କନକ ବ୍ୟୁରୋ: ପାଠ ପଢିବା ସହ ଦୁଇ ଭାଇ ବିକାଶ ଓ ଆକାଶର କଅଁଳ କାନ୍ଧରେ ପରିବାର ବୋଝ । ପରିବାର ପ୍ରତିପୋଷଣ ପାଇଁ ଦୁଇ ଭାଇ ପାଠ ପଢା ସହ ଠେଲା ଗାଡିରେ ବୁଲି ବୁଲି କରୁଛନ୍ତି ଜଳଖିଆ ବିକ୍ରି । ଆଉ ଜଳିଖିଆ ବିକ୍ରି କଲେ ପରିବାର ୫ପ୍ରାଣୀଙ୍କ ପେଟକୁ ମିଳେ ଦାନା । ଏଭଳି କିଛି ଖବର ଆସିଛି ଗଞ୍ଜାମ ବେଗୁନିଆପଡାରୁ ।
ଅସମୟରେ ମୁଣ୍ଡ ଉପରୁ ହଟିଗଲା ବାପାଙ୍କ ହାତ । ୨୦୧୭ରୁ ବାପା ମିନକେତନଙ୍କୁ ଆରପାରିକୁ ନେଇ ଯାଇଥିଲା ଏକ ଅଜଣା ରୋଗ । ଯାହାପରେ ୨ ଭଉଣୀ ଓ ମାଆ ମୁହଁରେ ଦାନା ଦେବା ପାଇଁ ପାଠ ପଢା ବୟସରେ ଠେଲାରେ ଗାଁ ଗାଁ ବୁଲି ଜଳଖିଆ ବିକ୍ରି କରୁଛନ୍ତି ଗଞ୍ଜାମ ବେଗୁନିଆପଡା ବ୍ଲକ କେ.ରାଣୀପଡା ଗାଁର ବିକାଶ ଆଉ ଆକାଶ । ବଡ ଭଉଣୀ ଦଶମ ପରେ ଆଉ ପଢୁନଥିବା ବେଳେ ବେଳେ ସାନ ଭଉଣୀ ଷଷ୍ଠ, ନାବାଳକ ଦୁଇ ପୁଅ ଦଶମ ଓ ନବମ ଶ୍ରେଣୀରେ ପଢୁଛନ୍ତି ।
ଭଙ୍ଗା କୁଡିଆରେ ରହି ପିଲାଙ୍କ ପାଠ ପଢା ସହ ପରିବାର ଚଳାଇବା କୁନିଙ୍କ ପାଇଁ କଷ୍ଟକର ହୋଇପଡିଲା । ମାଆର କଷ୍ଟ ଦେଖି ପରିବାର ପ୍ରତିପୋଷଣ ବୋଝ ଦୁଇ ନାବାଳକ ଭାଇ ବିକାଶ ଓ ଆକାଶ ନିଜ କାନ୍ଧକୁ ନେଇଛନ୍ତି । ମାଆ ଘରେ ବରା, ପିଆଜି, ସିଙ୍ଗଡା ଓ ଘୁଗୁନି ତିଆରି କରି ଦେଉଛନ୍ତି, ଆଉ ସେସବୁକୁ ଠେଲାରେ ଲଦି ଅପରାହ୍ଣ ୩ଟାରୁ ଗାଁ ଗାଁ ବୁଲି ବିକ୍ରି କରନ୍ତି ବିକାଶ ଓ ଆକାଶ । ସକାଳେ ଦୁଇ ଭାଇ ପାଠ ପଢନ୍ତି, ସନ୍ଧ୍ୟା ହେଲେ ଠେଲା ଗାଡି ଧରି ଜଳଖିଆ ବିକିବାକୁ ବାହାରି ପଡନ୍ତି ।
ସରକାରଙ୍କ ପକ୍ଷରୁ କୁନିଙ୍କ ପରିବାରକୁ ରାସନ କାର୍ଡରେ ଚାଉଳ, ୫ଶହ ଟଙ୍କାର ବିଧବା ଭତା ଦିଆଯାଉଛି । ତେବେ ଭଙ୍ଗା ଘରେ ରହୁଥିବାରୁ ପକା ଘରଟିଏ ପାଇଁ ବାରମ୍ବାର ପ୍ରଶାସନିକ ବାବୁଙ୍କୁ ଜଣାଇଥିଲେ ବି କେହି ଶୁଣୁନଥିବା ଅଭିଯୋଗ ହୋଇଛି । ଗରିବ ଲୋକଙ୍କ ପାଇଁ ବହୁ ଯୋଜନା ହୋଇଛି । ହେଲେ କୁନିଙ୍କ ଭଳି ଗରିବ ଅସହାୟଙ୍କ ପାଖରେ ଯୋଜନା ପହଂଚିନପରିବା ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/04/vlcsnap-2021-04-22-16h51m15s049.png)