ଆହାର କେନ୍ଦ୍ରରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଅଚାନକ ପହଞ୍ଚି ଖାଦ୍ୟର ମାନ ଯାଞ୍ଚ କଲେ, ଲୋକଙ୍କ ସହ ଏକାଠି ବସି ଖାଇଲେ ।

511

କନକ ବ୍ୟୁରୋ : ଆହାର କେନ୍ଦ୍ରରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଆହାର କେନ୍ଦ୍ରକୁ ଆସିଥିବା ଲୋକଙ୍କ ସହ ବସି ଭୋଜନ କରିଛନ୍ତି ମନ୍ତ୍ରୀ । କିଭଳି ରହୁଛି ଖାଦ୍ୟର ମାନ ଓ ଗୁଣବତ୍ତା ତାହାକୁ ପରଖିଛନ୍ତି ମନ୍ତ୍ରୀ । କଟକ ଜିଲ୍ଲା ଆଠଗଡ ଉପଖଣ୍ଡ ମେଡିକାଲ ପରିସରରେ ଥିବା ଆହାର କେନ୍ଦ୍ରରେ ଆଜି ବୟସ୍କ ଲୋକଙ୍କ ସହ ବସି ମନ୍ତ୍ରୀ ଆହାର କେନ୍ଦ୍ରରେ ମିଳୁଥିବା ଭାତ ଓ ଡାଲମାର ମାନକୁ ମାପିଛନ୍ତି ।

ପୂର୍ବରୁ ମନ୍ତ୍ରୀମାନଙ୍କୁ ଆହାର କେନ୍ଦ୍ରରେ ମଧ୍ୟାହ୍ନ ଭୋଜନ ଖାଇବା ସହ ଖାଦ୍ୟର ମାନ ଯାଞ୍ଚ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଅଚାନକ ଗସ୍ତ କରି ମଧ୍ୟାହ୍ନ ଭୋଜନ କରିବା ଦ୍ୱାରା ଉକ୍ତ କେନ୍ଦ୍ରର ସମସ୍ୟା ସମ୍ପର୍କରେ ପ୍ରତ୍ୟକ୍ଷ ଭାବେ ମନ୍ତ୍ରୀ ଜାଣିପାରିବା ଉଦ୍ଦେଶ୍ୟରେ ଏଭଳି ନିର୍ଦ୍ଦେଶ ଦିଆଯାଇଥିଲା ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ ମଧ୍ୟ ଆହାର କେନ୍ଦ୍ରରେ ପୂର୍ବରୁ ଭୋଜନ କରିଥିଲେ । ଅକ୍ଟୋବର ଓ ନଭେମ୍ବର ମାସରେ ମୁଖ୍ୟ ସଚିବ ଅସିତ କୁମାର ତ୍ରିପାଠୀ ଓ ୫ଟି ସଚିବ ବୌଦ୍ଧ ଓ କଳାହାଣ୍ଡି ଜିଲ୍ଲାର ସଦର ମହକୁମା ଭବାନୀପାଟଣାସ୍ଥିତ ଆହାର କେନ୍ଦ୍ରରେ ମଧ୍ୟାହ୍ନ ଭୋଜନ ଖାଇଥିଲେ । ଆହାର କେନ୍ଦ୍ର କିପରି ଚାଲିଛି, ଲୋକଙ୍କୁ ଠିକ୍‌ ଭାବରେ ଖାଦ୍ୟ ଦିଆଯାଉଛି କି ନାହିଁ, ସ୍ୱଚ୍ଛତା କିପରି ରହୁଛି, ଏସବୁର ଯାଞ୍ଚ ମଧ୍ୟ କରିଥିଲେ ।