଥିଲା। ନାବାଳିକା ଭୁବନେଶ୍ବରରୁ ଏହି ବସରେ ଆସିଥିଲେ। ବସ ଷ୍ଟାଣ୍ଡରେ ବସ ପହଞ୍ଚିବା ପରେ ନାବାଳିକା ଜଣକ ଘରକୁ ଯିବାକୁ ବାହାରିଥିଲେ। ମାତ୍ର ବିଳମ୍ବିତ ରାତି ହୋଇଥିବାରୁ ବସରେ ଶୋଇଯିବାକୁ କହିଥିଲେ। ଶୋଇପଡିବା ପରେ କେହି ନଥିବା ବେଳେ ଅଭିଯୁକ୍ତ ନାରଣ ନାବାଳିକା ସହିତ ଦୁଷ୍କର୍ମ କରିଥିଲେ। ଏହା ପରେ ନାରଣ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା। ନାବାଳିକା ଜଣକ ଅସହାୟ ହୋଇ କାନ୍ଦି କାନ୍ଦି ବସଷ୍ଟାଣ୍ଡରୁ ବାହାରକୁ ଆସୁଥିବା ବେଳେ ଏ ସଂପର୍କରେ ସ୍ଥାନୀୟ କିଛି ଦୋକାନୀ ପୁଲିସକୁ ଖବର ଦେଇଥିଲେ।