କନକ ବ୍ୟୁରୋ: ଟ୍ରାକରେ ଚାଲିଲା ପାଣି, ଟ୍ରେନରେ ଫସିଲେ ମନ୍ତ୍ରୀ । ଟ୍ରାକ ଉପରେ ବର୍ଷା ଜଳ ଚାଲୁଥିବାରୁ ଟ୍ରେନ ଭିତରେ ୪ ଘଣ୍ଟା ବସିଲେ ଜଳ ସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ । ଜୁନାଗଡ ଏକ୍ସପ୍ରେସରେ ମନ୍ତ୍ରୀ ଭୁବନେଶ୍ୱରରୁ ରାୟଗଡା ଯାଉଥିବା ବେଳେ ବର୍ଷା କାରଣରୁ ବାଟରେ ଫସି ରହିଥିଲେ ।
ତେବେ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ଯୋଗୁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ପଲାସା -ବିଜୟନଗରମ ରେଳ ଧାରଣାରେ ବର୍ଷା ପାଣି ଚାଲିବା ଯୋଗୁ ହୀରାଖଣ୍ଡ, ଜୁନାଗଡ ଏକ୍ସପ୍ରେସ୍ ସମେତ ବହୁ ଟ୍ରେନ୍ ବିଳମ୍ବରେ ଯାତ୍ରା କରିଛି। ଟ୍ରେନ୍ ଚଳାଚଳରେ ବିଳମ୍ବ ଯୋଗୁ ଜୁନାଗଡ ଏକ୍ସପ୍ରେସରେ ଭୁବନେଶ୍ୱରରୁ ରାୟଗଡା ଯାଉଥିବା ଜଳ ସଂପଦ, ସୂଚନା ଓ ଲୋକ ସଂପର୍କ ବିଭାଗ ମନ୍ତ୍ରୀ ରଘୁ ନନ୍ଦନ ଦାସ ୪ ଘଣ୍ଟା ଟ୍ରେନ୍ ଭିତରେ ଫସି ରହିଥିଲେ।
ସେହିପରି ଆରୁକୁ-ବିଶାଖାପାଟଣା ରେଳ ଲାଇନର ଚିମିଡିପଲ୍ଲୀ ନିକଟରେ ପାହାଡରୁ ମାଟି ଅତଡା ଧସି ରେଳ ଧାରଣାରେ ପଡିବା ଯୋଗୁ ଦୁଇ ଟ୍ରେନ୍ ଚଳାଚଳରେ ବିଳମ୍ବ ହୋଇଛି। ରେଳ ବିଭାଗ ସୂଚନାନୁଯାୟୀ, ବୁଧବାର ଠାରୁ ଲାଗି ରହିଥିବା ଲଗାଣ ବର୍ଷା ପ୍ରଭାବରେ ମଧ୍ୟ ରାତ୍ରିରେ ବିଜୟନଗରମ-ପଲାସା ରେଳଲାଇନ୍ ଉପର ଦେଇ ବର୍ଷା ପାଣି ପ୍ରବାହିତ ହୋଇଥିଲା। ଉଭୟ ରେଳ ଧାରଣାରେ ପାଣି ଜମିବା ଯୋଗୁ ସୁରକ୍ଷା ଦୃଷ୍ଟିକୋଣରୁ ରେଳ ଚଳାଚଳକୁ ବନ୍ଦ ରଖା ଯାଇଥିଲା। ଫଳରେ ଉକ୍ତ ରୁଟରେ ଚଳାଚଳ କରୁଥିବା ବହୁ ଏକ୍ସପ୍ରେସ୍ ଟ୍ରେନ୍ ରାତି ସାରା ବିଭିନ୍ନ ଷ୍ଟେସନରେ ଅଟକି ରହିଥିଲା। ରେଳ ଧାରଣାରୁ ପାଣି କମିବା ପରେ ଟ୍ରେନ୍ ଚଳାଚଳ ସ୍ୱାଭାବିକ ହୋଇଥିଲା।
ହୀରାଖଣ୍ଡ ୫ ଘଣ୍ଟା, ଜୁନାଗଡ ୪ ଘଣ୍ଟା ବିଳମ୍ବରେ ପହଞ୍ଚିଲା ରାୟଗଡା
ଟ୍ରେନ୍ ଚଳାଚଳରେ ବିଳମ୍ବ ଯୋଗୁ ବୁଧବାର ରାତି ୭ଟା ୩୫ ମିନିଟରେ ଭୁବନେଶ୍ୱରରୁ ଜଗଦଲପୁର ଅଭିମୁଖେ ବାହାରିଥିବା ହୀରାଖଣ୍ଡ ଏକ୍ସପ୍ରେସ୍ ଭୋର ୫ଟା ବଦଳରେ ସକାଳ ୧୦ଟା ୫ ମିନିଟରେ ରାୟଗଡାରେ ପହଞ୍ଚିଥିଲା। ଜଗଦଲପୁରରେ ହୀରାଖଣ୍ଡ ବିଳମ୍ବରେ ପହଞ୍ଚିବା କାରଣରୁ ଅପରାହ୍ନ ସାଢେ ୨ଟା ବଦଳରେ ୫ଟାରେ ଜଗଦଲପୁର ଛାଡିଛି। ରାତି ସାଢେ ୧୨ଟାରେ ହୀରାଖଣ୍ଡ ରାୟଗଡାରୁ ଭୁବନେଶ୍ୱର ଅଭିମୁଖେ ଯିବାର ସମ୍ଭାବନା ଥିବା ଜଣା ପଡିଛି। ସେହିପରି ଭୁବନେଶ୍ୱର-ଜୁନାଗଡ ଏକ୍ସପ୍ରେସ୍ ସକାଳ ୮ଟା ପରିବର୍ତ୍ତ ମଧ୍ୟାହ୍ନ ୧୨ଟାରେ ରାୟଗଡାରେ ପହଞ୍ଚିଥିଲା। ଉକ୍ତ ଟ୍ରେନରେ ଜଳ ସଂପଦ, ସୂଚନା ଓ ଲୋକ ସଂପର୍କ ବିଭାଗ ମନ୍ତ୍ରୀ ରଘୁନନ୍ଦନ ଦାସ ଭୁବନେଶ୍ୱରରୁ ରାୟଗଡା ଆସୁଥିଲେ କିନ୍ତୁ ଟ୍ରେନ୍ ଚଳାଚଳରେ ବିଳମ୍ବ ଯୋଗୁ ମନ୍ତ୍ରୀ ଟ୍ରେନ୍ ଭିତରେ ଫସି ରହି ୧୨ଟାରେ ରାୟଗଡା ପହଞ୍ଚିଥିଲେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/10/21-1.jpg)
/kanak/media/post_attachments/wp-content/uploads/2019/10/WhatsApp-Image-2019-10-24-at-19.28.361-1024x768.jpeg)
/kanak/media/post_attachments/wp-content/uploads/2019/10/WhatsApp-Image-2019-10-24-at-19.28.36-768x1024.jpeg)