ପାଣି ପାଇଁ ଜୀବନ ଗଲା । ରାତିରେ ବାରମ୍ବାର ପାଣି ମାଗୁଥିଲେ ମା’, ଗଳାଚିପି ହତ୍ୟା କଲା ନାବାଳକ ପୁଅ ।

1,440

ରାଜଧାନୀ ଦିଲ୍ଲୀରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଅଧ ରାତିରେ ପାଣି ମାଗିବାରୁ ମା’କୁ ହତ୍ୟା କରିଛି ନାବାଳକ ପୁଅ । ଯାହା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି ।

ମିଳିଥିବା ସୂଚନା ମୁତାବକ, ଗ୍ରେଟର ନୋଏଡାର ବାଦଲପୁର ଅଞ୍ଚଳରେ ଗତ ଶନିବାର ଜଣେ ୫୦ ବର୍ଷୀୟ ମହିଳାଙ୍କୁ ଗଳାଚିପି ହତ୍ୟା କରାଯାଇଥିବାର ଖବର ସାମ୍ନାକୁ ଆସିଥିଲା । ଯେଉଁ ସମୟରେ ମହିଳାଙ୍କ ମୃତ୍ୟୁ ହୋଇଥିଲା ସେହି ସମୟରେ ଘରେ କେବଳ ନାବାଳକ ପୁଅ ସାଥୀରେ ଥିଲା । ଏପରିକି ମା’ର ମୃତ୍ୟୁ ଖବର ମଧ୍ୟ ବାପାଙ୍କୁ ଫୋନ୍ କରି ଜଣାଇଥିଲା ପୁଅ ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲା । ଯେହେତୁ ମା’ର ମୃତ୍ୟୁ ସମୟରେ ନାବାଳକ ପୁଅ ପାଖରେ ଥିଲା ତେଣୁ ପୋଲିସ ପ୍ରଥମେ ପୂରା ଘଟଣା ବାବଦରେ ତାଙ୍କୁ ପଚାରିଥିଲା । କିନ୍ତୁ ପୋଲିସକୁ ମିଛ କହିଥିଲା ନାବାଳକ ପୁଅ । ନିଦରେ ଶୋଇଥିବା ବେଳେ ମା’ଙ୍କୁ ହତ୍ୟା କରାଯାଇଥିବା କହି ପୋଲିସକୁ ଭଣ୍ଡାଇବାକୁ ଚେଷ୍ଟା କରିଥିଲା ପୁଅ । କିନ୍ତୁ ପାରିପାଶ୍ୱିକ ପରିସ୍ଥିତି ଦେଖିବା ପରେ ନାବାଳକ ପୁଅ ଉପରେ ପୋଲିସର ସନ୍ଦେହ ହୋଇଥିଲା । ଅଧିକ ପଚରାଉଚରା ପରେ ପୂରା ହତ୍ୟାକାଣ୍ଡର କାହାଣୀ କହିଥିଲା ନାବାଳକ ପୁଅ । ଯାହା ଶୁଣି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ପୋଲିସ ଅଧିକାରୀ ।

ନାବାଳକ ପୁଅର କହିବା ଅନୁଯାୟୀ, ପ୍ରତିଦିନ ଅଧ ରାତିରେ ନିଦରୁ ଉଠାଇ ବାରମ୍ବାର ପାଣି ଓ ତମ୍ବାକୁ ମାଗୁଥିଲେ ମା’ । ମଝି ରାତିରେ ନିଦ ଭାଙ୍ଗିବା ପରେ ଆଉ ଠିକ୍ ସେ ନିଦ ହୋଇପାରୁନଥିଲା । ତେଣୁ ଏଥିରୁ ମୁକ୍ତି ପାଇବା ପାଇଁ ଗଳାଚିପି ମା’ଙ୍କୁ ହତ୍ୟା କରିଥିବା କହିଥିଲା ପୁଅ ।