ବିଧାନସଭାରେ ପିଏମଜିଏସୱାଇ ଦୁର୍ନୀତି ପ୍ରସଙ୍ଗ ଉଠାଇଲେ ବିରୋଧୀ: ଗୃହରେ ଉତ୍ତର ରଖିଲେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ, ରାସ୍ତା ଦୁର୍ନୀତି ରୋକିବାକୁ ଜାରି କଲେ ଟୋଲ ଫ୍ରି ନମ୍ବର

ଅଭିଯୋଗ ଆସିବାର ୭ ଦିନ ଭିତରେ ହେବ ତଦନ୍ତ

935

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାର ତ୍ରିସ୍ତରୀୟ ଯାଂଚ କରାଯାଉଛି । ଯେଉଁ ଠିକାଦାର ମାନେ ନିଜ କର୍ତ୍ତବ୍ୟରେ ଅବହେଳା କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏଥିପାଇଁ ମଧ୍ୟ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏକି ଟୋଲ୍ ଫ୍ରି ନମ୍ବର ଜାରି କରାଯାଇଛି । ଯାହା ରାଜ୍ୟର ସମସ୍ତ ବ୍ଲକ ଏବଂ ପଞ୍ଚାୟତ ଅଫିସରେ ସୋ କରାଯିବ । ତେବେ ଜାରି ହୋଇଥିବା ୯୪୩୭୦୩୪୩୨୧ ଏହି ଟୋଲ ଫ୍ରି ନମ୍ବର ମାଧ୍ୟମରେ ରାସ୍ତା କାମରେ ଅନିୟମିତତା ନେଇ ଲୋକେ ସିଧାସଳଖ ଭାବେ ଅଭିଯୋଗ କରିପାରିବେ । ଅଭିଯୋଗ ଆସିବାର ସାତ ଦିନ ମଧ୍ୟରେ ତଦନ୍ତ କରାଯିବ ଏବଂ ୬୦ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଜି ଗୃହରେ ଉତ୍ତର ରଖିଛନ୍ତି ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂ ।

ପ୍ରଶ୍ନଉତ୍ତର କାଳରେ ଆଜି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ଦୁର୍ନୀତି ଅଭିଯୋଗ ପ୍ରସଙ୍ଗ ଉଠାଇଛନ୍ତି ବିରୋଧୀ । ଗ୍ରାମ୍ୟ ଉନ୍ନୟନ୍ନ ମନ୍ତ୍ରୀ ସୁଶାନ୍ତ ସିଂ ଏନେଇ ଗୃହରେ ଉତର ରଖିଛନ୍ତି । ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାର ନିୟମ ଅନୁସାରେ, ଏଥିରେ ତ୍ରିସ୍ତରୀୟ ଗୁଣବତା ଯାଂଚ କରାଯିବାର ବ୍ୟବସ୍ଥା ରହିଛି । ପ୍ରଥମ ସ୍ତରରେ କନିଷ୍ଠ ଯନ୍ତ୍ରୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ବେଂ ମଣ୍ଡଳ ଅଧିକ୍ଷଣ ଯନ୍ତ୍ରୀ ଏହାର ଗୁଣବତା ଯାଂଚ କରିଥାନ୍ତି । ସେହିଭଳି ଦ୍ୱିତୀୟ ସ୍ତରରେ ରାଜ୍ୟ ସରକାରଙ୍କ ଦ୍ୱାରା ଗୁଣବତା ଯାଂଚ କରିବା ପାଇଁ ଅଭିଜ୍ଞ ୫୧ ଜଣ ଇଂଜିନୟରଙ୍କୁ ରାଜ୍ୟ ମାନ ନିର୍ଧାରକ ହିସାବରେ ନିୟୋଜିତ କରାଯାଇଛି । ଏତଦ୍ ବ୍ୟତୀତ ତୃତୀୟ ସ୍ତରରେ ଭାରତ ସରକାରଙ୍କ ଦ୍ୱାରା ଏନଆଇଆଇଡିଏଙ୍କୁ ରାସ୍ତା କାମର ଗୁଣବତା ଯାଂଚ ନିମନ୍ତେ ନିୟୋଜିତ କରାଯାଇଛି । ଯେଉଁମାନେ କି ପ୍ରତ୍ୟେକ କାମକୁ ପ୍ରତ୍ୟେକ ସ୍ତରର ଗୁଣବତା ଯାଂଚ କରି ଭାରତ ସରକାରଙ୍କ ନିକଟକୁ ରିପୋର୍ଟ ପଠାଇଥାନ୍ତି ।

ପିଏମଜିଏସୱାଇ ନିୟମାନୁସାରେ, ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଅନ୍ତର୍ଭୁକ୍ତ ,କୌଣସି ବି ରାସ୍ତା କାମ ଚାଲୁଥିବା ବେଳେ କିମ୍ବା ସରିବାର ୫ ବର୍ଷ ମଧ୍ୟରେ ରାସ୍ତାର ଗୁଣାବତା ଖିଲାପୀ ତଥା ନିଷ୍ଟ କିମ୍ବା ଧୋଇହୋଇଗଲେ ତେବେ ସଂପୃକ୍ତ ଠିକାଦାର ନିଜସ୍ୱ ଅର୍ଥରେ ରାସ୍ତାର ପୁନଃନିର୍ମାଣ କରିବେ । ସେହିଭଳି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ଅନୁଯାୟୀ ରାସ୍ତା ନିର୍ମାମ କାମ ଶେଷ ହେବା ପରେ ଉକ୍ତ ରାସ୍ତାର ରକ୍ଷଣାବେକ୍ଷଣା ଦାୟିତ୍ୱ ୫ ବର୍ଷ ଅବଧି ପର୍ଯ୍ୟନ୍ତ ମୂଳ ଠିକାଦାରଙ୍କ ଦ୍ୱାରା ସମାପନ କରାଯିବାର ବ୍ୟବସ୍ଥା ରହିଛି ।

ଏହା ସତ୍ୱେ ବି ରାସ୍ତା କାମରେ ଅନିୟମିତତା ନେଇ ବାରମ୍ବାର ଅଭିଯୋଗ ଆସୁଛି । ଯାହାକୁ ନଜରରେ ରଖି ସଂପୃକ୍ତ ଖିଲାପୀ ଠିକାଦାରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି ଏବଂ ଆଗକୁ ଏହାକୁ ଆହୁରୀ କଡାକଡି କରାଯିବ ବୋଲି ଆଜି ଗୃହରେ କହିଛନ୍ତି ବିଭାଗୀୟ ମନ୍ତ୍ରୀ । ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ କହିଛନ୍ତି କି, ଯଦି କୌଣସି ଠିକାଦାରଙ୍କ ବିରୋଧରେ ଏଭଳି ଅଭିଯୋଗ ବାରମ୍ବାର ଆସେ ତେବେ ପରବର୍ତ୍ତୀ ସମୟରେ ତାଙ୍କୁ ଟେଣ୍ଡର ପ୍ରକ୍ରିୟାରେ ଅଯୋଗ୍ୟ ଘୋଷଣା କରାଯିବ । ଏପରିକି ଉକ୍ତ ଠିକାଦାରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ମଧ୍ୟ ତକ୍ରାଳ ନିଆଯିବ । ଏଥିପାଇଁ ମଧ୍ୟ ଏକ ଟୋଲ ଫ୍ରି ନମ୍ବର ଜାରି କରାଯାଇଛି , ଯାହା ଜରିଆରେ ଲୋକେ ନିଜ ଅଂଚଳର ସମସ୍ୟା ତଥା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ନିର୍ମାଣ ହୋଇଥିବା ରାସ୍ତା କାମରେ ହେଉଥିବା ଅନିୟମିତତା ନେଇ ସିଧାସଳଖ ଅଭିଯୋଗ କରିପାରିବେ । ଏବଂ ଅଭିଯୋଗ ଆସିବାର ୭ ଦିନ ଭିତରେ ତଦନ୍ତ ହେବ ଏବଂ ୬୦ ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି ।