ହିସାବ ପୂର୍ବରୁ ହୃତକମ୍ପନ । ରିପୋର୍ଟ ଦେବେ ମନ୍ତ୍ରୀ, ନମ୍ବର ଦେବେ ମୁଖ୍ୟମନ୍ତ୍ରୀ ।

408

କନକ ବ୍ୟୁରୋ : ସାତ ଆସୁଛି, ନିଦ ହଜିଛି । ହିସାବ ଦେବା ପୂର୍ବରୁ ହାର୍ଟବିଟ ବଢୁଛି । କାରଣ ଆସନ୍ତା ୭ରେ ମୁଖ୍ୟମନ୍ତ୍ରୀଙ୍କୁ ନିଜ ଦକ୍ଷତାର ପ୍ରମାଣପତ୍ର ଦେବେ ମନ୍ତ୍ରୀ । ଦାୟିତ୍ୱ ନେବା ପରେ କେତେ କାମ ହୋଇଛି, ଲୋକେ ଏହାର କେତେ ସୁଫଳ ପାଇଛନ୍ତି । ଏନେଇ ବିଭାଗୱାରୀ ରିପୋର୍ଟ ଦେବେ ମନ୍ତ୍ରୀ । ଆଉ ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ ନିଜେ ଦେଖିବେ ମୁଖ୍ୟମନ୍ତ୍ରୀ । ଆଉ ରିପୋର୍ଟ କାର୍ଡ ଆଧାରରେ ମନ୍ତ୍ରୀଙ୍କୁ ନମ୍ବର ଦେବେ ଖୋଦ ଟିମର ମୁଖିଆ ନବୀନ ।

ପଞ୍ଚମ ପାଳିରେ ନବୀନଙ୍କ ନୂଆ ଟିମରେ ଅନେକ ପୁରୁଣା ମୁହଁ ଥିବା ବେଳେ ନୂଆ ମୁହଁଙ୍କ ସଂଖ୍ୟା ମଧ୍ୟ କମ ନୁହେଁ । ଆଉ ଏହି ନୂଆ ଟିମକୁ ନେଇ କାମ କରିବାର ଗୋଟିଏ ମାସ ବିତିସାରିଛି । ଆଉ ଏହି ଗୋଟିଏ ମାସ ମଧ୍ୟରେ ଲୋକଙ୍କ ସମସ୍ୟା ସମାଧାନ କରିବାରେ କିଏ ସଫଳ ହୋଇଛି ଓ କିଏ ଫେଲ୍ ମାରିଛି ତାହାର ବିଭାଗୱାରୀ ରିପୋର୍ଟ କାର୍ଡ ଦେଖିବେ ନବୀନ । ସମୀକ୍ଷାର ସମୟ ଯେତିକି ପାଖେଇ ଆସୁଛି, ନେତାଙ୍କ ହାର୍ଟବିଟ୍ ମଧ୍ୟ ସେତିକି ବଢୁଛି । ଆଉ ଏସବୁ ଭିତରେ ଆସନ୍ତା ୭ ତାରିଖର ରିପୋର୍ଟ କାର୍ଡ ପାଇଁ ନିଜ ବିଭାଗର ସଚିବ ମାନଙ୍କୁ ଧରି ରୋଡମ୍ୟାପ୍ ପ୍ରସ୍ତୁତ କରୁଛନ୍ତି ମନ୍ତ୍ରୀ । ଗୋଟିଏ ମାସର ପ୍ରାକ୍ଟିକାଲ ପରେ ଏବେ ସୁପ୍ରିମୋ ନେବେ ସାକ୍ଷାତକାର ।

ପଞ୍ଚମ ପାଳି ସରକାରର ଗୋଟିଏ ମାସ ମଧ୍ୟରେ ନବୀନଙ୍କ ଟିମ ସଦସ୍ୟଙ୍କୁ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିଛି ।ମନ୍ତ୍ରୀ ପଦ ମିଳିବାର କିଛି ଦିନ ପର୍ଯ୍ୟନ୍ତ ଅନେକ ମନ୍ତ୍ରୀଙ୍କୁ ବାସଭବନ କିମ୍ବା କାର୍ଯ୍ୟାଳୟ ମିଳିପାରିନଥିଲା । ଯେଉଁଥିପାଇଁ ଅନେକ ମନ୍ତ୍ରୀ ନିଜ ଘରୁ ହିଁ ବିଭାଗର କାମ ତଦାରଖ କରୁଥିଲେ । କାରଣ ନବୀନଙ୍କ ସ୍କାନରରେ ରହିଥିଲେ ପୂରା ଟିମ୍ । ଏହାଛଡା ମୁଖ୍ୟମନ୍ତ୍ରୀଙ୍କ ମନ ଜିଣିବା ପାଇଁ ଗ୍ରାଉଣ୍ଡରେ ପହଞ୍ଚିବାକୁ ପଛାଇନାହାନ୍ତି ନବୀନଙ୍କ ନୂଆ ଟିମର ସଦସ୍ୟ । ଆବଶ୍ୟକସ୍ଥଳେ ସମସ୍ତଙ୍କୁ ଚମକାଇ ଦେବା ଭଳି ନିଷ୍ପତି ନେଇଛନ୍ତି ନବୀନଙ୍କ ମନ୍ତ୍ରୀ ।

ପଞ୍ଚମ ଥର ପାଇଁ ବିଶ୍ୱାସ କରି ଜନତା ଶାସନ କ୍ଷମତାରେ ବସାଇଥିବାରୁ ନବୀନଙ୍କ ଗୁରୁଦାୟିତ୍ୱ ମଧ୍ୟ ବଢିଯାଇଛି । ସରକାର ଗଠନ ଆରମ୍ଭରୁ ହିଁ ସଶକ୍ତ ଓଡିଶା ଗଠନ ଉପରେ ଗୁରୁତ୍ୱ ଦେଇଛନ୍ତି ନବୀନ । ଏପରିକି ଗରିବୀ ଦୂର କରିବା, ମହିଳା ମାନଙ୍କର ବିକାଶ, ଯୁବକ ମାନଙ୍କ ସ୍ୱପ୍ନର ସଫଳ ରୂପାୟନ ଜରିଆରେ ସଶକ୍ତ ଓଡିଶା ଗଠନ ଉପରେ ଜୋର ଦେଇଛନ୍ତି ନବୀନ । ଆଉ ଏଥିପାଇଁ ସରକାର ଗଠନର ପ୍ରଥମ ଦିନରେ ହିଁ ୫ଟି ଫର୍ମୁଲା ଉପରେ କାମ କରିବାକୁ ମନ୍ତ୍ରୀ ମାନଙ୍କୁ ପରାମର୍ଶ ଦେଇଥିଲେ ନବୀନ । ମନ୍ତ୍ରୀ ମାନେ ଏବେଠୁ ନିଜର ଶ୍ରେଷ୍ଠ ଉଦ୍ୟମ କରନ୍ତୁ ଯାହାଦ୍ୱାରା ୨୦୨୦ ମେ ୨୯ ସରକାର ଗଠନର ପ୍ରଥମ ବର୍ଷରେ ଇସ୍ତାହାର କାର୍ଯ୍ୟକାରୀ ଓ ଏହାର ସଫଳ ରୂପାୟନ ସର୍ମ୍ପକରେ ଆମେ ଲୋକଙ୍କୁ ଜଣାଇପାରିବୁ ବୋଲି କହିଥିଲେ ନବୀନ । ଆଉ ଏଥିପାଇଁ ପ୍ରତି ବିଭାଗୱାରୀ ମନ୍ତ୍ରୀଙ୍କ କାର୍ଯ୍ୟ ଉପରେ ଫୋକସ କରିଥିଲେ ନବୀନ । ତେଣୁ ପ୍ରତି ମାସରେ ମନ୍ତ୍ରୀ ମାନଙ୍କୁ ନିଜ ବିଭାଗୱାରୀ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଆଉ ଏସବୁ ଭିତରେ ଗୋଟିଏ ମାସ ମଧ୍ୟରେ ନିଜ ବିଭାଗର କାର୍ଯ୍ୟ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ମନ କିଏ ଜିତିବ ତାହା ଦେଖିବା ବାକି ରହିଲା ।