ପଦାରେ ପଡିଲା ଦଳୀୟ କନ୍ଦଳ । ନେତାଙ୍କ ଭଉଣୀକୁ ମିଳିଲାନି ଟିକେଟ୍ ।

248

କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲାରେ ଜିଲ୍ଲା ପରିଷଦ ଆସନ ନିମନ୍ତେ ବିଜେପି ପକ୍ଷରୁ ଟିକେଟ୍‌ ବଣ୍ଟନ ଚୂଡ଼ାନ୍ତ ହୋଇଛି। ଏହି ଟି‌େକଟ୍‌ ବଣ୍ଟନ ପରେ ବିଜେପିରେ ଗୋଷ୍ଠୀ କନ୍ଦଳ ସାମ୍‌ନାକୁ ଆସିଛି। ଚିକିତ୍ସାଧୀନ ପାଇଁ ଅନୁପସ୍ଥିତ ଥିବା ରାଜ୍ୟ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକଙ୍କ ଭଉଣୀ ତଥା ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀଙ୍କୁ ମଧ୍ୟ ଟିକେଟ୍‌ ମିଳିନାହିଁ। ଏହାକୁ ନେଇ ପ୍ରଦୀପ୍ତଙ୍କ ସମର୍ଥକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଗୁୁରୁବାର ସନ୍ଧ୍ୟାରେ ବିଜେପି ପକ୍ଷରୁ ୩୬ଟି ଜୋନ୍‌ ପାଇଁ ପ୍ରାର୍ଥୀମାନଙ୍କ ତାଲିକା ଘୋଷଣା କରାଯାଇଛି। ତାଲିକା ଘୋଷଣା ହେବାପରେ ଜୁନାଗଡ଼ ବ୍ଲକ୍‌ ଜୋନ୍‌ ୪ ଦାସିଗାଁ ଜିଲ୍ଲା ପରିଷଦରେ ନିରୁପମା ନାଏକଙ୍କ ନାମ ଘୋଷଣା ହୋଇଥିଲା। ସେ ପ୍ରଦୀପ୍ତଙ୍କ ଭଉଣୀ ହୋଇଥାଇପାରନ୍ତି ବୋଲି କର୍ମୀ ମହଲରେ ଭ୍ରମ ସୃଷ୍ଟି ହୋଇଥିଲା। ଆଜି ସକାଳେ ଏହି ନାଁ ଉପରୁ ଭ୍ରମ ଦୂରହେବା ସହ ପ୍ରଦୀପ୍ତଙ୍କ ଭଉଣୀ ତଥା ବର୍ତ୍ତମାନ ବିଜେପି ମହିଳା ମୋର୍ଚ୍ଚାର ଜିଲ୍ଲା ସଭାନେତ୍ରୀ ନିରୁପମା ନାଏକଙ୍କୁ ତାଲିକାରୁ ବାଦ୍‌ ଦିଆଯାଇଥିବା ଜଣାପଡ଼ିଥିଲା। ଏହାକୁ ନେଇ ବିରୋଧୀଦଳ ନେତା ପ୍ରଦୀପ୍ତଙ୍କ ସମର୍ଥକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଜଣେ ସମର୍ଥକଙ୍କ ଅଭିଯୋଗ ଅନୁସାରେ, ବିରୋଧୀଦଳ ନେତାଙ୍କ ଅନୁପସ୍ଥିତିର ସୁଯୋଗନେଇ ଲୋକସଭା ସାଂସଦ ବସନ୍ତ ପଣ୍ଡା ନିଜ ଅନୁଗତମାନଙ୍କୁ ଥଇଥାନ କରୁଛନ୍ତି। ଅପରପକ୍ଷେ, ପ୍ରଦୀପ୍ତଙ୍କ ଅନୁଗତଙ୍କୁ ଉପେକ୍ଷା କରାଯାଉଥିବା ଅଭିଯୋଗ କରିଛନ୍ତି।

ଭବସିନ୍ଧୁ ମଙ୍ଗରାଜ ଜୁନାଗଡ଼ ବ୍ଲକ୍‌ ଦାସିଗାଁ ଜୋନ୍‌ର ହୋଇଥିବାବେଳେ ତାଙ୍କୁ ଭବାନୀପାଟଣା ବ୍ଲକ୍‌ କର୍ଲାପଡ଼ା ଜୋନ୍‌ରେ ବିଜେପି ଟିକଟ୍‌ ଦିଆଯାଇଛି। ସେହିଭଳି ଭବାନୀପାଟଣା ସଦର ବ୍ଲକ୍‌ ଅଧ୍ୟକ୍ଷା ସନ୍ତୋଷୀ ଦାସଙ୍କ ଘର ଲାଞ୍ଜିଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀ ଓ କୁଟୃଖମାର ଜୋନ୍‌ରେ ଯାଉଥିବାବେଳେ ତାଙ୍କୁ ଏବେ ଭବାନୀପାଟଣା ଦେପୁର ଜୋନ୍‌ ୪ ରେ ଦଳୀୟ ଟିକଟ୍‌ ଦିଆଯାଇଛି। ଏହି ଆସନ ପାଇଁ ବିଜେପିରେ ଯୋଗ ଦେଇଥିବା ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଶରତ ନାଏକଙ୍କ ପତ୍ନୀ ବିମଳା ନାଏକ ଆବେଦନ କରିଥିଲେ। ତାଙ୍କୁ ଶେଷ ମୁହୂର୍ତ୍ତରେ କାହା ଚାପରେ ଟିକଟ୍‌ ଦିଆଯାଇ ନାହିଁ ବୋଲି ଦଳୀୟ କର୍ମୀମାନେ ପ୍ରଶ୍ନ ଉଠାଇଛନ୍ତି। କୋକସରା ଜୋନ୍‌ ୨ରେ ଜନାର୍ଦ୍ଦନ ପଣ୍ଡାଙ୍କୁ ବିଜେପି ଟିକଟ୍‌ ଦେଇଛି। ଅନିଚ୍ଛା ଓ ଦେହ ଅସୁସ୍ଥ ଥିବା ସତ୍ତ୍ବେ ତାଙ୍କୁ ଟିକଟ୍‌ ପ୍ରଦାନ କରାଯାଇଛି। ଏହି ଆସନରେ ଯାଦବ, ପଛୁଆବର୍ଗ ପ୍ରାର୍ଥୀଙ୍କୁ ଟିକଟ୍‌ ଦେବାପାଇଁ ଦାବି ହେଉଥିଲା। ବର୍ତ୍ତମାନ ବିଜେପିର ପୂର୍ବତନ ଜିଲ୍ଲା ପରିଷଦ ସଭାପତି ନମିତାରାଣୀ ସାହୁ କେସିଙ୍ଗା ଜୋନ୍‌ ୧ରେ ପ୍ରାର୍ଥୀ ଥିବା ବେଳେ ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଶର୍ମିଷ୍ଠା ମେହେର ଜୁନାଗଡ଼ ବ୍ଲକ୍‌ ଜୋନ୍‌ ୧ରେ ପ୍ରାର୍ଥୀ ହୋଇଛନ୍ତି। ବର୍ତ୍ତମାନ ବହୁ ଆଗଧାଡ଼ି ନେତା ଓ ପ୍ରଦୀପ୍ତଙ୍କ ସମର୍ଥକମାନେ ଟିକଟ୍‌ରୁ ବାଦ ପଡ଼ିଥିବା ନେଇ ଦଳରେ କନ୍ଦଳ ‌ଓ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି। ଏହି ଗୋଷ୍ଠୀ କନ୍ଦଳକୁ କିଭଳି ବିଜେପି ମୁକାବିଲା କରିବ ଦଳ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି।

ତେବେ, ଏହି ଗୋଷ୍ଠୀକନ୍ଦଳ ନୂଆ ନୁହେଁ। ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଭବାନୀପାଟଣା ଗସ୍ତ ଅବସରରେ ସହରରେ ଆୟୋଜିତ ଶୋଭାଯାତ୍ରାକୁ ଶେଷ ମୁହୂର୍ତ୍ତରେ ବାତିଲ କରିବାକୁ ଉଦ୍ୟମ ହୋଇଥିଲା। ମାତ୍ର, ପ୍ରଦୀପ୍ତଙ୍କ ସମର୍ଥକମାନେ କେନ୍ଦ୍ରମନ୍ତ୍ରୀଙ୍କ ଗାଡ଼ି ସମ୍ମୁଖରେ ଶୋଇ ପ୍ରତିବାଦ କରିଥିଲେ। ଫଳରେ କେନ୍ଦ୍ରମନ୍ତ୍ରୀ ବାଧ୍ୟ ହୋଇ ନଗର ପରିକ୍ରମା କରିଥିଲେ। ଏହି ଘଟଣାରେ ସାଂସଦ ବସନ୍ତ ପଣ୍ଡାଙ୍କ ସମର୍ଥକ ଅଡ଼ୁଆରେ ପଡ଼ିଥିଲେ।