ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ । କହିଲେ, ଗତ ଖରିଫ ତୁଳନାରେ ୧୮ ପ୍ରତିଶତ ଅଧିକ ଧାନ କିଣା ହୋଇଛି, ଉତ୍ତର ଶୁଣି ବିଜେପିର କକ୍ଷତ୍ୟାଗ ।

113

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଆଜି ଗୃହରେ ଉତ୍ତର ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ଏବେ ବି ଧାନ କ୍ରୟ ଜାରି ରହିଛି । ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୬୧ ଲକ୍ଷ ୨୪ ହଜାର ମେଟ୍ରିକ ଟନ ଧାନ କିଣାଯାଇଛି । ମାର୍ଚ୍ଚ ୩୧ ସୁଦ୍ଧା ସମସ୍ତ ପଞ୍ଜିକୃତ ଚାଷୀଙ୍କ ଧାନ କିଣାଯିବ । ବିଗତ ଖରିଫ ତୁଳନାରେ ୧୮ ପ୍ରତିଶତ ଅଧିକ ଧାନ କିଣା ଯାଇଛି । ପଞ୍ଜିକୃତ ଚାଷୀଙ୍କର ଧାନ ବିକ୍ରିରେ ଯେମିତି ସମସ୍ୟା ନ ହେବ ତାକୁ ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦେଶ ଦେଇଛନ୍ତି ।

ବିଭିନ୍ନ ଜିଲ୍ଲାର ଧାନ କିଣା ନେଇ ଯେଉଁ ସମସ୍ୟା ରହିଛି ସେ ନେଇ ତଦନ୍ତ ଚାଲିଛି । ଟୋକନ ଜାଲିଆତି କରି ଧାନ ବିକୁଥିବା ଚାଷୀଙ୍କ କ୍ଷେତ୍ରରେ ପଦକ୍ଷେପ ନିଆଯାଉଛି । ପଞ୍ଜିକୃତ ଚାଷୀ ଧାନ କିଣାରୁ ବଞ୍ଚିତ ହେବେ ନାହିଁ । ଯେଉଁ ବିଧାୟକ ମାନେ ନିର୍ଦ୍ଦିଷ୍ଟ ଅଭିଯୋଗ କରିବେ ଆମେ ତାର ସମାଧାନ କରିବୁ ।  ୧୦୦ ପ୍ୟାକସ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି । ତେବେ ବିଭାଗୀୟ ମନ୍ତ୍ରୀଙ୍କ ଉତ୍ତରରେ ଅସନ୍ତୋଷ ପ୍ରକାଶ କରିବା ସହ କକ୍ଷତ୍ୟାଗ କରିଛନ୍ତି ବିଜେପି ବିଧାୟକ ।

ଏହାପୂର୍ବରୁ ଗତକାଲି ମୁଖ୍ୟମନ୍ତ୍ରୀଙ୍କ ସହ ବିଜେପି ବିଧାୟକଙ୍କ ଆଲୋଚନା ପରେ ଆଜି ଗୃହ ସ୍ୱାଭାବିକ ହୋଇଥିଲା । ଦୀର୍ଘ ୬ ଦିନ ପରେ ଗୃହକାର୍ଯ୍ୟ ସ୍ୱାଭାବିକ ହୋଇଥିଲା । ଆଉ ମୁଖ୍ୟମନ୍ତ୍ରଙ୍କ ନିର୍ଦ୍ଦେଶ କ୍ରମେ ଆଜି ଗୃହରେ ଧାନ କିଣା ପ୍ରସଙ୍ଗକୁ ନେଇ ଗୃହରେ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ।