ଭାଇରାଲ ଭିଡ଼ିଓ ନେଇଗଲା ଜୀବନ ! ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ଭାଇରାଲ ପରେ ଫାଶି ଲଗାଇ ଆତ୍ମହତ୍ୟା କଲେ ଯୁବତୀ

130

କନକ ବ୍ୟୁରୋ : ଭାଇରାଲ ଭିଡ଼ିଓ ନେଇଗଲା ଜୀବନ । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ମୁଣ୍ଡାଗୁଡ଼ା ଗାଁରେ ନାବାଳିକା ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ଭାଇରାଲ ହେବା ପରେ ବେକରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି ଯୁବତୀ । ଭଡ଼ିଓ ଭାଇରାଲ ହେବା ପରେ ଯୁବତୀ ଜଣଙ୍କ ଅପମାନ ସହି ନପାରି ଆତ୍ମହତ୍ୟା କରିଛନ୍ତି । କିଛିଦିନ ପୂର୍ବେ ସେହି ଗାଁର ଜଣେ ଯୁବକ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା । ସେହି ସମୟରେ ଦୁଷ୍କର୍ମର ଭିଡ଼ିଓ ସୁଟିଂ କରି ଯୁବକ ଜଣକ ଏହାକୁ ଭାଇରାଲ କରିଥିବା ଅଭିଯୋଗ କରିଛନ୍ତି ଯୁବତୀଙ୍କ ପରିବାର ଲୋକ ।

ଏନେଇ ମୃତ ଯୁବତୀଙ୍କ ବାପା ଝରିଗାଁ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମୃତଦେହ ଜବତ କରି ବ୍ୟବଛେଦ କରିଛି। ତେବେ ଭିଡ଼ିଓ ଭାଇରାଲ କରିଥିବା ମୁଖ୍ୟ ଅଭିଯୁକ୍ତଙ୍କୁ ଏଯାଏଁ ଧରିପାରିନି ପୋଲିସ । ରାଜ୍ୟରେ ସାଇବର ଅପରାଧ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଛି । କିନ୍ତୁ ତା ସତ୍ତେ୍ୱ ମଧ୍ୟ ଦିନକୁ ଦିନ ଅଧିକ ମାତ୍ରାରେ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡ଼ିଓ ଭାଇରାଲ ହେଉଛି । ଯାହା ପୋଲିସ ପାଇଁ ଏବେ ଚ୍ୟାଲେଞ୍ଜ ପାଲଟିଛି । ଏଭଳି ବାରମ୍ବାର ଭିଡ଼ିଓ ଭାଇରାଲ ହେବା ଘଟଣା ବୁଦ୍ଧିଜୀବୀ ମହଲରେ ଉଦବେଗ ପ୍ରକାଶ ପାଇଛି ।