ବିଶ୍ୱ କ୍ଷୁଧା ରିପୋର୍ଟକୁ ତ୍ରୁଟିପୂର୍ଣ୍ଣ ଦର୍ଶାଇଲା ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରାଳୟ: ସଂସ୍ଥା ଠିକ୍ ତଥ୍ୟ ଦେଇନଥିବା ଅଭିଯୋଗ

45

କନକ ବ୍ୟୁରୋ: ଅକ୍ଟୋବର ୧୪ ତାରିଖରେ ପ୍ରକାଶ ପାଇଥିବା ବିଶ୍ୱ କ୍ଷୁଧା ରିପୋର୍ଟକୁ ଭୁଲ ଦର୍ଶାଇଲା ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ । ଆୟରଲ୍ୟାଣ୍ଡର ସର୍ବେକ୍ଷଣ ସଂସ୍ଥା ‘କନ୍ସର୍ନ ୱାଲ୍ଡ ୱାଇଡ’ ଏବଂ ଜର୍ମାନୀର ‘ୱେଲ୍ଟ ହଙ୍ଗର ହିଲ୍ଫେ’ ତରଫରୁ କରାଯାଇଥିବା ଗ୍ଲୋବାଲ ହଙ୍ଗର ଇନ୍ଡେକ୍ସ ରେ ଭୁଲ ତଥ୍ୟ ଥିବା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି । ରିପୋର୍ଟ ଉପରେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ନିମ୍ନ ବିବୃତି ଜାରି କରାଯାଇଛି । “ପୁଷ୍ଟିହୀନ ଜନସଂଖ୍ୟାଙ୍କ ଭାଗ ଉପରେ ଏଫଏଓର ଆକଳନକୁ ଆଧାର କରି ବିଶ୍ୱ କ୍ଷୁଧା ରିପୋର୍ଟ ୨୦୨୧ରେ ଭାରତର ମାନ୍ୟତା ନିମ୍ନକୁ ହ୍ରାସ କରାଯିବା ଅତ୍ୟନ୍ତ ଆଶ୍ଚର୍ଯ୍ୟର ବିଷୟ । ଏହି ରିପୋର୍ଟର ବାସ୍ତବତା ଏବଂ ତଥ୍ୟ ସନ୍ଦିହାନ ଏବଂ ଏହାର ସର୍ବେକ୍ଷଣରେ ଗମ୍ଭୀର ପଦ୍ଧତିଗତ (ମେଥଡୋଲୋଜିକାଲ୍) ତ୍ରୁଟି ରହିଛି । ବିଶ୍ୱ କ୍ଷୁଧା ରିପୋର୍ଟ ପ୍ରକାଶ କରିଥିବା କନସର୍ନ ୱାର୍ଲ୍ଡ ୱାଇଡ୍ ଏବଂ ୱେଲ୍ଟ ହଙ୍ଗର ହିଲ୍ଫେ ସଂସ୍ଥା ଏହି ରିପୋର୍ଟ ପ୍ରକାଶ କରିବା ପୂର୍ବରୁ ଉପଯୁକ୍ତ ତଥ୍ୟ ପ୍ରତି ଧ୍ୟାନ ଦେଇନାହାନ୍ତି ।

ଏଫଏଓ ପକ୍ଷରୁ ଉପଯୋଗ କରାଯାଇଥିବା ପଦ୍ଧତି ଅବୈଜ୍ଞାନିକ । ‘ଚାରିଟି ପ୍ରଶ୍ନ’ ଆଧାରିତ ମତ ସଂଗ୍ରହର ଫଳାଫଳକୁ ଆଧାର କରି ସେମାନେ ରିପୋର୍ଟ ପ୍ରସ୍ତୁତ କରିଛନ୍ତି, ଯାହାକୁ ଗ୍ୟାଲଅପ୍ ଦ୍ୱାରା ଟେଲିଫୋନ ମାଧ୍ୟମରେ ସଂଗ୍ରହ କରାଯାଇଛି । ପୁଷ୍ଟିହୀନ ଜନସଂଖ୍ୟାର ବୈଜ୍ଞାନିକ ହିସାବ ନିମନ୍ତେ ଲୋକମାନଙ୍କର ଓଜନ ଏବଂ ଉଚ୍ଚତା ମାପିବାକୁ ହୋଇଥାଏ । ମାତ୍ର ଏହି ରିପୋର୍ଟରେ ଗ୍ୟାଲଅପ୍ ପକ୍ଷରୁ ସମ୍ପୂର୍ଣ୍ଣ ଟେଲିଫୋନ ମାଧ୍ୟମରେ ସଂଗ୍ରହ କରାଯାଇଥିବା ତଥ୍ୟକୁ ଆକଳନର ପଦ୍ଧତି ଭାବେ ଗ୍ରହଣ କରାଯାଇଛି । କୋଭିଡ ସମୟରେ ଭାରତ ସରକାର ସମ୍ପୂର୍ଣ୍ଣ ଜନସଂଖ୍ୟାର ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ଲାଗି ବ୍ୟାପକ ଅଭିଯାନ କରିଥିଲେ । ଏହାର ଯାଞ୍ଚଯୋଗ୍ୟ ତଥ୍ୟ ଉପଲବ୍ଧ ରହିଛି । ମାତ୍ର ରିପୋର୍ଟରେ ସରକାରଙ୍କ ଏହି ପ୍ରୟାସକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଇଛି । ସରକାରଙ୍କ ପକ୍ଷରୁ କିମ୍ବା ଅନ୍ୟ କୌଣସି ସୂତ୍ରରୁ କୌଣସି ପ୍ରକାରର ଖାଦ୍ୟ ସହାୟତା ଯୋଗାଇ ଦିଆଯାଇଛି କି ନାହିଁ ସେ ସମ୍ପର୍କରେ ଏହି ମତ ସଂଗ୍ରହରେ ଗୋଟିଏ ହେଲେ ପ୍ରଶ୍ନ ନାହିଁ । ଏହି ମତ ସଂଗ୍ରହରେ ଭାରତ ଏବଂ ଅନ୍ୟ ଦେଶ ପାଇଁ ପ୍ରତିନିଧିତ୍ୱକୁ ନେଇ ସନ୍ଦେହ ରହିଛି ।

ଏଫଏଓ ରିପୋର୍ଟରେ ‘ବିଶ୍ୱରେ ଖାଦ୍ୟ ସୁରକ୍ଷା ଏବଂ ପୁଷ୍ଟିସାଧନର ସ୍ଥିତି ୨୦୨୧’ରେ ଆହୁରି ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ପ୍ରଦାନ କରାଯାଇଛି । ଏଥିରେ କୁହାଯାଇଛି କୋଭିଡ-୧୯ ମହାମାରୀ ଜନିତ ଚାକିରି ହରାଇବା, ବ୍ୟବସାୟିକ କ୍ଷତି ଏବଂ ଆୟ ହ୍ରାସର କୌଣସି ପ୍ରଭାବ ଏହି କ୍ଷେତ୍ରର ଅନ୍ୟ ଚାରିଟି ଦେଶ ଆଫଗାନିସ୍ତାନ, ବାଂଲାଦେଶ, ନେପାଳ ଓ ଶ୍ରୀଲଙ୍କା ଉପରେ ପଡ଼ିନାହିଁ । ବରଂ ଏହି ଦେଶଗୁଡ଼ିକର ‘ପୁଷ୍ଟିହୀନ ଜନସଂଖ୍ୟା ଭାଗ’ରେ ୨୦୧୭-୧୯ ତୁଳନାରେ ୨୦୧୮-୨୦ରେ ଯଥାକ୍ରମେ ୪.୩%, ୩.୩%, ୧.୩% ଏବଂ ୦.୮ ପ୍ରତିଶତ ସୁଧାର ଆସିଛି । ଏହି ତଥ୍ୟକୁ ନେଇ ସନ୍ଦେହ ଓ ପ୍ରଶ୍ନବାଚୀ ରହିଛି ।