କନକ ବ୍ୟୁରୋ : ୧୦ ଦିନ ପୂର୍ବରୁ ନେଇଥିଲେ ମନ୍ତ୍ରୀ ଭାବେ ଶପଥ । ୧୦ ଦିନ ପରେ ହୋଇଥିବା ଉପ-ନିର୍ବାଚନରେ ୧୨ ହଜାରରୁ ଅଧିକ ଭୋଟରେ ହେଲେ ପରାଜିତ । ରାଜସ୍ଥାନରୁ ଆସିଛି ଏଭଳି ଏକ ଘଟଣା । ଯେଉଁଠି ମନ୍ତ୍ରୀ ଭାବେ ଶପଥ ନେଇଥିବା ସୁରେନ୍ଦ୍ର ପାଲ ସିଂ ଟିଟି ଉପ-ନିର୍ବାଚନରେ ପରାଜିତ ହୋଇଛନ୍ତି । କରଣପୁର ଆସନ ପାଇଁ ହୋଇଥିବା ଉପ-ନିର୍ବାଚନରେ ବାଜି ମାରିଛି କଂଗ୍ରେସ । ତେବେ ଏହି ପରାଜୟ ରାଜସ୍ଥାନର ବିଜେପି ସରକାର ଉପରେ ସେଭଳି ପ୍ରଭାବ ପକାଇବନି । କିନ୍ତୁ ମନ୍ତ୍ରୀ ଭାବେ ଶପଥ ନେବା ପରେ ସୁରେନ୍ଦ୍ର ପାଲ ପରାଜିତ ହେବା ବିଜେପିର ସାଙ୍ଗଠନିକ ଦକ୍ଷତାକୁ ନେଇ ପ୍ରଶ୍ନ ଚିହ୍ନ ଛିଡା କରିଛି ।

Advertisment

୨୦୨୩ ରାଜସ୍ଥାନର ବିଧାନସଭା ନିର୍ବାଚନ ପ୍ରଚାର ସମୟରେ କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ଗୁରମିତ ସିଂ କୁନରଙ୍କ ଦେହାନ୍ତ ହୋଇଥିଲା । ଯେଉଁଥିପାଇଁ କରଣପୁର ଆସନରେ ନିର୍ବାଚନକୁ ସ୍ଥଗିତ ରଖାଯାଇଥିଲା ଏବଂ ଏହି ଆସନରେ ଉପ-ନିର୍ବାଚନ ପାଇଁ ଘୋଷଣା ହୋଇଥିଲା । ବିଜେପି ପକ୍ଷରୁ ଭଜନଲାଲ ସରକାରରେ ମନ୍ତ୍ରୀ ଭାବେ ଶପଥ ନେଇଥିବା ସୁରେନ୍ଦ୍ର ପାଲ ସିଂ ମୈଦାନକୁ ଓହ୍ଲାଇଥିବା ବେଳେ କଂଗ୍ରେସ ଗୁରମିତଙ୍କ ପୁଅ ରୂପିନ୍ଦରଙ୍କୁ ପ୍ରାର୍ଥୀ କରିଥିଲା । ଯିଏ ବିଜେପି ପ୍ରାର୍ଥୀଙ୍କୁ ମାତ୍ ଦେଇ ବଡ ବିଜୟ ହାସଲ କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ଅଶୋକ ଗେହଲଟ ରୂପିନ୍ଦରଙ୍କୁ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

ଏହାପୂର୍ବରୁ ମନ୍ତ୍ରୀ ଭାବେ ସୁରେନ୍ଦ୍ରଙ୍କ ଶପଥଗ୍ରହଣକୁ ନେଇ ଆପତ୍ତି ଉଠାଇଥିଲା କଂଗ୍ରେସ । ଏହା ଆଚରଣବିଧିର ଉଲ୍ଲଂଘନ ବୋଲି ଦର୍ଶାଇଥିଲା କଂଗ୍ରେସ । ଫଳାଫଳ ଆସିବା ପୂର୍ବରୁ ସୁରେନ୍ଦ୍ରଙ୍କ ଶପଥଗ୍ରହଣକୁ ବେଆଇନ ବୋଲି କହିଥିଲା କଂଗ୍ରେସ । ଗତ ନିର୍ବାଚନରେ ମୋଟ ୧୯୯ ଆସନରୁ ବିଜେପି ୧୧୫ ଆସନରେ ବିଜୟୀ ହୋଇଥିବା ବେଳେ କଂଗ୍ରେସ ୬୯ ଆସନରେ ବିଜୟୀ ହୋଇଥିଲା । ଏବେ ଗୁରମିତ ବିଜୟ ହେବା ପରେ ଏହି ସଂଖ୍ୟା ୭୦ରେ ପହଞ୍ଚିଛି ।