ଓଡ଼ିଶା ସୀମାନ୍ତ ମାଣିକପାଟଣାରେ ଡେରା ପକାଇଛନ୍ତି ଆନ୍ଧ୍ର ଅଧିକାରୀ,ଉତ୍ତେଜନା ଜାରି

ବିବାଦର ସମାଧାନ ପାଇଁ ଅଂଚଳବାସୀଙ୍କ ଦାବି; ଆନ୍ଧ୍ରମନ୍ତ୍ରୀଙ୍କ ଧମକକୁ ଜିଲ୍ଲାବାସୀଙ୍କ ବିରୋଧ

99

କନକ ବ୍ୟୁରୋ : ପୁଣିଥରେ ଆନ୍ଧ୍ରର ଗୁଣ୍ଡାରାଜ । ଗତକାଲି ଗଙ୍ଗାବାଡ଼ ପଂଚାୟତର ମାଣିକପାଟଣା ଗାଁରେ ଆନ୍ଧ୍ର ନିଜର ଗୁଣ୍ଡାରାଜ ଓ ଶକ୍ତି ପ୍ରଦର୍ଶନ କରିଛି । ଅଂଚଳର ଶାନ୍ତି ଫେରାଇ ଆଣିବାକୁ ଓ ସୀମା ବିିବାଦର ସମସ୍ୟା ପାଇଁ ନିବେଦନ କରିଛନ୍ତି ଅଂଚଳବାସୀ । ସେପଟେ ଆନ୍ଧ୍ର ସରକାରଙ୍କ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଶିଦିିର ଆପ୍ଲାଲାଜୁ ଓ ତାଙ୍କ ସମର୍ଥକଙ୍କ ଅଶ୍ଲାଳୀନ ଆଚରଣକୁ ଦୃଡ଼ ନିନ୍ଦା କରିଛନ୍ତି । ବାରମ୍ବାର ଅନୁରୋଧ ସତ୍ୱେ ମଧ୍ୟ ଆନ୍ଧ୍ରର ଗୁଣ୍ଡାରାଜ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ସମସ୍ୟାର ସମାଧାନ ପାଇଁ ସରକାରଙ୍କ ପରବର୍ତ୍ତୀ ପଦକ୍ଷେପକୁ ସମସ୍ତଙ୍କ ନଜର ।

ଆନ୍ଧ୍ର ମନ୍ତ୍ରୀଙ୍କୁ ସୁରକ୍ଷା ଦେଉଥିଲେ ଚାରି ପ୍ଲାଟୁନ୍‌ ସଶସ୍ତ୍ର ପୁଲିସ ଏବ˚ ମାଳମାଳ ସରକାରୀ ଅଧିକାରୀ । ସେଠାରେ ଉପସ୍ଥିତ ଥିବା ଗଜପତି ଅତିରିକ୍ତ ଜିଲ୍ଲାପାଳ ସ˚ଗ୍ରାମ ଶେଖର ପଣ୍ତାଙ୍କୁ ସର୍ବସାଧାରଣରେ ତମେ କିଏ, କୁଆଡ଼େ ଆସିଛ, ଅର୍ଡ଼ର କପି, ମ୍ୟାପ୍‌ କାହିଁ ବୋଲି ତାଗିଦ୍ କରିଥିଲେ ଓ ଓଡ଼ିଶା ସରକାରଙ୍କ ନିର୍ମିତ ଅଙ୍ଗନବାଡ଼ି କେନ୍ଦ୍ରକୁ ମାଟିରେ ମିଶାଇ ଦେବାକୁ ଧମକ ଦେଇଥିଲେ । ପାଖରେ ଥିବା ଆନ୍ଧ୍ର ପୁଲିସ ଡିଏସ୍‌ପିଙ୍କୁ ଡାକି ମାମଲା ରୁଜୁ କରି ଗିରଫ କର ବୋଲି ନିର୍ଦ୍ଦେଶ ଦେବାର ନାଟକବାଜି ମଧ୍ୟ କଲେ । ଧମକାଇଲେ, ଏ ଜମି ଆମର, ଓଡ଼ିଶା ସରକାର ମିଛ କହୁଛନ୍ତି। ଜଣେ ମନ୍ତ୍ରୀ ଭାବେ ଗଜପତି ଅତିରିକ୍ତ ଜିଲ୍ଲାପାଳଙ୍କୁ ଏପରି ଧମକ ଦେବା ଓ ଦୁର୍ବ୍ୟବହାର କରିବା କେତେଦୂର ଯଥାର୍ଥ ଥିଲା, ଏବେ ରାଜ୍ୟ ସରକାର କଠୋର ହୁଅନ୍ତୁ ବୋଲି ପଞ୍ଚାୟତବାସୀ, ଜନପ୍ରତିନିଧି ମତ ଦେଇଛନ୍ତି ।

ମାଣିକପାଟଣା ଗ୍ରାମରେ ୪୪ ପରିବାର ବାସ କରନ୍ତି ଏବ˚ ଗ୍ରାମଟି ସମ୍ପୂର୍ଣ୍ଣ ଭାବେ ଓଡ଼ିଶା ସୀମା ମଧ୍ୟରେ । ବିଗତ ପ୍ରାୟ ୧୨ ବର୍ଷ ହେଲା ଏହି ଗ୍ରାମକୁ ଆନ୍ଧ୍ର ପ୍ରଶାସନ ଦଖଲ କରିବାକୁ ନାନା ଉଦ୍ୟମ, ହିଂସା ଘଟାଇ ଚାଲିଛି। ଓଡ଼ିଶା ସରକାର ସୁରକ୍ଷା ଦେଇପାରୁ ନାହାନ୍ତି। ଆନ୍ଧ୍ରର ଏହି ଷଡ଼ଯନ୍ତ୍ର ପଛରେ ରାଜନୈତିକ ଏବ˚ ବ୍ୟାବସାୟିକ ସ୍ବାର୍ଥ ରହିଛି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା। ରାୟଗଡ଼ ବ୍ଲକ୍‌ର ଗଙ୍ଗାବାଡ଼ ଏବ˚ କେରାଣ୍ତି ପଞ୍ଚାୟତ ଅତ୍ୟନ୍ତ ଦୁର୍ଗମ। ଲୋକଙ୍କ ମୁଖ୍ୟ ସମସ୍ୟା ହେଉଛି ରାସ୍ତା । ବ୍ଲକ୍‌ ସଦରମହକୁମା ରାୟଗଡ଼ ସହ ସିଧା ରାସ୍ତା ସ˚ଯୋଗ ନଥିବା ଯୋଗୁଁ ଗଙ୍ଗାବାଡ଼ ବାସିନ୍ଦା ନିୟମିତ ଭାବେ ପଡ଼ୋଶୀ ଆନ୍ଧ୍ରର ଶ୍ରୀକାକୁଲମ ଜିଲ୍ଲାର ମଞ୍ଜୁଷା ମଣ୍ତଳ ରାସ୍ତା ଦେଇ ଗାରାବନ୍ଧ ବାଟେ ଓଡ଼ିଶାକୁ ଆସନ୍ତି ।

ପଞ୍ଚାୟତ ଚାରିପାର୍ଶ୍ବରେ ମହେନ୍ଦ୍ରଗିରି ପର୍ବତମାଳା ଏବ˚ ଘଞ୍ଚ ଜଙ୍ଗଲ। ଗଜପତି ଜିଲ୍ଲା ସହ ସିଧାସଳଖ ରାସ୍ତା ସ˚ଯୋଗ ନଥିବାରୁ ବହୁ ବର୍ଷ ହେଲା ଏହି ପଞ୍ଚାୟତବାସୀ ଆନ୍ଧ୍ରବାସୀଙ୍କ ସହ ଭଲ ସମ୍ପର୍କ ରଖିଛନ୍ତି । ତେବେ ଏମାନେ କହିଛନ୍ତି, ଓଡ଼ିଶା ପାଇଁ ଆମର ସ୍ବାଭିମାନ ରହିଛି ଏବ˚ ଏଥି ଯୋଗୁଁ ବାରମ୍ବାର ଆନ୍ଧ୍ରର ଷଡ଼ଯନ୍ତ୍ର ସତ୍ତ୍ବେ ମଞ୍ଜୁଷା ମଣ୍ତଳ ରାଜସ୍ବ ଅଧିକାରୀମାନେ ଗଙ୍ଗାବାଡ଼ ପଞ୍ଚାୟତର ଇଞ୍ଚେ ଜମି ମଧ୍ୟ ଦଖଲ କରିପାରି ନାହାନ୍ତି ।