ରେଭେନ୍ସା ଠାରୁ କମ ନୁହେଁ ଗୋବିନ୍ଦଙ୍କ ମହାଲିଙ୍ଗ କଲେଜ? ସେବେ କହିଥିଲେ, ଏବେ ମନ୍ତ୍ରୀ ଚୁପ୍ କାହିଁକି?

398

କନକ ବ୍ୟୁରୋ : ମହାଲିଙ୍ଗ ସନସାଇଜ କଲେଜ ଅଧ୍ୟକ୍ଷା ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ନୂଆ ନୂଆ ଦିଗ ଏବେ ସାମ୍ନାକୁ ଆସୁଛି । ଏହି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ତଥା କଲେଜର ମାଲିକ ଗୋବିନ୍ଦ ସାହୁଙ୍କୁ ପୋଲିସ ଗିରଫ କରିଛି । ମମିତାଙ୍କୁ କେଉଁ କାରଣରୁ ଗୋବିନ୍ଦ ହତ୍ୟା କରିଛି ତାହା ପୋଲିସ ସ୍ପଷ୍ଟ କରିନଥିଲେ ମଧ୍ୟ କଲେଜରେ ଚାଲିଥିବା ଅନୈତିକ କାର୍ଯ୍ୟକଳାପ ବାବଦରେ ମମିତା ଜାଣିଥିବାରୁ ହତ୍ୟାର ଶିକାର ହୋଇଥିବା କହିଛନ୍ତି ପରିବାର ଲୋକ । ଏପରିକି କଲେଜ ଭିତରେ ଗୁପ୍ତ କୋଠରୀ ରହିଥିଲା, ଯେଉଁଠି ଏଭଳି ଅନୈତିକ କାର୍ଯ୍ୟକଳାପ ଚାଲୁଥିବା ବୋଲି ସ୍ଥାନୀୟ ଲୋକେ କହିଛନ୍ତି । କିନ୍ତୁ ଅନ୍ୟପଟେ ଏହି ମହାଲିଙ୍ଗ  କଲେଜକୁ ଆଇନ ମନ୍ତ୍ରୀ ଯେଉଁ ସାର୍ଟିଫିକେଟ ଦେଇଥିଲେ ତାହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି ।

କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଅନୁରୋଧ କ୍ରମେ ମହାଲିଙ୍ଗ କଲେଜର ବାର୍ଷିକ ଉତ୍ସବରେ ଯୋଗ ଦେବାକୁ ପହଞ୍ଚିଥିଲେ ଆଇନ ମନ୍ତ୍ରୀ ପ୍ରତାପ ଜେନା । ଆଉ ନିଜ ଅଭିଭାଷଣରେ ପ୍ରତାପ କହିଥିଲେ, ମହାଲିଙ୍ଗ କଲେଜ ରେଭେନ୍ସା ଠାରୁ ମଧ୍ୟ କୌଣସି ଗୁଣରେ କମ ନୁହେଁ । ତେବେ ଏହି କଲେଜରେ ମନ୍ତ୍ରୀ ପ୍ରତାପ ଜେନା ଏମିତି କଣ ଦେଖିଥିଲେ ଯେ, ନିଜର ପ୍ରଥମ ଗସ୍ତରେ ଏହାକୁ ରେଭେନ୍ସା ସହ ତୁଳନା କରିବାକୁ ପଛାଇନଥିଲେ । ରେଭେନ୍ସା ଭଳି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ସହ ମହାଲିଙ୍ଗ କଲେଜକୁ କିଭଳି ତୁଳନା କରିପାରିଥିଲେ ପ୍ରତାପ ଜେନା?

ନିଜ ଅଭିଭାଷଣରେ ପ୍ରତାପ କହିଥିଲେ, ମାତ୍ର ୯ ବର୍ଷରେ କଲେଜର ଭିତ୍ତିଭୂମି, ବିକାଶ ମୋତେ ଆଶ୍ଚର୍ଯ୍ୟ କରିଛି । ମାତ୍ର ୯ ବର୍ଷର କଲେଜରେ ଏବେ ୨୨୦୦ରୁ ଅଧିକ ଛାତ୍ରଛାତ୍ରୀ ପଢୁଛନ୍ତି । ମୁଁ ମଧ୍ୟ ରେଭେନ୍ସା କଲେଜରେ ପାଠ ପଢିଛି, ଏହାକୁ ଅତି ପାଖରୁ ଦେଖିଛି । କିନ୍ତୁ ମହାଲିଙ୍ଗ କଲେଜକୁ ଦେଖିବା ପରେ ଲାଗୁଛି ଏହା ରେଭେନ୍ସା ଠାରୁ ମଧ୍ୟ କିଛି କମ ନୁହେଁ । ଏହାସହ ଏହି କଲେଜର ବିକାଶ ପାଇଁ ସମସ୍ତଙ୍କୁ ସହଯୋଗ କରିବାକୁ ଅନୁରୋଧ କରିଥିଲେ ପ୍ରତାପ । କିନ୍ତୁ ପ୍ରଶ୍ନ ଉଠୁଛି କଳାହାଣ୍ଡିରେ ଏତେ ସରକାରୀ କଲେଜ ରହିଥିଲେ ମଧ୍ୟ ଗୋବିନ୍ଦଙ୍କୁ କଲେଜକୁ କାହିଁକି ଆଗୁଆ କଲେଜ ଭାବେ ଦେଖିବାକୁ ଚାହୁଁଥିଲେ ମନ୍ତ୍ରୀ ପ୍ରତାପ ଜେନା? ଗୋବିନ୍ଦଙ୍କ କଲେଜକୁ କାହିଁକି ସହଯୋଗ କରିବାକୁ ଲୋକଙ୍କୁ କହୁଥିଲେ ମନ୍ତ୍ରୀ? ପ୍ରଥମଥର ପ୍ରତାପ ଗୋବିନ୍ଦଙ୍କ ମହାଲିଙ୍ଗ କଲେଜକୁ ଆସିଥିଲେ କଲେଜ ପ୍ରତି ଏତେ ଭଲ ପାଇବା କାହିଁକି ଦେଖାଇଥିଲେ? ଏଭଳି ଅନେକ ପ୍ରଶ୍ନ ଏବେ ସାଧାରଣରେ ଉଙ୍କି ମାରୁଛି ।

ମାତ୍ର ୯ ବର୍ଷ ପୂର୍ବେ ହୋଇଥିବା କଲେଜ ଏତେ ଶୀଘ୍ର କିଭଳି ଏତେବଡ କଲେଜ ଭାବେ ଗଢିଉଠିଲା ତାହା ମନ୍ତ୍ରୀଙ୍କ ମନରେ ସନ୍ଦେହ ସୃଷ୍ଟି କଲାନି କିପରି? କଲେଜକୁ ଅତିଥି ହୋଇ ଆସିବା ପୂର୍ବରୁ ଏହା ବାବଦରେ କୌଣସି ତଥ୍ୟ ନେଇଥିଲେ କି ମନ୍ତ୍ରୀ । ନା ସାଥୀ ମନ୍ତ୍ରୀଙ୍କ କଥାରେ ମହାଲିଙ୍ଗ କଲେଜକୁ ଆସି ଏଭଳି ପ୍ରଂଶସା କରିଥିଲେ ପ୍ରତାପ । କେବଳ କଲେଜକୁ ନୁହେଁ ବରଂ ଏହାର ମାଲିକ ଗୋବିନ୍ଦ ସାହୁଙ୍କୁ ମଧ୍ୟ ପ୍ରଂଶସାରେ ପୋତି ପକାଇଥିଲେ ପ୍ରତାପ । ତେଣୁ ଏବେ ଯେତେବେଳେ କଲେଜର ମାଲିକ ଗୋବିନ୍ଦ ସାହୁଙ୍କୁ ମମିତା ହତ୍ୟାକାଣ୍ଡରେ ପୋଲିସ ଗିରଫ କରିଛି ସେତେବେଳେ ଆଇନ ମନ୍ତ୍ରୀ ଭାବେ ପ୍ରତାପ ସାମ୍ନାକୁ ଆସି ସଫେଇ ଦେବାର ଆବଶ୍ୟକତା ନାହିଁ କି? ଯେଉଁ କଲେଜକୁ ପ୍ରତାପ ରେଭେନ୍ସା କଲେଜ ସହ ତୁଳନା କରିବାକୁ ପଛାଇ ନଥିଲେ ଏବେ ସେହି କଲେଜ ଯେତେବେଳେ ବିବାଦରେ ଫଶିଛି ସେତେବେଳେ ଚୁପ୍ କାହିଁକି ପ୍ରତାପ?