କନକ ବ୍ୟୁରୋ: ଦଶହରା ଛୁଟିରେ ନିଜ ସଂପର୍କୀୟଙ୍କ ଘରକୁ ବୁଲିବାକୁ ଆସିଥିବା ମାଲକାନଗିରି ଜିଲ୍ଲା ଅନକାଡିଲି ନିକଟସ୍ଥ ଡୁରାଲ ଗ୍ରାମର ବୁଦୁ ଶିଶାଙ୍କ ୬ ବର୍ଷର ଝିଅ ଶ୍ୱାତୀ ଶିଶା ସପ୍ତଧାରା ନଦୀରେ ଗାଧୋଇବା ବେଳେ ବୁଡ଼ି ଯିବା ଫଳରେ ମୃତ୍ୟୁ ଘଟିଛି।

Advertisment

ମାଲକାନଗିରି ଜିଲ୍ଲାର ଅନକାଡିଲି ନିକଟସ୍ଥ ଡୁରାଲ ଗ୍ରାମର ବୁଦୁ ଶିଶା ଏବଂ ତାଙ୍କ ପରିବାର ଲୋକେ ବୈପାରିଗୁଡାର ବାଙ୍କୁଲି ଗ୍ରାମରେ ରହୁଥିବା ଜ୍ୱାଇଁ ରାମ ଶିଶାଙ୍କ ଘରକୁ ଦଶହରା ଛୁଟିରେ ବୁଲିବାକୁ ଆସିଥିଲେ। ବୁଦୁ ଶିଶା ଏବଂ ରାମ ଶିଶାଙ୍କ ପରିବାର ଲୋକେ ସମସ୍ତେ ମିଶି ଜମିରେ ଚାଷ କରିଥିବା ସୁଆଁ କାଟିବା ପାଇଁ ଯାଇଥିଲେ। ସୁଆଁ କାଟି ଫେରିବା ବେଳେ ବାଙ୍କୁଲି ଗ୍ରାମ ନିକଟସ୍ଥ ସପ୍ତଧାରା ନଦୀରେ ଗାଧୋଇ ଘରକୁ ଫେରିଥିଲେ। କିନ୍ତୁ ୬ ବର୍ଷର ନାବାଳିକା ଶ୍ୱାତୀ ଘରକୁ ଫେରିବା ପରେ ପୁଣିଥରେ ଏକୁଟିଆ ସପ୍ତଧାରା ନଦୀରେ ଗାଧୋଇବା ପାଇଁ ଯାଉଥିଲା। ପରିବାର ଲୋକେ ସନ୍ଧ୍ୟାରେ ବହୁତ ସମୟ ଖୋଜାଖୋଜି କରିବା ପରେ ମଧ୍ୟ ଶ୍ୱାତୀ ଙ୍କ ଦେଖା ମିଳିନଥିଲା। କାଳେ ନଦୀରେ ବୁଡ଼ି ଯାଇଥିବା ସନ୍ଦେହ କରି ନଦୀ ଭିତରେ ଖୋଜାଖୋଜି ଆରମ୍ଭ କରିଥିଲେ। ନଦୀରେ ବୁଡ଼ି ଯାଇଥିବା ଅବସ୍ଥାରେ ଶ୍ୱାତୀଙ୍କ ମୃତଦେହ ଉଦ୍ଧାର କରିଥିଲେ। ତୁରନ୍ତ ବୈପାରିଗୁଡା ପୁଲିସକୁ ଜଣାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ପୁଲିସ ପ୍ରକାଶ କରିଛି।