ଚର୍ଚ୍ଚାରେ ମନ୍ତ୍ରୀ ରଘୁନନ୍ଦନଙ୍କ ଅବଢା ଛୁଆଁ ରାଜନୀତି : ପ୍ରାର୍ଥୀଙ୍କୁ ଅବଢା କୁଡୁଆ ଛୁଆଁଇ ନିଷ୍ପତ୍ତି ମାନିନେବାକୁ କରାଇଲେ ଶପଥ

 ଏକାଧିକ ଆଶାୟୀ ଥିବାରୁ ଆପଣାଇଲେ ଫର୍ମୁଲା

112

କନକ ବ୍ୟୁରୋ : ଚର୍ଚ୍ଚାରେ ମନ୍ତ୍ରୀ ରଘୁନନ୍ଦନଙ୍କ ଅବଢା ଛୁଆଁ ରାଜନୀତି । ବାଲିକୁଦା ବ୍ଲକର ୩୦ଟି ପଂଚାୟତ ମଧ୍ୟରୁ ୨୮ଟି ପଂଚାୟତ ପାଇଁ ଦଳୀୟ ସମର୍ଥିତ ନାମ ମନ୍ତ୍ରୀ ଘୋଷଣା କରିଛନ୍ତି । ବାସଭବନରେ ମନ୍ତ୍ରୀ ପ୍ରଥମେ ଅବଢା କୁଡୁଆ ରଖି ଆଶୟୀମାନଙ୍କୁ ତାଙ୍କ ନିଷ୍ପତି ମାନି ନେବାକୁ ଶପଥ କରାଇଥିଲେ । ଏହା ପରେ ମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲେ ।

କରୋନାରୁ ସୁସ୍ଥ ହେବା ପରେ ମନ୍ତ୍ରୀ ନିଜ ବାସଭବନରେ ପ୍ରାର୍ଥୀ ଚୟନ ଦାୟିତ୍ୱ ଦେଇଥିବା ୯ ଜଣିଆ କମିଟି, ସମସ୍ତ ପଂଚାୟତ ସଭାପତିଙ୍କ ସମେତ ଦଳର ଛାମୁଆ କର୍ମୀ ଓ ଆଶାୟୀ ପ୍ରାର୍ଥୀଙ୍କ ବୈଠକ ଡକାଇଥିଲେ । ପ୍ରାୟ ସମସ୍ତ ପଂଚାୟତରେ ୫ରୁ ୧୦ ଜଣ ପର୍ଯ୍ୟନ୍ତ ସରପଂଚ ପଦବୀ ପାଇଁ ଆଶାୟୀ ଥିବାରୁ ସମସ୍ୟା ଦେଖାଦେଇଥିଲା । ଫଳରେ ରୁଦ୍ଧଦ୍ୱାର କୋଠରୀରେ ଆଶାୟୀ ପ୍ରାର୍ଥୀ ଓ ପଂଚାୟତ ମୁରବୀଙ୍କ ସହ ଅଲଗା ଅଲଗା ଆଲୋଚନା କରିଥିଲେ । ସେ ଯେଉଁ ପ୍ରାର୍ଥୀଙ୍କୁ ଚୟନ କରିବେ ସମସ୍ତେ ତାଙ୍କୁ ସ୍ୱୀକାର କରିନେବାକୁ ପରାମର୍ଶ ଦେଇ ସେ ପ୍ରଥମେ ପାଖରେ ରଖିଥିବା ଅବଢା କୁଡୁଆ ଶପଥ କରିବାକୁ କହିଥିଲେ ।