ପରୀ ମୃତ୍ୟୁ ମାମଲାରେ ତଦନ୍ତାକାରୀ ଟିମକୁ ଝଟକା : ନାର୍କୋ ଟେଷ୍ଟ ପାଇଁ ରାଜି ହେଲାନି ନାବାଳକ; ସହମତି ନମିଳିବାରୁ ଅନୁମତି ଦେଲେନି ଜୁଭେନାଇଲ ଜଷ୍ଟିସ ବୋର୍ଡ

186

କନକ ବ୍ୟୁରୋ : ପରୀ ମୃତ୍ୟୁ ମାମଲାରେ ତଦନ୍ତକାରୀ ଟିମକୁ ଝଟକା ଲାଗିଛି । ଅଭିଯୁକ୍ତ ନାବାଳକର ହେବ ନାହିଁ ନାର୍କୋ ଟେଷ୍ଟ । ନାର୍କୋ ଟେଷ୍ଟ ପାଇଁ ରାଜି ହେଲାନି ନାବାଳକ । ସହମତି ନମିଳିବାରୁ ଅନୁମତି ଦେଲେନି ନୟାଗଡ ଜୁଭେଇନାଲ ଜଷ୍ଟିସ ବୋର୍ଡ । ଅଭିଯୁକ୍ତ ନାବାଳକର ନାର୍କୋ ଆନାଲିସିସ ଟେଷ୍ଟ ପାଇଁ ଆବେଦନ କରିଥିଲା ଏସଆଇଟି । ନାବାଳକକୁ ପୁଣି ଅନୁଗୁଳ ବାଳ ସୁଧାର ଗୃହରୁ ପଠାଇ ଦିଆଯାଇଛି । ଆଜି ଜୁଭେଇନାଲ ଜଷ୍ଟିସ ବୋର୍ଡରେ ହାଜର ହୋଇଥିଲେ ପରୀ ମୃତ୍ୟୁ ମାମଲାର ମୁଖ୍ୟ ଅଭିଯୁକ୍ତ ନାବାଳକ ।

ଅନୁଗୁଳ ବାଳ ସୁଧାର ଗୃହରୁ ଆଣି ନାବାଳକକୁ ହାଜର କରାଯାଇଥିଲା ନୟାଗଡ ପୁଲିସ । ଗତ ୫ ତାରିଖରେ ଅଭିଯୁକ୍ତର ନାର୍କୋ ଆନାଲିସସ ଟେଷ୍ଟ ପାଇଁ ଏସଆଇଟି ଆବେଦନ କରିଥିଲା । ତେବେ ନାର୍କୋ ଟେଷ୍ଟ ପାଇଁ ନାବାଳକ ରାଜି ନହେବାରୁ ଅନୁମତି ଦେଲେନି ନୟାଗଡ ଜୁଭେଇନାଲ ଜଷ୍ଟିସ ବୋର୍ଡ । ପରୀ ମୃତ୍ୟୁର ଅଭିଯୁକ୍ତକୁ ଏସଆଇଟି ପ୍ରଥମେ ନୟାଗଡ ପୋକ୍ସୋ କୋର୍ଟରେ ହାଜର କରାଇଥିବାବେଳେ ନାବାଳକ ଦର୍ଶାଇ ମାମଲା ଜୁଭେଇନାଲ ଜଷ୍ଟିସ ବୋର୍ଡକୁ ସ୍ଥାନାନ୍ତର କରାଯାଇଥିଲା । ଜୁଭେଇନାଲ କୋର୍ଟ ଗତ ୫ ତାରିଖରେ ଅଭିଯୁକ୍ତକୁ ଅନୁଗୁଳ ବାଳସୁଧାର ଗୃହକୁ ପଠାଇଥିଲେ ।