ମାଲକାନଗିରି ମାଲ୍ୟବନ୍ତ ମଞ୍ଚରୁ ମାଓବାଦୀଙ୍କୁ ମନ୍ତ୍ରୀଙ୍କ ଆହ୍ୱାନ । କହିଲେ, ‘ଅସ୍ତ୍ର ଛାଡ଼, ସମାଜର ମୁଖ୍ୟସ୍ରୋତରେ ସାମିଲ ହୁଅ, ରାଜ୍ୟ ବିକାଶ ପ୍ରକ୍ରିୟାରେ ଅଂଶିଦାର ହୁଅ’ ।

199

କନକ ବ୍ୟୁରୋ : ମାଲ୍ୟବନ୍ତ ମଂଚରୁ ମାଓବାଦୀଙ୍କୁ ଆହ୍ୱାନ । ଅସ୍ତ୍ର ଶସ୍ତ୍ର ଛାଡି ସମାଜର ମୁଖ୍ୟସ୍ରୋତରେ ଯୋଗ ଦେବା ଲାଗି ଲାଲବାହିନୀଙ୍କୁ ଆହ୍ୱାନ ଦେଇଛନ୍ତି ଯୁବ ମନ୍ତ୍ରୀ । ଗତ କାଲି ମାଲକାନଗିରି ଜିଲ୍ଲାର ଗଣପର୍ବ ମାଲ୍ୟବନ୍ତ ମହୋତ୍ସବ ଉଦଘାଟିତ ହୋଇଥିବା ବେଳେ ମାଲ୍ୟବନ୍ତର ମୁକ୍ତାକାଶ ରଂଗ ମଂଚରେ ରାଜ୍ୟ ତଥା ରାଜ୍ୟ ବାହାରର କଳାକାର ମାନଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପ୍ରଦର୍ଶିତ ହୋଇଥିଲା । ଆଉ ଏହି ଅବସରରେ ହିଂସା ଛାଡି ଆପସ ଆଲୋଚନା ମାଧ୍ୟମରେ ମାଓ ସମସ୍ୟାର ସମାଧାନ ଲାଗି ନିବେଦନ କରିଥିଲେ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା ।

କୋକ୍ରାଝରରେ ପ୍ରଧାନମନ୍ତ୍ରୀ । ମାଲକାନଗିରିରେ ରାଜ୍ୟ କ୍ରୀଡ଼ା ମନ୍ତ୍ରୀ । ଆସାମ କୋକ୍ରାଝରରେ ସାଧାରଣ ସଭାକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଥିଲେ ହିଂସାର କଳାବାଦଲକୁ ଆଉ ଅନୁମତି ଦିଆଯିବ ନାହିଁ । ଏହାସହ ବୋଡୋ ଉଗ୍ରପନ୍ଥିଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ ହେବା ପାଇଁ ଆହ୍ୱାନ ଦେଇଥିଲେ ମୋଦି । ସେହିଭଳି ରାଷ୍ଟ ବିରୋଧରେ ଅସ୍ତ୍ର ଧରିଥିବା ମାଓବାଦୀଙ୍କୁ ସାମଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି ଓଡିଶାର ଯୁବମନ୍ତ୍ରୀ ତୁଷାରକାନ୍ତି ବେହେରା ।

ମାଲ୍ୟବନ୍ତ ମଂଚରୁ ମାଓବାଦୀଙ୍କୁ ମନ୍ତ୍ରୀଙ୍କ ଆହ୍ୱାନ । ‘ଅସ୍ତ୍ର ଛାଡ଼, ସମାଜର ମୁଖ୍ୟସ୍ରୋତରେ ସାମିଲ ହୁଅ’ । ‘ରାଜ୍ୟ ବିକାଶ ପ୍ରକ୍ରିୟାରେ ଅଂଶିଦାର ହୁଅ’ । ସେଲିବ୍ରେସନ ମୁଡରେ ମାଲକାନଗିରି । ଶୁକ୍ରବାର ସଂଧ୍ୟାରେ ଜିଲ୍ଲାସ୍ତରୀୟ ମାଲ୍ୟବନ୍ତ ମହୋତ୍ସବ ଉଦଘାଟିତ ହୋଇଛି । ମାଲ୍ୟବନ୍ତ ମୁକ୍ତାକାଶ ରଂଗମଂଚରେ ମାଲକାନଗିରିର ପ୍ରସିଦ୍ଧ କୋୟା ନୃତ୍ୟ ଓ ଆଦିମ ବଣ୍ଡା ଜନଜାତିଙ୍କ ନାଚଗୀତ ସାଙ୍ଗକୁ ରାଜ୍ୟ ଏବଂ ରାଜ୍ୟ ବାହାରର ବିଭିନ୍ନ କଳା ସଂସ୍କୃତିର ଝଲକ ଦେଖିବାକୁ ମିଳିଥିଲା । ଏହାରି ଭିତରେ ଉଦଘାଟନୀ ଉତ୍ସବରେ ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଅଭିଭାଷଣ ଉପସ୍ଥିତ ଦର୍ଶକଙ୍କ ମନକୁ ଛୁଇଁଥିଲା । ଲାଲ ସଂଗଠନରେ ସାମିଲ ଯୁବପିଢୀ ଅସ୍ତ୍ର ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହେବାକୁ ସେ ଆହ୍ୱାନ ଦେଇଛନ୍ତି ।

ଶିଶୁ ସୁରକ୍ଷା ସମାଜ ରକ୍ଷା ବାର୍ତ୍ତା ନେଇ ଆରମ୍ଭ ହୋଇଥିବା ମାଲ୍ୟବନ୍ତ ମହୋତ୍ସବରେ କୋରାପୁଟର ଢେମସା ଓ ବଲାଙ୍ଗିରର ପାରମ୍ପରିକ ଢାପ ନୃତ୍ୟ ଜରିଆରେ ଓଡିଶାର ଆଦିବାସୀ କଳା ସଂସ୍କୃତିକୁ ପ୍ରଦର୍ଶନ କରିଥିଲେ କଳାକାର । ପରେ ପରେ ଜାମ୍ମୁ କାଶ୍ମୀରର ଡୋଗ୍ରୀ ନୃତ୍ୟ, ଆସମର ବୋଡା ନାଚ ସମେତ ଛତିଶଗଡ, କୋଲକାତାର କଳାକାର ନୃତ୍ୟ ପରିବେଷଣ କରିଥିଲେ । କଳା ସଂସ୍କୃତିର ଆଦାନ ପ୍ରଦାନ ସହ, ମାଓ ଉପଦୃତ ମାଲକାନଗିରି ଜିଲ୍ଲାରେ ବିକାଶର ବାର୍ତ୍ତା ବହନ କରୁଛି ଏହି ଗଣପର୍ବ ମାଲ୍ୟବନ୍ତ ମହୋତ୍ସବ ।