ଡ୍ରେନ ପାଇପ ସନ୍ଧିରେ ପଶି ନାବାଳିକା ମୃତ୍ୟୁ ଘଟଣା : କଟକ ମହାନଗର ନିଗମର ୨ ସହକାରୀ ଯନ୍ତ୍ରୀ ନିଲମ୍ବିତ

176

କନକ ବ୍ୟୁରୋ : କଟକ ବକ୍ସ ଡ୍ରେନ ପାଇପ ସନ୍ଧିରେ ପଶି ନାବାଳିକା ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇଛି ନଗର ଉନ୍ନୟନ ବିଭାଗ । ଏହି ମାମଲାରେ ସିଏମସିର ଦୁଇଜଣ ସହକାରୀ ଯନ୍ତ୍ରୀ ସଂଜୀବ କୁମାର ପ୍ରଧାନ ଓ ଦିଲ୍ଲୀପ କୁମାର ସାହୁଙ୍କୁ ସସପେଣ୍ଡ କରାଯାଇଛି । କାର୍ଯ୍ୟରେ ଅବହେଳା ପାଇଁ ଏହି ଦୁଇଜଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ମଂଗଳବାର ୧୭ ବର୍ଷିୟ ଏନ. ମୋହିନୀ ବକ୍ସଡ୍ରେନ୍ ନିର୍ମାଣ ପାଇଁ ଲାଗିଥିବା ପାଇପ୍ ଡେଇଁ ଅସ୍ଥାୟୀ ବ୍ରିଜକୁ ଯାଉଥିଲେ ।

ଏହି ସମୟରେ ସେ ପୋଲ ଓ କଡ଼ରେ ଥିବା ଲୁହା ପାଇପରେ ଚାପି ହୋଇଯାଇଥିଲ । ତାଙ୍କୁ ଗୁରୁତର ଭାବେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ ମୋହିନୀଙ୍କ ପରିବାର ଉପରେ ଦୁଃଖର ପାହାଡ ଖସପଡିଛି । ମୋହିନୀଙ୍କ ବାପା ସାଇକେଲରେ ବୁଲି ବୁଲି ଚପଲ ବିକନ୍ତି । ମା’ ଅନ୍ୟ ଘରେ କାମ କରନ୍ତି । ମୋହିନୀ ଇମର୍ତୀ ଦେବୀ କଲେଜରେ ପାଠ ପଢୁଥିଲେ ।

ଡ୍ରେନ ପାଇପ ତଳେ ଛଟପଟ ହେବା ପରେ ହସପଟିଲାରେ ଆଖିବୁଜିଛନ୍ତି ମୋହିନି । ସୋମବାର ଦିନ ତାଳଦଣ୍ଡା କେନାଲ ଭିତରକୁ କାର୍ ଖସିପଡ଼ିବାରୁ ଜଣଙ୍କ ଜୀବନ ଚାଲିଯାଇଥିଲା । ଆଉ ଏହାର ୨୪ ଘଂଟା ଭିତରେ ଆଉଜଣଙ୍କ ମୃତ୍ୟୁ ହୋଇଛି । ଏବେ ତାରବାଡ ଦେଇ ସଂପୃକ୍ତ ସ୍ଥାନକୁ ଘୋଡାଯାଇଛି । ଗତକାଲିର ଘଟଣା ପରେ ପ୍ରଶ୍ନ ଉଠୁଛି, କଟକରେ ଜାଇକା କାମ ସରିବ କେବେ । ନାବାଳିକା ମୃତ୍ୟୁ ପାଇଁ ଦାୟୀ କିଏ । ଦୁର୍ଘଟଣା ଏଡାଇବାକୁ କାହିଁକି ଆବଶ୍ୟକୀୟ ପଦକ୍ଷେପ ନିଆଯାଇନଥିଲା ।