୮ ବର୍ଷର କୁନି ଝିଅକୁ କୋର୍ଟ ପଠାଇଲା ପୁଲିସ । କୁନି ଝିଅଙ୍କୁ ଦେଖି ଖପ୍ପା ହେଲେ କୋର୍ଟ, ବାଲିପାଟଣା ପୁଲିସକୁ କଲେ ତାଗିଦ, କହିଲେ କାହିଁକି କୁନିଝିଅକୁ ଆଣିଲ, କାରଣ ଦର୍ଶାଅ । 

496

କନକ ବ୍ୟୁରୋ : ଜଣେ ୮ ବର୍ଷର କୁନି ଝିଅକୁ କୋର୍ଟକୁ ପଠାଇଛି ପୁଲିସ । କୁନି ଝିଅଙ୍କୁ ଦେଖି କୋର୍ଟ ଖପ୍ପା ହୋଇଥିଲେ । ପୁରା ମାମଲାରୁ ନାବାଳିକାର ନା କାଟିଦେବା ସହ ଏ ସମ୍ପର୍କରେ ଡିସିପିଙ୍କୁ ଜଣାଇଥିଲେ । ସେପଟେ କାହିଁକି ଜଣେ ନାବାଳିକାକୁ କୋର୍ଟରେ ହାଜର ହେବା ପାଇଁ ନୋଟିସ ପଠାଇଥିଲେ ତାହାର କୈଫିୟତ ଦେବାକୁ ବାଲିପାଟଣା ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି ଡିସିପି ।

ଭୁବନେଶ୍ୱର ଡିସିପିଙ୍କ କୋର୍ଟରେ ହାଜର ହେବା ପାଇଁ ଆସିଥିଲା କୁନି ଝିଅ । ଏହି ଝିଅଟି ଏମିତି କଣ ଅପରାଧ କରିଥିବ ଯେ, ଯେଉଁଥିପାଇଁ ତାକୁ କୋର୍ଟରେ ହାଜର ହେବାକୁ ପଡିଲା ? ଅପରାଧ କଣ ଜାଣିନଥିବା ଏହି କୁନି ଝିଅକୁ କାହିଁକି କୋର୍ଟ ଆସିବାକୁ ପଡିଲା ? ଆଉ ବାଲିପାଟଣା ଥାନାର ସେ କେମିତିକା ଅଫିସର ଯିଏ ଏହି ଛୋଟ ଛୁଆଟିକୁ କୋର୍ଟରେ ହାଜର ହେବା ପାଇଁ ଆଇପିସିର ଧାରା ୧୦୭ରେ ନୋଟିସ ଜାରି କରିଥିଲେ ?

କୋର୍ଟ ରୁମରେ ଛୋଟ ଛୁଆକୁ ଦେଖି ଖଫା ହୋଇଯାଇଥିଲେ କୋର୍ଟ । ପଚାରିଥିଲେ ଇଏ କିଏ ଏବଂ କାହିଁକି ଏଠାକୁ ଆସିଛନ୍ତି । ସଙ୍ଗେ ସଙ୍ଗେ ଝିଅର ପରିବାର ଲୋକେ ଉତ୍ତର ଦେଇଥିଲେ, ବାଲିପାଟଣା ପୋଲିସ ଆମ୍ଭମାନଙ୍କ ସମେତ ଆମ ୮ବର୍ଷର ଝିଅକୁ ବି କୋର୍ଟରେ ହାଜର ହେବା ପାଇଁ ନୋଟିସ କରିଥିଲେ । ଆଉ କୋର୍ଟଙ୍କୁ ସମ୍ମାନ ଜଣାଇ ଆମେ ଆମ ଝିଅ ସହିତ ପୁରା ପରିବାର ଆଜି କୋର୍ଟରେ ଉପସ୍ଥିତ ରହିଲୁ । କୋର୍ଟ ସଙ୍ଗେ ସଙ୍ଗେ କୁନି ଝିଅର ନାଁ କାଟିବା ସହିତ କୋର୍ଟରୁମରୁ ବାହାର କରିବାକୁ କହିଥିଲେ ଏବଂ ପୂରା ମାମଲାରୁ ଝିଅର ନାଁ କାଟିଦେଇଥିଲେ । ସଙ୍ଗେ ସଙ୍ଗେ ଡିସିପିଙ୍କୁ ଏ ବାବଦରେ ଅବଗତ କରାଇଥିଲେ ।

ବାଲିପାଟଣା ପୋଲିସକୁ ଡିସିପି କହିଛନ୍ତି, କେମିତି ୮ବର୍ଷର କୁନି ଝିଅକୁ କୋର୍ଟରେ ହାଜର ହେବା ପାଇଁ ନୋଟିସ ଜାରି କରାଯାଇଥିଲା, ତାର କାରଣ ଦର୍ଶାଅ । ଏକ ଜମିବାଡି ଗଣ୍ଡଗୋଳକୁ ନେଇ ଯେତେବେଳେ ବାଲିପାଟଣା ଥାନାରେ କଥା ପହଞ୍ଚିଥିଲା ସେତେବେଳେ ପୋଲିସ ଏହି ନୋଟିସ ଜାରି କରିଥିଲା ।