ବନ୍ଧା ପଡିଛି ଶୈଶବ…କଅଁଳ କାନ୍ଧରେ ପରିବାରର ବୋଝ…ରୋଗୀଣା ବାପାର ଔଷଧ ଓ ନିଜର ପାଠପଢା ଖର୍ଚ୍ଚ ଉଠାଇବାକୁ ରାଜୁ କରୁଛି ଭିକ୍ଷା ବୃତ୍ତି

343

କନକ ବ୍ୟୁରୋ: ବନ୍ଧା ପଡିଛି ଶୈଶବ । କଅଁଳ କାନ୍ଧରେ ପରିବାରର ବୋଝ । ରୋଗୀଣା ବାପାଙ୍କ ଔଷଧ ଏବଂ ନିଜର ପାଠପଢା ଖର୍ଚ୍ଚ ଉଠାଇବା ପାଇଁ ଭିକ୍ଷା ବୃତ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଚଣ୍ଡିଖୋଲ ଅଂଚଳରେ ।

ରୋଶନ ଠାକୁର ଓରଫ ରାଜୁ । ବୟସ ମାତ୍ର ୧୩ ବର୍ଷ । ସପ୍ତମ ଶ୍ରେଣୀରେ ପାଠ ପଢେ । ବାପା ରମେଶ ଠାକୁର (୪୦) ଘର ବିହାରରେ । ତେବେ ରମେଶଙ୍କ ପରିବାର କହିଲେ ପତ୍ନୀ, ଗୋଟିଏ ପୁଅ ଓ ଦୁଇ ଯାଆଁଳା ଝିଅ । ୨୦ବର୍ଷ ତଳୁ ଏମାନେ ସମସ୍ତେ ଚଣ୍ଡିଖୋଲରେ ରୁହନ୍ତି । ଚଣ୍ଡିମନ୍ଦିର ଛକରେ ଥିବା ଏକ ଭଡାଘରେ ରହି ଗୁପଚୁପ ଓ ଆଇସକ୍ରିମ ବିକି ଯାହା ରୋଜଗାର ହୁଏ ସେଥିରେ ରମେଶଙ୍କ ପୂରା ପରିବାର ଚଳେ । ହେଲେ ଦେଢ ବର୍ଷ ତଳେ ରମେଶ ପକ୍ଷାଘାତ ରୋଗରେ ଶିକାର ହୋଇ ଏବେ ରୋଗରେ ଶଢୁଛନ୍ତି । ଅର୍ଥାଭାବରୁ ରମେଶଙ୍କ ଚିକିତ୍ସା ହୋଇପାରୁନାହିଁ । ଏବେ ଔଷଧ ଟିକକ ପାଇଁ ବି ସେମାନଙ୍କ ପାଖରେ କାଣି କଉଁଡିଟିଏ ବି ନାହିଁ । ତେଣୁ ଘରର ଏଭଳି ପରିସ୍ଥିତିକୁ ଦେଖି ଶେଷରେ ଭିକ ମାଗିବାକୁ ବାଧ୍ୟ ହୋଇଛି ରମେଶଙ୍କ ପୁଅ ରୋଶନ । ରମେଶଙ୍କ ପତ୍ନୀ ସଂଜୁ ମାଗି ଯାଚି ସଂସାର ଚଲାଇବା ସହିତ ୩ ପିଲାଙ୍କୁ ପାଠ ପଢାଉଛନ୍ତି । ପୁଅ ରାଜୁ ବାପାଙ୍କ ଦୈନିକ ଔଷଧ ଖର୍ଚ୍ଚ ଓ ନିଜର ଏବଂ ଦୁଇ ଭଉଣୀଙ୍କ ପାଠପଢା ଖର୍ଚ୍ଚ ପାଇଁ ରାଜୁ ବାଧ୍ୟ ହୋଇ ଭିକ୍ଷାବୃତ୍ତି ଭଳି କାମକୁ ଆଦରି ନେଇଛି ।

 

ପ୍ରତିଦିନ ସକାଳ ୭ଟାରୁ ୯ଟା ଯାଏଁ ରାଜୁ ଚଣ୍ଡିଖୋଲ ଛକ, ମହାବିନାୟକ ମନ୍ଦିର ଓ ଦର୍ପଣୀଗଡ ବଜାରକୁ ଯାଇ ବାପାଙ୍କ ରୋଗ ବିଷୟରେ ଲୋକଙ୍କୁ ଜଣାଇ ଭିକ ମାଗୁଛି । ଏହାପରେ ରାଜୁ ଗାଧୋଇ ପାଧୋଇ ବ୍ୟାଗ ଧରି ବାହାରି ପଡୁଛି ସ୍କୁଲକୁ ପାଠପଢିବା ପାଇଁ । ତେବେ ଘରବାଡି ଗୁଣ୍ଠେ ନଥିବା ରମେଶ ଏବେ ଗୋଟିଏ ଭଡାଘରେ ପରିବାର ସହ ରହୁଥିବା ବେଳେ ଏମାନଙ୍କ ଦୁଃଖ ଦେଖି ଘର ମାଲିକର ବି ହୃଦୟ ତରଳି ଯାଇଛି । ଗତ ବର୍ଷେ ହେବ ଘର ମାଲିକ ସେମାନଙ୍କଠାରୁ ଆଉ ଭଡା ବି ନେଉନାହାନ୍ତି । ହେଲେ ଘର ମାଲିକ ସିନା ରମେଶଙ୍କ ପରିବାରର ଦୁଃଖ ବୁଝିପାରି ତାଙ୍କଠାରୁ ଟଙ୍କା ନେଉନାହାଁନ୍ତି କିନ୍ତୁ ଏମାନଙ୍କର ଦୁଃଖ ଏଯାଏଁ ସରକାରଙ୍କ କାନରେ ପଡିଲା ନାହିଁ ।

ଭୋଟ ପରିଚୟ ପତ୍ର କିମ୍ବା ଆଧାର କାର୍ଡ ରହିଥିଲେ ସୁଦ୍ଧା ଏଯାବତ୍ ରମେଶଙ୍କ ପରିବାରକୁ କୌଣସି ପ୍ରକାରର ସରକାରୀ ସହାୟତା ମିଳିନଥିବା କହିଛନ୍ତି ରମେଶଙ୍କ ପତ୍ନୀ ସଂଜୁ । ଖାଲି ସରକାରୀ ସହାୟତା କାହିଁକି ରୋଗୀଣା ସ୍ୱାମୀଙ୍କୁ ବି ଅଦ୍ୟାବଧି ସରକାରୀ ଭତ୍ତା ଯୋଜନାରେ ବି ସାମିଲ କରାଯାଇନଥିବା କହିଛନ୍ତି ସଂଜୁ । ଅତ୍ୟନ୍ତ ଦୁଃଖ ଓ ସମସ୍ୟା ଭିତରେ ରମେଶଙ୍କ ପରିବାର ଲୋକେ ଏବେ ଜୀବନ କାଟୁଛନ୍ତି । ଯଦି ସରକାରଙ୍କ ପକ୍ଷରୁ ରମେଶ ଏବଂ ରମେଶଙ୍କ ପରିବାର ଲୋକଙ୍କୁ ଆର୍ଥିକ ସହାୟତା ମିଳିପାରନ୍ତା ତେବେ ଦାରିଦ୍ର୍ୟ ଜାତନାରେ ଶଢୁଥିବା ଏହି ଚାରି ପ୍ରାଣୀଙ୍କ ଜୀବନ ସୁଧୁରି ଯାଆନ୍ତା ।