ମହିଳାଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି । ଦେଶର ସବୁ ଥାନାରେ ରହିବ ‘ମହିଳା ଡେସ୍କ’

261

କନକ ବ୍ୟୁରୋ: ମହିଳାଙ୍କ ସୁରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି । ଦେଶର ସବୁ ଥାନାରେ ରହିବ ମହିଳା ଡେସ୍କ । ମହିଳାଙ୍କ ସୁରକ୍ଷା ଓ ସେମାନଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ଦୃଷ୍ଟିରେ ରଖି ଏଭଳି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଦେଶରେ ଦିନକୁ ଦିନ ନାରୀଙ୍କ ପ୍ରତି ହେଉଥିବା ଅପରାଧ ମୁଣ୍ଡ ବିନ୍ଧାର କାରଣ ହୋଇଥିବା ବେଳେ ନାରୀଙ୍କୁ ସୁରକ୍ଷା ସମାଜ ଓ ସରକାର ପାଇଁ ଏକ ବଡ ଚାଲେଞ୍ଜ ହୋଇଛି । ଆଉ ଠିକ ଏତିକି ବେଳେ ଏମିତି ଏକ ବଡ ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର ।

ତେବେ ପ୍ରତି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସମସ୍ତ ଥାନାରେ ମହିଳା ଡେସ୍କ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଏହା ସହ ‘ନିର୍ଭୟା’ ଫଣ୍ଡକୁ ୧୦୦ କୋଟି ଟଙ୍କା ମଞ୍ଜୁର କରିଛି ଗୃହ ମନ୍ତ୍ରଣାଳୟ । ହାଇଦ୍ରାବାଦ ଓ ଉନ୍ନାଓର ଦୁଷ୍କର୍ମ ଘଟଣାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିବାଦ ଚାଲିଥିବା ବେଳେ ମହିଳାଙ୍କ ସୁରକ୍ଷା ଓ ସହାୟତା ନେଇ କେମିତି ଅଧିକ ଉପଯୋଗୀ ହୋଇପାରିବ ସେନେଇ ବ୍ୟବସ୍ଥା କରିବାକୁ କୁହାଯାଇଛି ।

ଏପରିକି ଏସବୁ ମହିଳା ସହାୟତା କେନ୍ଦ୍ରରେ ମହିଳା ପୋଲିସ ଅଧିକାରୀଙ୍କୁ ମୁତୟନ କରିବାକୁ ବାଧ୍ୟତାମୂଳକ କରାଯାଇଛି । ଏଥିସହ ସଂପୃକ୍ତ ମହିଳା ଡେସ୍କରେ ଅଭିଯୋଗକାରିଣୀଙ୍କ ସହାୟତା ପାଇଁ ଆଇନଜୀବୀ, ମନସ୍ତତ୍ୱବିତ୍ ଏବଂ ଏନଜିଓଙ୍କୁ ସଂପୃକ୍ତ କରିବାକୁ କୁହାଯାଇଛି । ଯେଉଁମାନେ ପୀଡିତାଙ୍କୁ ଆଇନଗତ ସହଯୋଗ ଯୋଗାଇବା ସହ ସେମାନଙ୍କ କାଉନସେଲିଂ ଏବଂ ରହିବା ବ୍ୟବସ୍ଥା କରିପାରିବେ ।