ସେନାରେ ସାମିଲ ହେବ ୧୧୮ ଅର୍ଜୁନ କମାଣ । ୭,୫୨୩ କୋଟିର ବ୍ୟୟ ବରାଦ

98

କନକ ବ୍ୟୁରୋ: ଭାରତୀୟ ସେନାର ସାମର୍ଥ୍ୟ ବୃଦ୍ଧି କରିବାକୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ପ୍ରତିରକ୍ଷା ବିଭାଗ । ସୋରେ ସାମିଲ କରିବାକୁ ୧୧୮ ଟି ଅର୍ଜୁନ ଯୁଦ୍ଧ କମାଣ କିଣିବାକୁ ୭,୫୨୩ କୋଟି ବ୍ୟୟ ବରାଦ ସହ ଏକ ଚୁକ୍ତିନାମା କରିଛି ବିଭାଗ । ଅର୍ଜୁନ ଏମ କେ-୧ କମାଣ ନିର୍ମାଣ ପାଇଁ ପ୍ରତିରକ୍ଷା ବିଭାଗ ଚେନ୍ନାଇ ସ୍ଥିତ ହେଭି ଭେଇକିଲ୍ସ ଫ୍ୟାକ୍ଟ୍ରି (ଏଚଭିଏଫ୍) ସହ ଚୁକ୍ତି କରିଛନ୍ତି । ଏହି ପ୍ରୋଜେକ୍ଟ ଭାରତର ମେକ୍ ଇନ୍ ଇଣ୍ଡିଆ ଅଭିଯାନକୁ ଆଗେଇ ନେଇ ଆତ୍ମନିର୍ଭର ଭାରତକୁ ସଫଳ କରିବାରେ ବିଶେଷ ସହାୟକ ହେବ । ଏଥିରେ ଏଥିରେ ୨ଶହ ସଂସ୍ଥା ଉପକୃତ ହେବା ସହ ପାଖାପାଖି ୮୦୦୦ ଲୋକଙ୍କ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ଅର୍ଜୁନ- ୧ ଚେନ୍ନାଇର ସେଣ୍ଟ୍ରାଲ ଭେଇକିଲ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ (ସିଭିଆରଡିଇ) ଦ୍ୱାରା ବିକଶିତ ହୋଇଛି । ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆରଡିଓ) ଓ ଓଏଫବିର ହେଭି ଭେଇକିଲ ଫ୍ୟାକ୍ଟ୍ରି (ଏଚଭିଏଫ)ର ମିଳିତ ସହଯୋଗରେ ଏହି କମାଣ ସବୁ ନିର୍ମାଣ କରାଯିବ ବୋଲି ଏକ ବିବୃତ୍ତିରେ କୁହାଯାଇଛି ।ଏଥିରେ ସଂଯୋଗ କରାଯାଇଛି ୭୨ଟି ନୂତନ ବୈଶିଷ୍ଟ୍ୟ। ଏଥିରେ ବ୍ୟବହୃତ ସ୍ବଦେଶୀ ବୈଷୟିକ ଜ୍ଞାନକୌଶଳ ‘ଏମ୍‌କେ-୧’ କିସମ କମାଣ ଠାରୁ ଅଧିକ।ଉପରୋକ୍ତ କମାଣ ସବୁପ୍ରକାର ଭୂଇଁରେ ଅନାୟାସରେ ଚଳାଚଳ କରିବା ସହ ଦିନ ଓ ରାତିରେ ସମାନ ଧରଣର କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରିବ ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ କହିଛି।ସମ୍ପ୍ରତି ଭାରତୀୟ ସେନାରେ ନିୟୋଜିତ ହୋଇଥିବା ମୁଖ୍ୟ ଯୁଦ୍ଧ କମାଣ ‘ଅର୍ଜୁନ ଏମ୍‌ବିଟି’ରେ ବ୍ୟାପକ ଉନ୍ନତିକରଣ କରି ‘ଡିଫେନ୍‌ସ୍‌ ରିସର୍ଚ ଆଣ୍ଡ୍‌ ଡେଭ୍‌ଲପ୍‌ମେଣ୍ଟ୍‌ ଅର୍ଗାନାଇଜେସନ୍‌’ (ଡିଆର୍‌ଡିଓ) ଏହାର ‘ଡିଜାଇନ୍‌’ ଓ ବିକାଶ କରିଛି।ଏହା ଋଷିୟ ଟି-୯୦ କମାଣ ସହ ସମକକ୍ଷ ।