ନୟାଗଡଠୁ ବଳିଗଲା ନୀଳଗିରି ‘ପରୀ’ କାହାଣୀ । ପୋଖରୀ ହୁଡାରୁ ଟେକିନେଲେ, ଦୁଷ୍କର୍ମ ପରେ ବିଷ ପିଆଇ ଦେଲେ । ମୃତ୍ୟୁ ସହ ଲଢି ଲଢି ଆଖିବୁଜିଲା ନାବାଳିକା ।

1,034

କନକ ବ୍ୟୁରୋ: ନୟାଗଡ ପରେ ନୀଳଗିରିରୁ ଆସିଲା ପରୀ ପରି କାହାଣୀ । ପରୀକୁ କେମିତି ଅପହରଣ ପରେ ହତ୍ୟା ହୋଇଥିଲା ତାଠୁ ଅତି ଅମାନୁଷିକ ଭାବେ ନୀଳଗିରିର ପରୀ ସହ ଘଟଣା ଘଟିଛି । ଦୁଷ୍କର୍ମ ପରେ ବିଷ ପିଆଇ ନାବାଳିକାଙ୍କୁ ହତ୍ୟା ଅଭିଯୋଗ ହୋଇଛି । ପରୀ ହତ୍ୟା ନେଇ ସାରାରାଜ୍ୟରେ ଉତ୍ତେଜନା ଥମି ନଥିବାବେଳେ ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଂଚଳରୁ ଆସିଛି ସାଂଘାତିକ ଅଭିଯୋଗ ।

ତେବେ ସୋମବାର ସକାଳ ପ୍ରାୟ ୭ଟା ସମୟରେ ନୀଳଗିରି ବାଘମରା ଅଂଚଳର ଜଣେ ନାବାଳିକା ଗାଧୋଇବା ପାଇଁ ନିକଟରେ ଥିବା ପୋଖରୀକୁ ଯାଇଥିଲେ । ଏହି ସମୟରେ ସ୍ଥାନୀୟ ଅଂଚଳରେ ଥିବା ଏକ ଇଟାଭାଟିର ମାଲିକ ଓ ତାଙ୍କ ମ୍ୟାନେଜର ନାବାଳିକାଙ୍କୁ ଉଠାଇ ନେଇଥିଲେ । ସେ କିଛି ବୁଝିବା ପୂର୍ବରୁ ଉଭୟ ତାଙ୍କ ସହ ଦୁଷ୍କର୍ମ କରିଥିଲେ । ଦୁଷ୍କର୍ମ ପରେ ନାବାଳିକାଙ୍କୁ ମାଡ ମାରିବା ସହ ବଳପୂର୍ବକ ବିଷ ପିଆଇ ଦେଇଥିଲେ ।

ନର ରାକ୍ଷସଙ୍କ କବଳରୁ ବହୁ କଷ୍ଟରେ ନାବାଳିକା ଜଣଙ୍କ ଖସି ଆସିବା ପରେ ଘରେ ପହଁଚି ତଳେ ପଡିଯାଇଥିଲେ । ରକ୍ତବାନ୍ତି କରିବା ସହ ତାଙ୍କ ପାଟିରୁ ଗରଳ ବାହାରିଥିଲା । ମୁଁ ମରିଯିବି ମୋତେ ତୁରନ୍ତ ହସ୍ପିଟାଲ ନିଅ ବୋଲି ଝିଅର ଚିକ୍ରାର ଶୁଣି ପରିବାର ଲୋକ ଜମା ହୋଇଥିଲେ । ଝିଅର ଏପରି ଅବସ୍ଥା ଦେଖି କଣ ହୋଇଛି ପଚାରିବା ସହ ନୀଳଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ହେଲେ ସେଠାରେ ତାଙ୍କର ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ୪ଟାରେ ଝିଅଟି ଆଖି ବୁଜି ଦେଇଥିଲା । ଆଉ ମୃତ୍ୟୁ ପରେ ନୀଳଗିରି ଥାନାରେ ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।