କନକ ବ୍ୟୁରୋ : ଢେଙ୍କାନାଳ କାମାକ୍ଷାନଗରରେ ଦନ୍ତା ଆକ୍ରମଣ । ଦନ୍ତା ଆକ୍ରମଣରେ ୪ ବର୍ଷ ଶିଶୁର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ତୁୁମୁସିଙ୍ଗା ଥାନା ମହୁଲଡହର ଗାଁର ଋଷି ଜେରେଇ । ବିଳମ୍ବିତ ରାତିରେ ଶୋଇଥିବା ବେଳେ ଦନ୍ତା ଆକ୍ରମଣ କରିଥିଲା । ଗାଁ ଭିତରକୁ ପଶି ଦନ୍ତା ଶିଶୁକୁ ଦଳିଦେଇଥିଲା । ଗୁରୁତର ଅବସ୍ଥାରେ ସଂପୃକ୍ତ ଶିଶୁର ବାପାକୁ ହସ୍ପିଟାଲରେ ଭର୍ତି କରାଯାଇଛି ।

Advertisment

ସୂଚନାନୁସାରେ, ରସାନନ୍ଦ, ତାଙ୍କ ସ୍ତ୍ରୀ ଓ ପୁଅଙ୍କ ସହ ଘର ବାରଣ୍ଡାରେ ଶୋଇଥିବା ବେଳେ, ହାତୀଟି ଘର ଭିତରକୁ ପଶି ଆସିଥିଲା। ରସାନନ୍ଦ ଓ ତାଙ୍କ ସ୍ତ୍ରୀ ଖସି ପଳାଇଥିବା ବେଳେ,  ଶିଶୁପୁଅକୁ କଚାଡ଼ି ମାରିଥିଲା ଦନ୍ତା। ତେବେ ରସାନନ୍ଦ ଗାଁ ଲୋକଙ୍କୁ ଜଣାଇବା ପରେ, ଗାଁ ଲୋକେ ମିଳିତ ଭାବେ ହାତଟିକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ ।

ତେବେ ହାତୀଟି ଗ୍ରାମର ଆଉ ଚାରିଜଣଙ୍କ ଘର ଭାଙ୍ଗିବା ପରେ ବନ ବିଭାଗ ପହଞ୍ଚି ହାତୀଟି କୁ ଘଉଡ଼ାଇବା ସହ ମୃତ ଶିଶୁର ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଥିଲେ। ସେପଟେ ଏ ନେଇ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଏଣେ ହାତୀ ଉପଦ୍ରବ ବୃଦ୍ଧି ନେଇ ବନ ବିଭାଗ ଉପରେ ଅସନ୍ତୁଷ୍ଟ ଅଛନ୍ତି ଗ୍ରାମବାସୀ ।