କନକ ବ୍ୟୁରୋ : ବିଦା ହେବେ କି ବିବାଦୀୟ ମନ୍ତ୍ରୀ । ଆଗାମୀ ମେ ୨୯ରେ ନବୀନ ସରକାରଙ୍କ ପଞ୍ଚମ ପାଳିକୁ ତିନି ବର୍ଷ ପୁରୁଛି । ଏହାପୂର୍ବରୁ ମନ୍ତ୍ରିମଣ୍ଡଳରେ ବଡ ଧରଣର ଅଦଳବଦଳ ନେଇ ଆଭାସ ମିଳୁଛି । ତେଣୁ ଯେକୌଣସି ମୂହୂର୍ତରେ ମନ୍ତ୍ରିମଣ୍ଡଳ ପରିବର୍ତନ ହୋଇପାରେ ବୋଲି ଆଶଙ୍କା କରି ହେଭିୱେଟ ନେତାଙ୍କ ଛାତି ଧଡପଡ ହେଉଛି । ଚର୍ଚ୍ଚା ହେଉଛି ବିବାଦରେ ଥିବା କିଛି ମନ୍ତ୍ରୀଙ୍କୁ ବିଦା କରି ନୂଆ ଚେହେରାଙ୍କୁ ସୁଯୋଗ ଦେଇ ପାରନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ବୟୋଜ୍ୟେଷ୍ଠ ନେତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରି ୨୦୨୪ରେ ଆଉ ନର୍ବାଚନ ଲଢିବାର ସୁଯୋଗ ଦେଇନପାରନ୍ତି ନବୀନ ।

Advertisment

ଯେକୌଣସି ମୁହୁର୍ତ୍ତରେ ଆସିପାରେ ନବୀନଙ୍କ ମନ୍ତ୍ରିମଣ୍ଡଳରେ ବଡଧରଣ ଅଦଳ ବଦଳର ଖବର । ଯାହାକୁ ନେଇ ପାୱାର କରିଡରରେ ଏବେଠୁ ଚର୍ଚ୍ଚା ଆରମ୍ଭ ହୋଇଛି । କିଏ ଯିବେ, କିଏ ଆସିବେ ଏବଂ କେଉଁ ବିବାଦୀୟ ମନ୍ତ୍ରୀଙ୍କୁ ନବୀନ ବାହାର ରାସ୍ତା ଦେଖାଇବେ ତାକୁ ନେଇ ନେତାଙ୍କ ଛାତି ଧଡଧଡ ହେଉଛି । ବିବାଦରେ ଥିବା ଓ ଖରାପ ପ୍ରଦର୍ଶନ ଥିବା ମନ୍ତ୍ରୀଙ୍କ ଉପରେ ଝୁଲୁଛି ଖଣ୍ଡା । କୁହାଯାଉଛି ମନ୍ତ୍ରିମଣ୍ଡଳ ସଂପ୍ରସାରଣରେ ୧୦ରୁ ଅଧିକ ମନ୍ତ୍ରୀଙ୍କୁ ଇସ୍ତଫା ଦେବାପାଇଁ କହିପାରନ୍ତି ନବୀନ । ପଂଚମ ପାଳିରେ ବିଭିନ୍ନ ବିବାଦ କାରଣରୁ ସରକାରଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିବା ଦିବ୍ୟ ଶଙ୍କର ମିଶ୍ର, ପ୍ରତାପ ଜେନା ଓ ବିକ୍ରମ କେଶରୀ ଆରୁଖଙ୍କ ଆସନ ଟଳମଳ ହେଉଛି । ସେହିପରି ମନ୍ତ୍ରୀ ତୁଷାରକାନ୍ତି ବେହେରା, ପଦ୍ମିନୀ ଡିଆନ, ପ୍ରେମାନନ୍ଦ ନାୟକ, ସୁଦାମ ମାର୍ଣ୍ଡି, ରଘୁ ନନ୍ଦନ ଦାସ, ଜଗନ୍ନାଥ ସାରକା, ପଦ୍ମନାଭ ବେହେରାଙ୍କ ପ୍ରଦର୍ଶନ ଆଶାଜନକ ନଥିବା କୁହାଯାଉଛି ।

କିଛି ଅଭିଜ୍ଞ, ଯୁବ, ମହିଳା ଓ ପଛୁଆବର୍ଗ ଚେହେରାଙ୍କୁ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ଦେଇ ବଡ ମାଷ୍ଟରଷ୍ଟ୍ରୋକ ଖେଳି ପାରନ୍ତି ନବୀନ । ତେଣୁ ମନ୍ତ୍ରୀ ଚୟନରେ ପଶ୍ଚିମ ଓଡିଶା, ଉତର ଓଡିଶା ଓ ଉପକୂଳ ଓଡିଶାକୁ ଅଗ୍ରାଧିକାର ଦିଆଯିବା ସମ୍ଭାବନା ଅଧିକ ।  ମନ୍ତ୍ରୀ ଚୟନ ବେଳେ ସମ୍ବଲପୁର, ସୁନ୍ଦରଗଡ, ମୟୂରଭଞ୍ଜ, କେନ୍ଦ୍ରାପଡା, ବଲାଙ୍ଗିର ଭଳି ଜିଲ୍ଲା ପାଇଁ ସ୍ୱତନ୍ତ୍ର ଫୋକସ ଦେଇପାରନ୍ତି ନବୀନ ପଟ୍ଟନାୟକ । ବିଶେଷ କରି ଗଞ୍ଜାମରେ ପଂଚାୟତ ନିର୍ବାଚନରେ ଭଲ କରିଥିଲେ ମଧ୍ୟ ପୌର ନିର୍ବାଚନରେ ଶାସକ ଦଳକୁ ସାମାନ୍ୟ ଝଟକା ଲାଗିଥିଲା । ତେଣୁ ଗଞ୍ଜାମରେ କାହାକୁ ମନ୍ତ୍ରୀ ପଦ ଦେଇ ଜିଲ୍ଲା ରାଜନୀତିକୁ ଶାଣିତ କରିବେ ନବୀନ । ବାଚସ୍ପତି ଥିବା ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ପୁଣିଥରେ ମନ୍ତ୍ରିମଣ୍ଡଳରେ ସ୍ଥାନିତ କରି ସଂଗଠନକୁ ମଜବୁତ କରିବାକୁ ପଦକ୍ଷେପ ନେବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ମନ୍ତ୍ରୀପଡା କୁହାଯାଉଥିବା କେନ୍ଦ୍ରାପଡାରେ ଅତନୁ ସବ୍ୟସାଚୀ ଓ ପ୍ରତାପ ଦେବଙ୍କୁ ମନ୍ତ୍ରିମଣ୍ଡଳରେ ନେବାର ସମ୍ଭାବନା ଅଧିକ ।

ଅନ୍ୟପଟେ ୨୦୨୪କୁ ଆଖିରେ ରଖି ସୁନ୍ଦରଗଡ ପାଇଁ ସ୍ୱତନ୍ତ୍ର ରଣନୀତି କରିପାନ୍ତି ନବୀନ । ଜିଲ୍ଲାର ବଡ ଚେହେରାଙ୍କୁ ନବୀନ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବା ନେଇ ଆଶା କରାଯାଉଛି । ସେହିପରି ବିଜେପି ଗଡ କୁହାଯାଉଥିବା ମୟୂରଭଞ୍ଜରେ ଗତ ପଂଚାୟତ ନିର୍ବାଚନରେ ଧସେଇ ପଶିଛି ବିଜେଡି । ତେଣୁ ଏହି ଜିଲ୍ଲାରୁ ମନ୍ତ୍ରିମଣ୍ଡଳରେ ପ୍ରତିନିଧିତ୍ୱ ଦେଇ ସଂଗଠନକୁ ଆହୁରି ସୁଦୃଢ କିରବା ଆଶା କରାଯାଉଛି । ବର୍ତମାନ ପଶ୍ଚିମ ଓଡିଶାରୁ ୬ ଜଣ ମନ୍ତ୍ରୀ ରହିଛନ୍ତି । ତେଣୁ କେଉଁ ଜିଲ୍ଲାରେ କାହାକୁ ବାଦ ଦେଉଛନ୍ତି ଓ କାହାକୁ ନେଉଛନ୍ତି ତାହା ଉତ୍କଣ୍ଠାର ବିଷୟ ।

ଆସନ୍ତା ମେ ୨୯ରେ ସରକାରଙ୍କ ପଂଚମ ପାଳିର ତୃତୀୟ ବର୍ଷ ପୂରିବାକୁ ଯାଉଛି । ତେଣୁ ତା ପୂର୍ବରୁ ମନ୍ତ୍ରିମଣ୍ଡଳ ନବକଳେବର ନେଇ ବଡ ଆଭାସ ମିଳୁଛି । ଖାଲି ସେତିକି ନୁହେଁ ୨୦୨୪ ପାଇଁ ଜୋରସୋରରେ ପ୍ରସ୍ତୁତ ହେଉଛି ବିଜେଡି । ରାଜନୈତିକ ମହଲରେ ଚର୍ଚ୍ଚା ଅନୁସାରେ କିଛି ବୟୋଜ୍ୟେଷ୍ଠ ନେତାଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରି ୨୦୨୪ରେ ନିର୍ବାଚନ ଲଢିବାକୁ ଆଉ ସୁଯୋଗ ଦେଇ ନପାରନ୍ତି ନବୀନ ।