ନ୍ୟାୟ ମିଳିଲାନି, ଜୁଇ ଜଳିଲା । ଦେଢ଼ ବର୍ଷର ଲଢ଼େଇ ପରେ ଆଖି ବୁଜିଲେ ଦୁଷ୍କର୍ମ ପୀଡିତା ନାବାଳିକା ।

205

କନକ ବ୍ୟୁରୋ : ନ୍ୟାୟ ମିଳିଲାନି, ଜୁଇ ଜଳିଲା । ଦେଢ଼ ବର୍ଷର ଲଢ଼େଇ ପରେ ହାରିଗଲେ ନାବାଳିକା । ଇଏ ଏମିତି ଏକ କାହାଣୀ ଯାହାକୁ ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ । ଆପଣଙ୍କ ଆଖିରୁ ଲୁହ ଝରି ପଡ଼ିବ । ଏହି ଦୁଃଖ କାହାଣୀ ହେଉଛି ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅଂଚଳର । ଗତ ୨୦୧୭ ନଭେମ୍ବର ମାସରେ ପ୍ଲସ୍ – ଟୁ ସାଇନ୍ସ ପଢ଼ୁଥିବା ଜଣେ ନାବାଳିକା ଛାତ୍ରୀ ଗଣଦୁଷ୍କର୍ମର ଅଭିଯୋଗ ଆଣିଥିଲେ । କଲେଜର ଜଣେ ଅଧ୍ୟାପକ ସମେତ ୪ଜଣଙ୍କ ନାଁରେ ଅଭିଯୋଗ କରିଥିଲେ ପୀଡ଼ିତା । ପ୍ରାୟ ଦେଢ଼ ବର୍ଷ ଧରି ନ୍ୟାୟ ପାଇଁ ଲଢ଼େଇ ପରେ ଆଖି ବୁଜିଛନ୍ତି ଦୁଷ୍କର୍ମ ପୀଡ଼ିତା ନାବାଳିକା । ନ୍ୟାୟ ତ ମିଳିଲାନାହିଁ, ଶେଷରେ ଭୁବନେଶ୍ୱରରେ ଜଳିଛି ତାଙ୍କର ଜୁଇ ।

ଏହି ଘଟଣାରେ ଏଫଆଇଆର ରୁଜୁ କରିଥିଲା, ହେଲେ କାହାରିକୁ ଗିରଫ କରିନଥିଲା ମାଥିଲି ପୋଲିସ । ପୋଲିସର ନିଷ୍କ୍ରିୟତା ଭିତରେ ମୁଖ୍ୟ ଅଭିଯୁକ୍ତ ସମେତ ୩ଜଣ ଆଗୁଆ ଜାମିନ ପାଇବାରେ ସଫଳ ହୋଇଥିଲେ । ସେପଟେ ମାମଲାକୁ ଉଠାଇନେବା ପାଇଁ ପୀଡିତା ଓ ତାଙ୍କ ପରିବାର ଉପରେ ଚାପ ପଡିଥିଲା । ଏନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ପୀଡ଼ିତାଙ୍କ ପରିବାର ।

ହାଇକୋର୍ଟ ମାମଲାକୁ ବିଚାର କରିବା ସହିତ ଘଟଣାର ପୁଣିଥରେ ତଦନ୍ତ ଏବଂ ପୀଡିତାକୁ ସୁରକ୍ଷା ଦେବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ମଧ୍ୟ ମାମଲାକୁ ଆଗକୁ ନେଇନଥିଲା ପୋଲିସ । ସେପଟେ ମାନସିକ ଚାପରେ ଆସି ନାବାଳିକା ପୀଡ଼ିତା ଦୁଇଥର ଆତ୍ମହତ୍ୟା ଉଦ୍ୟମ କରିଥିଲେ । ପରେ ତାଙ୍କୁ ଭୁବନେଶ୍ୱର ପଠାଇ ଦେଇଥିଲେ ପରିବାର ଲୋକ । ଭୁବନେଶ୍ୱରରେ ଆଇଏଏସ କୋଚିଂ ନେବା ସହ ଯୁକ୍ତ ୩ରେ ନାମ ଲେଖାଇବା ଯୋଜନା କରିଥିଲେ ।

ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଏବଂ ପ୍ରଧାନମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ପର୍ଯ୍ୟନ୍ତ ସବୁ ସ୍ଥାନରେ ଗୁହାରି କରିଥିଲେ ବି ନ୍ୟାୟ ମିଳିନଥିଲା । ଏହାପରେ ମାନସିକ ଭାରସ୍ୟାମ ହରାଇ ବସିଥିଲେ ପୀଡ଼ିତା । ଏପ୍ରିଲ ୧୩ ତାରିଖରେ ଭୁବନେଶ୍ୱରରେ ଜଣେ ସଂପର୍କୀୟାଙ୍କ ଘରେ ପୁଣି ଥରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ସେ । ଗୁରୁତର ଅବସ୍ଥାରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇ ଚିକିତ୍ସା କରାଯାଉଥିଲା । ହେଲେ ଶେଷରେ ଆଖି ବୁଜିଛନ୍ତି ନାବାଳିକା । ତେବେ ଏହି ଦୁଃଖଦ ଘଟଣା ପୁଣି ଥରେ ବ୍ୟବସ୍ଥା ଉପରେ ଛିଡ଼ା କରିଛି ବଡ଼ ପ୍ରଶ୍ନବାଚୀ ।