କେନ୍ଦ୍ରମନ୍ତ୍ରୀ ଏବେ ଭାବୁଛନ୍ତି, ରାଜ୍ୟ ସ୍ୱଚ୍ଛତାର ସହ ଧାନ କିଣି ଚାଲିଛି । କେନ୍ଦ୍ରକୁ ବଡ ବାର୍ତ୍ତା ଦେଲେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

ମଧ୍ୟସ୍ଥିଙ୍କର ଯେଉଁ ଭାଗିଦାରୀ ରହୁଥିଲା ତାକୁ ଦୁର କରାଯାଇପାରିବ । କେନ୍ଦ୍ରମନ୍ତ୍ରୀଙ୍କ ଏହି ପରାମର୍ଶକୁ ନେଇ ପ୍ରକାଶ ପାଇଥିବା ଖବର ଉପରେ ମତ ରଖିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

248

କନକ ବ୍ୟୁରୋ: ଚାଷୀ ଉତ୍ପାଦକୁ ସଠିକ ଆଉ ସ୍ୱଛ ବ୍ୟବସ୍ଥାରେ କିଣିବାକୁ ରାଜ୍ୟଗୁଡିକ ଚାଷୀଙ୍କ ପାଇଁ ବାୟୋମେଟ୍ରିକ ବ୍ୟବସ୍ଥା ଲାଗୁ କରିବା ପାଇଁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋଏଲ । ଫଳରେ ମଧ୍ୟସ୍ଥିଙ୍କର ଯେଉଁ ଭାଗିଦାରୀ ରହୁଥିଲା ତାକୁ ଦୁର କରାଯାଇପାରିବ । କେନ୍ଦ୍ରମନ୍ତ୍ରୀଙ୍କ ଏହି ପରାମର୍ଶକୁ ନେଇ ପ୍ରକାଶ ପାଇଥିବା ଖବର ଉପରେ ମତ ରଖିଛନ୍ତି ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଟ୍ୱିଟ କରି ଲେଖିଛନ୍ତି, ଦେଶରେ ଓଡିଶା ପ୍ରଥମ ରାଜ୍ୟ ଭାବେ ଧାନ ସଂଗ୍ରହର ପୁରା ପ୍ରକ୍ରିୟାକୁ ସ୍ୱୟଂଚାଳିତ ବ୍ୟବସ୍ଥା ଜରିଆରେ କରିଆସୁଛି । ଅର୍ଥାତ୍ ସ୍ୱଛତାର ସହ ରାଜ୍ୟରେ ଚାଷୀଙ୍କ ଠାରୁ ଧାନ କିଣାଯାଉଛି ବୋଲି ମନ୍ତ୍ରୀ ଏକ ବଡ ବାର୍ତ୍ତା ଦେଇଛନ୍ତି । ସେହିଭଳି ରାଜ୍ୟରେ ପରିଚାଳିତ ହେଉଥିବା ବ୍ୟବସ୍ଥାକୁ ପରବର୍ତ୍ତୀ ପର୍ଯ୍ୟାୟରେ ଦେଶ ଆପଣାଉଥିବାର ସଂକେତ ମଧ୍ୟ ସାମ୍ନାକୁ ଆସିଛି ।

ଓଡ଼ିଶା ଭାରତର ପ୍ରଥମ ରାଜ୍ୟ, ଯିଏ ଧାନ କ୍ରୟ ପ୍ରଣାଳୀକୁ ସମ୍ପୂର୍ଣ୍ଣ ବାୟୋମେଟ୍ରିକ ବା ସ୍ୱୟଂଚାଳିତ କରିଛି । ଏଭଳି କିଛି ଦମ୍ଭୋକ୍ତି ବାଢ଼ିଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ମନ୍ତ୍ରୀ କହିଛନ୍ତି କି, ୨୦୧୯-୨୦ ବର୍ଷରେ ଏହି ଅଭିନବ ପ୍ରକ୍ରିୟା ଆରମ୍ଭ ହୋଇଥିଲା ମଣ୍ଡିକୁ ଧାନ ବିକ୍ରି ପାଇଁ ଆସୁଥିବା ଚାଷୀମାନଙ୍କ ପଂଜୀକରଣ/ଚିହ୍ନଟ ଆଧାର କାର୍ଡ ଆଧାରିତ ବାୟୋମେଟ୍ରିକ ବ୍ୟବସ୍ଥା ଜରିଆରେ କରାଯାଉଥିଲା । ସେହିଭଳି  ଓଡ଼ିଶା ସରକାର ପୂର୍ବରୁ ନିଶ୍ଚିତ କରିଛନ୍ତି ଯେ, ଚାଷୀ ତାର ଦ୍ରବ୍ୟର ସଠିକ ପ୍ରାପ୍ୟ ଯାହା ଏମଏସପି ଅନୁଯାୟୀ ନିର୍ଦ୍ଧାତିତ ହୋଇଛି, ତାହା ୨୪ ରୁ ୪୮ ଘଣ୍ଟା ମଧ୍ୟରେ ଯେଭଳି ଚାଷୀଙ୍କ ଆକଉଂଟରେ ଜମା ହେବ ।

ଗତକାଲି କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋଏଲ ଏକ ସାମ୍ବାଦିକ ସମ୍ମିଳନୀରେ ବାୟୋମେଟ୍ରିକ୍ ବ୍ୟବସ୍ଥା ନେଇ କହିଥିଲେ କି, ଚାଷୀ ଓ ସରକାରଙ୍କ ମଧ୍ୟରେ ମଧ୍ୟସ୍ଥି ବ୍ୟବସ୍ଥାକୁ ଉଚ୍ଛେଦ କରିବା ଏବଂ କୃଷିଜାତ ଦ୍ରବ୍ୟର କିଣାବିକାରେ ଅଧିକ ସ୍ୱଚ୍ଛତା ଆଣିବା ଏହାର ଉଦ୍ଦେଶ୍ୟ । ତେଣୁ କେନ୍ଦ୍ର ରାଜ୍ୟମାନଙ୍କୁ କୃଷକଙ୍କ ପାଇଁ ବାୟୋମେଟ୍ରିକ୍ ବ୍ୟବସ୍ଥାକୁ ପ୍ରୋତ୍ସାହିତ କରୁଛି । ପୂର୍ବରୁ ଉତ୍ତରପ୍ରଦେଶ ଏହାକୁ ଗ୍ରହଣ କରିଥିବାବେଳେ ଚଳିତ ବର୍ଷ ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ଓଡ଼ିଶାରେ ଏହି ବ୍ୟବସ୍ଥା ଆରମ୍ଭ ହେବାକୁ ଯାଉଛି । ଏହାର ପ୍ରତି ଜବାବରେ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଟ୍ୱିଟ୍ କରି କହିଛନ୍ତି କି, ଓଡ଼ିଶା ଭାରତର ପ୍ରଥମ ରାଜ୍ୟ ଯିଏ ଧାନ କ୍ରୟ ପ୍ରଣାଳୀକୁ ସମ୍ପୂର୍ଣ୍ଣ ବାୟୋମେଟ୍ରିକ ବା ସ୍ୱୟଂଚାଳିତ କରିଛି । 

ଏପରିକି କେନ୍ଦ୍ର ଖାଦ୍ୟ ଯୋଗାଣ ସଚିବ ଗତବର୍ଷ ଓଡ଼ିଶା ଗସ୍ତରେ ଆସି ପି-ପାସ୍ ବ୍ୟବସ୍ଥାକୁ ମଧ୍ୟ ବେଶ୍ ପ୍ରଶଂସା କରିଥିଲେ । ଏବଂ କହିଥିଲେ, ଚାଷୀଙ୍କ ପାଇଁ ଏଭଳି ହିତକର ପଦକ୍ଷେପ ଅନ୍ୟ ରାଜ୍ୟମାନେ ମଧ୍ୟ ଅନୁକରଣ କରିବା ଆବଶ୍ୟକ ବୋଲି ଟ୍ୱିଟ୍ କରି କେନ୍ଦ୍ର ଖାଦ୍ୟମନ୍ତ୍ରୀ ପୀୟୂଷ ଗୋଏଲଙ୍କୁ କହିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜ୍ୟରେ ଚାଷୀଙ୍କ ଠାରୁ ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ବିଜେପି ପ୍ରଶ୍ନ ଉଠାଉଥିବା ବେଳେ ଓଡିଶା ସରକାର ଆପଣାଇଥିବା ମଡେଲ ଦେଶରେ ଲାଗୁ କରିବାକୁ ଚିନ୍ତା କରାଯାଉଥିବା ବିଷୟ ଚର୍ଚ୍ଚା ସୃଷ୍ଟି କରିଛି ।