କନକ ବ୍ୟୁରୋ : ସୈତାନ ପାଲଟି ଗଲା ସ୍ୱାମୀ । ସ୍ତ୍ରୀକୁ ହତ୍ୟା କରି ମୃତଦେହ ପାଖରେ ଶୋଇପଡିଲା । ପରିବାରିକ କଳହରୁ କଟୁରୀରେ ହାଣି ନୃଶଂସ ଭାବେ ସ୍ତ୍ରୀକୁ ହତ୍ୟା କରିଛି ସ୍ୱାମୀ । ବିଡମ୍ବନାର କଥା ହତ୍ୟାକାଣ୍ଡ ପରେ କିଛି ନଜାଣିବା ପରି ମୃତଦେହ ନିକଟରେ ଚୁପ୍ ଚାପ ଶୋଇପଡ଼ିଥିଲା । ବାପା ହାତରେ ମାଆର ମୃତ୍ୟୁକୁ ଅତି ପାଖରୁ ଦେଖିଛି କୁନି ଝିଅ । ଆଉ ଗଣମାଧ୍ୟମରେ ହତ୍ୟାକାଣ୍ଡ ବେଳର ସବୁ କଥା କହିଛି ନାବାଳିକା ଝିଅ    ।

Advertisment

ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଚାଲନ୍ତି ଗାଁରେ ଘଟିଛି ଏମିତି ଏକ ଜଘନ୍ୟ ହତ୍ୟାକାଣ୍ଡ । କଟୁରୀରେ ହାଣି ନୃଶଂସ ଭାବେ ସ୍ତ୍ରୀକୁ ହତ୍ୟା କରିଛନ୍ତି ଚାଲନ୍ତି ଗାଁର ଅର୍ଜୁନ ଦଣ୍ଡପାଟ । ୧୦ ବର୍ଷ ତଳେ ଜଳେଶ୍ୱର ପଶ୍ଚିମବାଡ଼ ପଂଚାୟତର ଦେବକୁମାର ଗାଁର ଲିଲିଙ୍କୁ ବିବାହ କରିଥିଲେ ଅର୍ଜୁନ ଦଣ୍ଡପାଟ । ବିବାହ ପର ଠାରୁ ସ୍ୱାମୀ ଓ ଶାଶୁ ଘର ଲୋକ ଲିଲିଙ୍କୁ ନିର୍ଯାତନା ଦେଉଥିଲେ । ଦୁଇଟି ଝିଅ ହେବାରୁ ଲିଲିଙ୍କୁ ଭଲ ପାଉନଥିଲେ ଶାଶୁଘର ଲୋକ । ଟଙ୍କା ପାଇଁ ବାରମ୍ବାର ପାଟିତୁଣ୍ଡ ହେଉଥିଲେ ବି ପରିବାରର ସମ୍ମାନକୁ ଜଗି ଶାଶୁଘରେ ରହୁଥିଲେ ଲିଲି । ହେଲେ ସୋମବାର ରାତିର ଟଙ୍କାକୁ ନେଇ ଗଣ୍ଡଗୋଳ ଉଗ୍ରରୂପ ନେଇଥିଲା, ଉତ୍ୟକ୍ତ ହୋଇ କଟୁରୀରେ ଲିଲିଙ୍କୁ ହାଣି ହତ୍ୟା କରିଛନ୍ତି ଅର୍ଜୁନ । ସ୍ତ୍ରୀକୁ ମାରିବା ପରେ କିଛି ନଜାଣିବା ପରି ଘରେ ଶୋଇ ପଡିଥିଲେ ହତ୍ୟାକାରୀ ସ୍ୱାମୀ । ପୁଲିସ ଘଟଣା ବାବଦରେ ଜାଣିବା ପରେ ଅଭିଯୁକ୍ତ ଅର୍ଜୁନଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି ।

କୁନି ଝିଅ ଆଗରେ ମାଆକୁ ମାରି ଦେଇଛି ବାପା । ଯାହା ନାବାଳିକ ଝିଅର ମାନସିକ ସ୍ଥିତିକୁ ଦୋହଲାଇ ଦେଇଛି । ସେପଟେ ପୁଲିସ ମହିଳାଙ୍କ ଶବ ବ୍ୟବଛେଦ ପାଇଁ ପଠାଇବା ସହ ଅଭିଯୁକ୍ତକୁ ଡାକ୍ତରଖାନାକୁ ପଠାଇଛି ।