ଡଙ୍ଗାବୁଡି ଘଟଣାରେ ମନ୍ତ୍ରୀଙ୍କୁ ଘେରିଲେ ଜନତା । ସ୍ଥାୟୀ ପୋଲ ପାଇଁ ଦାବି କଲେ ଗ୍ରାମବାସୀ, ଘଟଣାସ୍ଥଳରେ ହଟହଟା ହେଲେ ଶକ୍ତିମନ୍ତ୍ରୀ ।

205

କନକ ବ୍ୟୁରୋ : ମନ୍ତ୍ରୀଙ୍କୁ ଘେରିଲେ ଜନତା । ବ୍ରାହ୍ମଣୀ ନଦୀରେ ଡ଼ଙ୍ଗା ବୁଡିବା ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଘଟଣାସ୍ଥଳକୁ ଯାଇଥିଲେ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ । ଘଟଣାସ୍ଥଳରେ ମନ୍ତ୍ରୀ ପହଞ୍ଚିବା ପରେ ମୃତ ଦେହକୁ ରଖି ଶକ୍ତିମନ୍ତ୍ରୀଙ୍କୁ ଘେରିଛନ୍ତି ଗ୍ରାମବାସୀ । ପୋଲ ପ୍ରତିଶ୍ରୁତି ଦାବି କରି ପ୍ରତାପଙ୍କୁ ଘେରିଛନ୍ତି ଗ୍ରାମବାସୀ । ଫଳରେ ଦୀର୍ଘ ସମୟ ଧରି ଶହ ଶହ ଲୋକଙ୍କ ଭିଡ ଭିତରେ ଅଟକି ରହିଥିଲେ ପ୍ରତାପ । ଲୋକଙ୍କର ଗୋଟିଏ ଦାବି ପୋଲ ପାଇଁ ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ନ ମିଳିବା ଯାଏଁ ମନ୍ତ୍ରୀଙ୍କୁ ଛାଡିବୁନି କି ମୃତଦେହର ଅନ୍ତିମ ସଂସ୍କାର କରିବୁନି ।

ଆଜି ସକାଳେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଏକମଣିଆରୁ ଯାତ୍ରୀବାହୀ ଡ଼ଙ୍ଗା ରାଜନଗର ବ୍ଲକ କେରଡ଼ାଗଡ଼ ଯାଉଥିବା ବେଳେ ମଝିନଦୀରେ ଭାରସାମ୍ୟ ହରାଇ ଡ଼ଙ୍ଗାଟି ବୁଡିଯାଇଥିଲା । ଏହି ଡଙ୍ଗାବୁଡି ଘଟଣାରେ ପ୍ରଥମେ ୨ ଜଣ ନିଖୋଜ ଥିଲେ । ପରେ ଜଣଙ୍କର ମୃତଦେହ ଉଦ୍ଧାର ହୋଇଥିବା ବେଳେ ନାଉରିଆ ନିଖୋଜ ଅଛନ୍ତି । ତେବେ ଡଙ୍ଗାରେ ଥିବା ଅନ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର ହୋଇଛନ୍ତି । ନିଖୋଜଙ୍କୁ ଉଦ୍ଧାର ପାଇଁ ଘଟଣା ସ୍ଥଳରେ ପହଂଚିଥିଲେ ଅଗ୍ନିଶମ ବାହିନୀ । ହେଲେ ମଟର ବୋଟ୍ ଷ୍ଟାଟ ନହେବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ । ଘଟଣା ସ୍ଥଳରେ ଉତେଜନା ଦେଖାଦେଇଛି ।