ଦୁନିଆ ନ ଦେଖୁଣୁ ଆରପାରିକୁ ଚାଲିଗଲା ମାଆ । ବାପା ମାନସିକ ବିକାରଗ୍ରସ୍ତ । ଏ ଦୁନିଆରେ କେମିତି ବଞ୍ଚିବ କୁନି ଝିଅ ଚୁମାଲି ? କିଏ ଗଢିବ ତା ଭବିଷ୍ୟତ ? ଶୁଣ ସରକାର…

402

କନକ ବ୍ୟୁରୋ: କୋମଳମତି ଶିଶୁଟିଏ, ଏ ଦୁନିଆ ବିଷୟରେ କଣ ବା ଜାଣିଛି ସେ । ହେଲେ ଏ ଦୁନିଆକୁ ଆସିବା ପୂର୍ବ ଆରପାରିକୁ ଚାଲିଯାଇଥିଲା ମାଆ । ଆଉ ବାପା ଜଣେ ମାନସିକ ବିକାରଗ୍ରସ୍ତ ରୋଗୀ । ନିଜ ହାତରେ ଖାଇବା ଶିଖିନି କି ନିଜର ଦାୟିତ୍ୱ ନେବା ଜାଣିନି । ଏବେ କେମିତି ବଞ୍ଚିବ ଏ କୁନି ଝିଅ । ତା ସୁନାର ଭବିଷ୍ୟତ ଗଢିବ କିଏ? ଆଉ ତାକୁ କୋଳରେ ଧରି ଜହ୍ନ ମାମୁ ଦେଖାଇବ କିଏ ? ଏମିତି ଆଶା ଆଶଙ୍କାରେ ଏବେ କୁନି ଝିଅ ଚୁମାଲିର ଭବିଷ୍ୟତ ।

ଆମେ କହୁଛୁ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ କୁରୁପାଳ ଗାଁର ପ୍ରଶନ୍ନ ଜେନାଙ୍କ ଝିଅ ଚୁମାଲିର କଥା । ମାଆ ବ୍ଲଡ କ୍ୟାନ୍ସରରେ ମୃତ୍ୟୁ ବରଣ କରିବା ପରେ ଅଜା ଆଇ ପାଖରେ ରହୁଛି ଚୁମାଲି । ଚୁମାଲିର ଦୁଃଖ ଦେଖି ଅଜା ଆଇ ତାକୁ କୋଳେଇ ନେଇଥିଲେ, ହେଲେ ଏବେ ତାକୁ କେମିତି ବଡ ମଣିଷ କରିବେ ସେହି କଥା ତାଙ୍କୁ ଚିନ୍ତାରେ ପକାଇଛି ।

ୟାରି ଭିତରେ ଚୁମାଲିକୁ ୮ବର୍ଷ ହୋଇଯାଇଛି । ଏବେ ଚୁମାଲି ଚତୁର୍ଥ ଶ୍ରେଣୀରେ ପାଠ ପଢୁଛି । ପାଠ ପଢି ବଡ ମଣିଷ ହେବାକୁ ସଂଘର୍ଷ କରୁଛି ଚୁମାଲି । ଆଉ ତାର ପାଠ ପଢାରେ ସାହାଯ୍ୟ କଲେ ସେ ଆଗକୁ ଆହୁରି ଭଲ ପଢିପାରିବ ବୋଲି ସରକାରଙ୍କ ପାଖରେ ନିବେଦନ କରିଛି ।

ଚୁମାଲି ଛୋଟ ଥିବା ବେଳେ ବ୍ଲଡ କ୍ୟାନ୍ସରରେ ଆରପାରିକୁ ଚାଲି ଯାଇଥିଲେ ମାଆ । ଆଉ ମାଆକୁ ଏବେ ବି ଝୁରୁଛି ଚୁମାଲି । ହୁଏତ ଆଜି ଚୁମାଲିର ମାଆ ଥିଲେ ତାକୁ ଏ ଦିନ ଦେଖିବାକୁ ପଡିନଥାନ୍ତା । ହେଲେ ଚୁମାଲିକୁ ବଡ ମଣିଷ କରିବା ପାଇଁ ଅଜା ଆଇ ଅନେକ ପରିଶ୍ରମ କରୁଛନ୍ତି । ଯଦି ଚୁମାଲିକୁ ଆଗକୁ ପଢିବାକୁ ସରକାର ସାହାଯ୍ୟ କରନ୍ତେ ତେବେ ଚୁମାଲିର ଭବିଷ୍ୟତ ଉଜ୍ୱଳ ହୋଇପାରନ୍ତା ।