କନକ ବ୍ୟୁରୋ : କଟକ ଏସସିବି ମେଡିକାଲ କଲେଜରେ ନୂଆ ଜୀବନ ପାଉଛି ନବରଙ୍ଗପୁରର ଝିଅ ମଂଜୁଳା । ନାଗ ସାପ କାମୁଡିବା ପରେ ନବରଙ୍ଗପୁର ବାଲିଝର ଗାଁର ମଂଜୁଳା ଅନ୍ତି ଗୁରୁତର ହୋଇପଡିଥିଲେ । ୯ବର୍ଷର ଛୋଟିଆ ଝିଅଟିର ଗୋଟିଏ ହାତ ସମ୍ପୂର୍ଣ୍ଣ ନଷ୍ଟ ହେବାକୁ ବସିଥିଲା । ଅର୍ଥ ଅଭାବରୁ ପରିବାର ଲୋକ ଝିଅଟିକୁ ଡାକ୍ତରଖାନା ନନେଇ ଘରେ ପକାଇ ରଖିଥିଲେ । ଏହି ଖବର ପ୍ରସାରଣ ପରେ ହସ୍ତକ୍ଷେପ କରିଥିଲା ପ୍ରଶାସନ ।

Advertisment

ଝିଅଟିକୁ ପ୍ରଥମେ ନବରଙ୍ଗପୁର ସଦର ମହକୁମା ହସ୍ପିଟାଲ ଓ ପରେ କଟକ ଏସସିବି ମେଡିକାଲକୁ ପଠାଯାଇଥିଲା । ଏବେ ସେଠାରେ ଧୀରେ ଧୀରେ ସୁସ୍ଥ ହେଉଛି ମଂଜୁଳା । ଗତକାଲି ପ୍ଲାଷ୍ଟିକ ସର୍ଜରୀ ବିଭାଗର ବିଶେଷଜ୍ଞ ପ୍ରାୟ ଅଢେଇ ଘଂଟା ଧରି ତାର ହାତର ଅସ୍ତ୍ରୋପଚାର କରିଛନ୍ତି । ଏସସିବି ପ୍ଲାଷ୍ଟିକ ସର୍ଜରୀ ବିଭାଗ ମୁଖ୍ୟ ଡାକ୍ତର ବିଭୂତି ଭୂଷଣ ନାୟକ କହିଛନ୍ତି, ଝିଅଟିର ହାତ କାଟିବାକୁ ପଡିବ ନାହିଁ । ବରଂ ଫିଜିଓଥେରାପୀ ପରେ ୭୦ରୁ ୮୦ପ୍ରତିଶତ କାର୍ଯ୍ୟକ୍ଷମ ହୋଇପାରିବ ।