ଦିଲ୍ଲୀର ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ: ଧ୍ୱଜାବତରଣ ଉତ୍ସବ ସ୍ଥଳରୁ ମାତ୍ର ଦେଢ଼ କି.ମି ଦୂରରେ ଫୁଟିଲା ବୋମା, ଦିଲ୍ଲୀ ପୋଲିସର ତନାଘନା

ବିଜୟ ଚୌକରେ ଉପସ୍ଥିତ ଥିଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ୩ ସେନାର ମୁଖ୍ୟ

83

କନକ ବ୍ୟୁରୋ: ଦିଲ୍ଲୀରେ ଇସ୍ରାଏଲ ଦୂତାବାସ ନିକଟରେ ବିସ୍ଫୋରଣ ପରେ ସୁରକ୍ଷା ଅଧିକ କଡାକଡି କରାଯାଇଛି । ବିଶେଷଜ୍ଞଙ୍କ ମତରେ ଆଇଇଡି ଦ୍ୱାରା ଆତଙ୍କବାଦୀମାନେ ଏପରି ବିସ୍ଫୋରଣକୁ ଘଟାଇଥାନ୍ତି । ଏହାକୁ ଆତଙ୍କବାଦୀମାନେ ମାଟି ତଳେ ରଖିଥାନ୍ତି । ଯାହାକି ସାମାନ୍ୟ ଚାପ ପାଇ ଫାଟି ଉଠେ, ଯେମିତିକି ପାଦ ପଡିଲେ ବା ଗାଡିର ଚକ ଚାଲିଲେ ଏହା ବିସ୍ଫୋରଣ ଘଟେ ।

ସୂଚନା ଅନୁସାରେ ଏନେଇ କୌଣସି କ୍ଷତି ହୋଇନାହିଁ ବୋଲି ଦିଲ୍ଲୀ ପୋଲିସ ତରଫରୁ ସ୍ପଷ୍ଟ କରାଯାଇଛି । କେବଳ ୩ରୁ ୪ଟି କାରର କାଚ କ୍ଷତିଗ୍ରସ୍ତ ହୋଇଛି । ଗତକାଲି ଏ ଘଟଣାଟି ଅପରାହ୍ନ ୫ଟା ବାଜି ୫ ମିନିଟରେ ଘଟିଥିଲା । ଏନେଇ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ଇସ୍ରାଏଲର ବିଦେଶ ମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି । ଏସ ଜୟଶଙ୍କର ଟ୍ୱିଟ କରି ଲେଖିଛନ୍ତି ଯେ ସେ ଇସ୍ରାଏଲର ବିଦେଶ ମନ୍ତ୍ରୀ ଗାବି ଅଶକେନାଜିଙ୍କ ସହ କଥା ହୋଇଛନ୍ତି ଓ ଏ ଘଟଣାକୁ ଗମ୍ଭିରତାର ସହ ନିଆଯାଇଛି । ସେ ଆଉ ମଧ୍ୟ କହିଛନ୍ତି ଯେ, ଇସ୍ରାଏଲ ଦୂତାବାସ ଓ ରାଷ୍ଟ୍ରଦୂତମାନଙ୍କୁ ପୂର୍ଣ୍ଣ ସୁରକ୍ଷା ଦିଆଯିବ ।

ଦିଲ୍ଲୀ ପୋଲିସ ଏହାର ତଦନ୍ତ ଜାରି ରଖିଛି । ଦୋଷୀଙ୍କୁ ଖୋଜିବାରେ ଭାରତ ତାର ସମସ୍ତ ଶକ୍ତିକୁ ଲଗାଇଛି । ତେବେ ବିଶେଷ ଭାବରେ ଭୟ ଖେଳାଇବା ଉଦ୍ଦେଶ୍ୟରେ ଏପରି ବିସ୍ଫୋରଣ ଘଟାଯାଇଥିବା ପ୍ରାଥମିକ ତଦନ୍ତରୁ ସାମ୍ନାକୁ ଆସୁଥିବା ସୂଚନାରୁ ଜଣାପଡିଛି । ଏହି ବିସ୍ଫୋରଣ ପରେ ପରେ ଦିଲ୍ଲୀ ଏବଂ ଉତ୍ତରପ୍ରଦେଶର ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗୁଡିକରେ ସୁରକ୍ଷାକୁ ଅଧିକ କଡାକଡି କରାଯାଇଛି ।