ଏକ ଲିଟର ପେଟ୍ରୋଲ ଓ ଡିଜେଲରୁ କେତେ ଟଙ୍କା ଟ୍ୟାକ୍ସ ପାଉଛନ୍ତି କେନ୍ଦ୍ର ସରକାର । ପଢନ୍ତୁ, କଣ କହିଲା ଅର୍ଥ ମନ୍ତ୍ରାଳୟ…

1,247

କନକ ବ୍ୟୁରୋ: ପେଟ୍ରୋଲ ଓ ଡିଜେଲର ବଢୁଥିବା ଦାମ ଏବେ ସାଧାରଣ ଲୋକଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ତେଲ ରେଟ୍ ଅଧିକାଂଶ ସ୍ଥାନରେ ଏବେ ବି ଶହେ ଉପରେ ଥିବାବେଳେ, ଲୋକମାନେ ବର୍ଦ୍ଧିତ ତେଲ ଦରକୁ ନେଇ ଅସନ୍ତୋଷ ଅଛନ୍ତି । କେନ୍ଦ୍ର ସରକାର କିଛି ଦିନ ତଳେ ଲୋକମାନଙ୍କୁ ଦୀପାବଳି ଭେଟି ଦେବା ସହିତ ଏଥିରୁ କିଛି ପରିମାଣରେ ଏକ୍ସସାଇଜ୍ ଡ୍ୟୁଟି କମାଇଛନ୍ତି । ଏହାସତ୍ତେ୍ୱ ମଧ୍ୟ ଦେଶର ଅଧିକାଂଶ ସ୍ଥାନରେ ଏବେ ବି ପଟ୍ରୋଲ ରେଟ୍ ଶହେ ଉପରେ ରହିଛି । ଯାହାକୁ ନେଇ ଶୀତ ଅଧିବେଶନରେ ମଧ୍ୟ ବିରୋଧୀ ସରକାରଙ୍କୁ ଘେରିବା ସହିତ ଗୋଟିଏ ଲିଟର ପେଟ୍ରୋଲ କିମ୍ବା ଡିଜେଲରୁ ସରକାରଙ୍କ ପକେଟକୁ କେତେ ଟଙ୍କା ଯାଉଛି ସେନେଇ ପ୍ରଶ୍ନ ପଚାରିଛନ୍ତି ।

ସୋମବାର ଶୀତ ଅଧିବେଶନର ପ୍ରଥମ ଦିନରେ ଟିଏମସି ସାଂସଦ ମଲା ରୟ ଏନେଇ ସରକାରଙ୍କୁ ପ୍ରଶ୍ନ କରିଥିଲେ । ଗୋଟିଏ ଲିଟର ପେଟ୍ରୋଲ, ଡିଜେଲରୁ ସରକାରଙ୍କୁ କେତେ ଟ୍ୟାକ୍ସ ମିଳୁଛି ସେନେଇ ସାଂସଦ ଜଣକ ପ୍ରଶ୍ନ କରିଥିଲେ । ଏହାର ଜବାବରେ କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତ୍ରାଳୟ ଏନେଇ ଉତ୍ତର ରଖିଛି । ଅର୍ଥ ମନ୍ତ୍ରାଳୟ ଦେଇଥିବା ଉତ୍ତର ମୁତାବକ, କେନ୍ଦ୍ର ସରକାର ଏକ୍ସସାଇଜ୍ ଡ୍ୟୁଟି ବାବଦକୁ ପ୍ରତି ଲିଟର ପେଟ୍ରୋଲରେ ୨୭ ଟଙ୍କା ୯୦ ପଇସା ଓ ଡିଜେଲରୁ ୨୧ ଟଙ୍କା ୮୦ ପଇସା ପାଉଛନ୍ତି ।

ପ୍ରତି ଲିଟର ପେଟ୍ରୋଲରୁ ସରକାରଙ୍କୁ ମିଳୁଥିବା ଟ୍ୟାକ୍ସ

  • ବେସିକ୍ ଏକ୍ସସାଇଜ୍ ଡ୍ୟୁଟି – ୧ ଟଙ୍କା ୪୦ ପଇସା
  • ସ୍ପେଶାଲ ଆଡିସିନାଲ ଏକ୍ସସାଇଜ୍ ଡ୍ୟୁଟି – ୧୧ ଟଙ୍କା
  • ଅତିରିକ୍ତ ଉତ୍ପାଦ ଶୁଳ୍କ – ୧୩ ଟଙ୍କା
  • କୃଷି ସେସ୍ – ୨ ଟଙ୍କା ୫୦ ପଇସା

ପ୍ରତି ଲିଟର ଡିଜେଲରୁ ସରକାରଙ୍କୁ ମିଳୁଥିବା ଟ୍ୟାକ୍ସ

  • ବେସିକ୍ ଏକ୍ସସାଇଜ୍ ଡ୍ୟୁଟି – ୧ ଟଙ୍କା ୮୦ ପଇସା
  • ସ୍ପେଶାଲ ଆଡିସିନାଲ ଏକ୍ସସାଇଜ୍ ଡ୍ୟୁଟି – ୮ ଟଙ୍କା
  • ଅତିରିକ୍ତ ଉତ୍ପାଦ ଶୁଳ୍କ – ୮ ଟଙ୍କା
  • କୃଷି ସେସ୍ – ୪ ଟଙ୍କା

ସୂଚନାଯୋଗ୍ୟ ଯେ,ଗତବର୍ଷ କରୋନା ସଙ୍କଟ ଭିତରେ ଅଶୋଧିତ ତେଲ ଦାମ କମିଥିଲେ ମଧ୍ୟ ଏକ୍ସସାଇଜ୍ ଡ୍ୟୁଟି ବୃଦ୍ଧି କରିଥିଲେ କେନ୍ଦ୍ର ସରକାର । ସେହି ସମୟରେ ପେଟ୍ରୋଲ ଲିଟର ପ୍ରତି ଦାମ ୧୩ ଟଙ୍କା ବୃଦ୍ଧି କରାଯାଇଥିବାବେଳେ, ଡିଜେଲ ଲିଟର ପ୍ରତିଦାମ ୧୬ ଟଙ୍କା ବୃଦ୍ଧି କରାଯାଇଥିଲା । ବର୍ତ୍ତମାନ କେନ୍ଦ୍ର ସରକାର ପ୍ରତି ଲିଟର ପେଟ୍ରୋଲରେ ୨୭.୯୦ ଟଙ୍କା ପାଉଥିବାବେଳେ, ପ୍ରତି ଲିଟର ଡିଜେଲରେ ୨୧.୮୦ ଟଙ୍କା ଏକ୍ସସାଇଜ୍ ଡ୍ୟୁଟି ପାଉଛନ୍ତି ।