କନକ ବ୍ୟୁରୋ : ରାଜ୍ୟରେ ଧାନ ସଂଗ୍ରହକୁ ନେଇ ମୁହଁ ଖୋଲିଛନ୍ତି ବିଭାଗୀୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ସେ କହିଛନ୍ତି, ଟୋକନ ବ୍ୟବସ୍ଥା ଓ ଟେକେନୋଲୋଜି ଦୃଷ୍ଟିରୁ ଧାନ ସଂଗ୍ରହ ପ୍ରକ୍ରିୟା ସୂଚାରୁ ରୂପେ ଚାଲିଛି । ଚଳିତ ବର୍ଷ ୭ ଲକ୍ଷ ୮୦ ହଜାର ୭୧୦ ମେଟ୍ରିକ ଟନର ଧାନ ସଂଗ୍ରହ ଆଜି ସୁଦ୍ଧା କରାଯାଇଛି । ଯେଉଁଥିରେ ୧ ଲକ୍ଷ ୫୦ ହଜାର ୨୭୩ ଚାଷୀ ମାନେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ରହିଛନ୍ତି । ବର୍ଷା ଓ ବଦୁଳୁଥିବା ପାଣିପାଗ ଯୋଗୁଁ ଧାନ କଟା ରେ ୧୫ ରୁ ୨୦ ଦିନ ବିଳମ୍ବ ହୋଇଛି । ଧାନ କିଣା ସମ୍ପୂର୍ଣ୍ଣ ଭାବେ ସୁଚାରୁ ରୁପେ ହେବ । ସରକାରୀ ସ୍ତରରେ କୌଣସି ପ୍ରକାରର ତ୍ରୁଟି ହେବ ନାହିଁ । ସେଥିପାଇଁ ଆମ ବିଭାଗ ସଚେତନ ଅଛି ।

Advertisment

ଏହାସହ ଧାନ କିଣା ଅବ୍ୟବସ୍ଥା ଓ ଦୁର୍ନୀତି ନେଇ ବିରୋଧୀଙ୍କ ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ମନ୍ତ୍ରୀ କହିଛନ୍ତି, ଚୋରଙ୍କୁ ସମସ୍ତେ ଚୋର ଭଳି ଦିଶିବେ । ଯିଏ ସେଇ କାମ କରନ୍ତି ତାଙ୍କ ନଜର ମଧ୍ୟ ସେମିତି ରହିବ । ବ୍ୟବସ୍ଥାକୁ ନେଇ ଅନେକ କଥା କହୁଥିବା ଲୋକମାନେ ଜାଣି ରଖିବା ଦରକାର ପାଇଲଟ ପ୍ରକଳ୍ପ ଭାବେ ଆମେ ଏଥର ରାଜ୍ୟରେ ସାଟେଲାଇଟ ସର୍ଭେ କରିଥିଲୁ। ଯାହାଦ୍ୱାରା ଏଥିରେ ୨୬ ହଜାର ଫ୍ଲସ ଏଣ୍ଟ୍ରି ବା ଭୂତ ଚାଷୀ ବାହାରିଛନ୍ତି । ଏହା କରିବା ଦ୍ୱାରା ଆମେ ୧୬୦୦ କୋଟି ଟଙ୍କା ବଞ୍ଚାଇପାରିଛୁ ।

ଏହାଛଡା ମନ୍ତ୍ରୀ କହିଛନ୍ତି, ମୋ ନିର୍ବାଚନ ମଣ୍ଡଳୀର ଗୋଟିଏ ମିଲର ଛଡା ଆଉ କିଏ ମିଲର ଅଛନ୍ତି ମୁଁ ଜାଣେ ନାହିଁ । ମିଲର ମାନେ ମୋ ଦୁଆର ମୁହଁକୁ ଆସନ୍ତି ନାହିଁ ବୋଲି କହି ବିରୋଧୀଙ୍କ ଅଭିଯୋଗର ଉତ୍ତର ରଖିଛନ୍ତି ମନ୍ତ୍ରୀ । ଯେଉଁମାନେ ମିଲର ମାନଙ୍କ ସହ ନଟର ପଟର ହୁଅନ୍ତି । ସେମାନେ ଏହି ଅଭିଯୋଗ ଆଣିବେ । ଯଦି ନିର୍ଦ୍ଧିଷ୍ଟ ଅଭିଯୋଗ ଅଛି ଆଣନ୍ତୁ । ବିଭାଗ ସବୁ ଶୁଣିବ ।