ମନୋରଞ୍ଜନ ଦୁନିଆରୁ ମନ୍ତ୍ରୀ, ଜାଣନ୍ତୁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନଙ୍କ ପୁଅଙ୍କ ବାବଦରେ

291

କନକ ବ୍ୟୁରୋ : ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ବଡ ପୁଅ ତଥା ତାମିଲ ସିନେଜଗତର ଚର୍ଚ୍ଚିତ ଚେହେରା ଉଦୟନିଧୀ ଷ୍ଟାଲିନ ଆଜି ରାଜ୍ୟ କ୍ୟାବିନେଟରେ ସାମିଲ ହୋଇଛନ୍ତି । ବୁଧବାର ଦିନ ତାମିଲନାଡୁ ରାଜ୍ୟପାଳ ଆରଏନ ରବି ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ତାଙ୍କୁ ସରକାର ରାଜ୍ୟର କ୍ରୀଡାମନ୍ତ୍ରୀ ପଦ ମିଳିଛି । ସେ ଚୋପାକ ଥିରୁବାଲିକେନୀ ବିଧାନସଭାରୁ ବିଧାୟକ ଅଛନ୍ତି ।

ଉଦୟନିଧୀ ପେଶାରେ ଜଣେ ସିନେ କଳାକାର । ସେ ଅନେକ ତାମିଲ ସିନେମାରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ସେ ଗତବର୍ଷ ପ୍ରଥମଥର ପାଇଁ ରାଜନୀତିରେ ଯୋଗଦେଇ ଡିଏମକେର ଷ୍ଟାର ପ୍ରଚାରକ ସାଜିଥିଲେ । ସେ ନିର୍ବାଚନ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କୁ କଟାକ୍ଷ କରି ଚର୍ଚ୍ଚା ସାଉଣ୍ଟିଥିଲେ ।

ଆଜି ସେ ମନ୍ତ୍ରୀ ଭାବେ ଶପଥ ନେବା ପରେ କହିଛନ୍ତି କି, ସେ ଆଉ ସିନେମାରେ ଅଭିନୟ କରିବେ ନାହିଁ । ମାରୀ ସେଲବରାଜଙ୍କ ନିର୍ଦ୍ଦେଶିତ ‘ମାମନନ୍’ ତାଙ୍କର ଶେଷ ସିନେମା ହେବ ବୋଲି ସେ କହିଛନ୍ତି । ଏହାସହ ସେ କମଲ ହାସନଙ୍କର ଗୋଟିଏ ଆଗାମୀ ସିନେମାକୁ ପ୍ରତ୍ୟାଖାନ କରିଥିବା କଥା କହିଛନ୍ତି ।

ରାଜନୀତିରେ ପରିବାରବାଦ ଅଭିଯୋଗ ଉପରେ ଉଦୟନିଧୀ କହିଛନ୍ତି କି, ଲୋକମାନେ ମୋତେ ନିର୍ବାଚିତ କରିଛନ୍ତି ତେଣୁ ଆଲୋଚକଙ୍କୁ ଜବାବ ଦେବା ମୋର ପ୍ରଥମ କାମ । ଏହାସହ ସେ ତାଙ୍କର ଆଗାମୀ ଯୋଜନା ବାବଦରେ କହିଛନ୍ତି । ଉଦୟନିଧୀ କହିଛନ୍ତି କି, ଆଗାମୀ ଦିନରେ ରାଜ୍ୟର ପ୍ରତି ନିର୍ବାଚନୀ କ୍ଷେତ୍ରରେ ଗୋଟିଏ ଗୋଟିଏ ଖେଳ ଷ୍ଟାଡିୟମ ନିର୍ମାଣ କରିବା । ସେ ମନ୍ତ୍ରୀ ହେବା ସହ ପୂର୍ବରୁ ଡିଏମକେ ଯୁବଶାଖାର ସଚିବ ମଧ୍ୟ ଅଛନ୍ତି ।