କୋଭିଡ୍ ହସ୍ପିଟାଲରେ ନିଜେ ଝାଡୁ ମାରୁଛନ୍ତି ମନ୍ତ୍ରୀ । ଲୋକ ଦେଖି କରୁଛନ୍ତି ଖୁବ୍ ପ୍ରଶଂସା

1,635

କନକ ବ୍ୟୁରୋ : ଦେଶରେ କରୋନା ମହାମରୀ ଏବେ ଭୟାନକ ରୂପ ନେବାରେ ଲାଗିଛି । ଏହି ମହାମାରୀ ଭିତରେ ଛନ୍ଦି ହୋଇଯାଇଛନ୍ତି ଦେଶର ସମସ୍ତ ଲୋକ । ସେ ଗରୀବ ହେଉ କି ଧନୀ ସେ ନେତା ହେଉ କି ଅଭିନେତା କରେନାର କାଳ ଗ୍ରାସ ଭିତରେ ପଡି ସମସ୍ତେ ହନ୍ତସନ୍ତ ହେବାରେ ଲାଗିଛନ୍ତି । ଏହାରି ଭିତରେ ସୋସିଆଲ ମିଡିଆରେ ଏବେ ଘୁରି ବୁଲୁଛି ଏକ ରୋଚକ ଭିଡିଓ । ଯେଉଁ ଭିଡିଓକୁ ଦେଖିବା ପରେ ସମସ୍ତେ ପ୍ରଶଂସା କରିବାରେ ଲାଗିଛନ୍ତି । ଭିଡିଓରେ ଦେଖା ଯାଉଛି କି ଏକ କୋଭିଡ ହସ୍ପିଟାଲ ଭିତରେ ଜଣେ କରୋନା ଆକ୍ରାନ୍ତ ଝାଡୁ ମାରୁଛନ୍ତି । ଝାଡୁ ମାରୁଥିବା ଲୋକ ଜଣକ ହେଉଛନ୍ତି ମିଜୋରମ ସରକାରରେ ମନ୍ତ୍ରୀ ଥିବା ଲାଲଜର୍ଲିୟାନା । କୁହାଯାଉଛି କି ସେ କରୋନାରେ ସଂକ୍ରମିତ ହୋଇ ସେହି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଏଭଳି ଭିଡିଓ ଭାଇରାଲ ହେବା ପରେ ଏହାକୁ ଦେଖୁଥିବା ସମସ୍ତ ଲୋକ ଲାଲଜର୍ଲିୟାନାଙ୍କୁ ପ୍ରଶଂସା କରିଛନ୍ତି ।

୭୧ ବର୍ଷିୟ ଲାଲଜର୍ଲିୟାନା ମିଜୋରମ ସରକାରରେ ବିଦ୍ୟୁତ୍ ବିଭାଗର ମନ୍ତ୍ରୀ ଅଛନ୍ତି । ଭିଡିଓରେ ଦେଖିବାକୁ ମିଳିଛି କି ସେ ମେଡିକାଲ ଗ୍ରାଉନ ପିନ୍ଧି ହାତରେ ଝାଡୁ ଧରି ମେଡିକାଲର ଚଟାଣ ସଫା କରୁଛନ୍ତି । ଏହି ମେଡିକାଲ ନାମ ଜୋରାମ ମେଡିକାଲ କଲେଜ । ଏବେବି ସେଠାରେ ମନ୍ତ୍ରୀ ଜଣଙ୍କ ଚିକିତ୍ସିତ ହେଉଛନ୍ତି ।

ଗଣମାଧ୍ୟମର ସୂଚନା ମୁତାବକ ଏହି ଭିଡିଓ ଭାଇରାଲ ହେବା ପରେ ମନ୍ତ୍ରୀ କହିଛନ୍ତି କି ମେଡିକାଲ କର୍ମଚାରୀଙ୍କୁ ଅସମ୍ମାନିତ କରିବା ଉର୍ଦ୍ଦେଶ୍ୟରେ ସେ ଏଭଳି କରି ନାହାନ୍ତି । ସ୍ଥାନୀୟ ଗଣମାଧ୍ୟମର ସୂଚନା ମୁତାବକ ଲାଲଜର୍ଲିୟାନା ଜଣେ ସଫେଇ କର୍ମଚାରୀଙ୍କୁ ମେଡିକାଲ ଚଟାଣ ସଫା କରିବାକୁ କହିଥିଲେ । ହେଲେ ସେ କିଛି ପ୍ରତିକ୍ରିୟା ନ ଦେବାରୁ ଲାଲଜର୍ଲିୟାନା ଏଭଳି କରିଛନ୍ତି ।

ଲାଲଜର୍ଲିୟାନା କହିଛନ୍ତି କି ଝାଡୁ କରିବା ବା ଘରର କାମ କରିବା ତାଙ୍କ ପାଇଁ କିଛି ନୂଆ କଥା ନୁହେଁ । ମୁଁ ଏହି କାମ ଘରେ ଓ ଅନ୍ୟ ଯେଉଁଠି ଆବଶ୍ୟକ ପଡେ ସେଠାରେ କରିଥାଏ ବୋଲି ସେ କହିଛନ୍ତି । ଏହାସହ ସେ ମେଡିକାଲରେ ପହଂଚିବା ପରେ କୌଣସି ଭିଆଇପି ଟ୍ରିଟମେଣ୍ଟ ନେଇ ନଥିବା କଥା କହିଛନ୍ତି ।