ମନ୍ତ୍ରୀ ହେବ ତ ଏମିତି…କାନ୍ଧରେ ମେସିନ୍ ବୋହିଲେ । ନିଜ ହାତରେ ସହରକୁ ସାନିଟାଇଜ୍ କଲେ । ମହାମାରୀ ବେଳେ ମନ୍ତ୍ରୀ ସାଜିଲେ ମାନବିକତାର ବଡ଼ ଉଦାହରଣ ।

492

କନକ ବ୍ୟୁରୋ : କରୋନା ମହାମାରୀ କେମିତି ମାନବିକତାକୁ ମାରିଦେଉଛି, ତାର ଅନେକ ଚିତ୍ର ଆମେ ଆପଣଙ୍କୁ ଦେଖାଇଛୁ । କିନ୍ତୁ ଏହାରି ଭିତରେ ମଣିଷପଣିଆ ବଂଚିରହିଥିବା ସାରା ସମାଜକୁ ବାର୍ତା ଦେଇଛନ୍ତି ମଧ୍ୟପ୍ରଦେଶର ଶକ୍ତି ମନ୍ତ୍ରୀ ପ୍ରଦ୍ୟୁମ୍ନ ସିଂ ତୋମାର । ସଂକ୍ରମଣ ବଢୁଥିବା ବେଳେ ନିଜ ହାତରେ ସହରକୁ ସାନିଟାଇଜ୍ କରିଛନ୍ତି ମନ୍ତ୍ରୀ ।

ଗତ ଶନିବାର ଗ୍ୱାଲିଅର ଜିଲ୍ଲାର ଗ୍ରାମୀଣ ଅଂଚଳରେ କରୋନା ମୁକାବିଲା ପାଇଁ କ’ଣ ସବୁ ପଦକ୍ଷେପ ନିଆଯାଇଛି, ତାର ତଦାରଖ କରିବା ପାଇଁ ଯାଇଥିଲେ ମନ୍ତ୍ରୀ ପ୍ରଦ୍ୟୁମ୍ନ ସିଂ ତୋମାର । ଏତିକି ବେଳେ ନିଜ ଡ୍ୟୁଟି ସମୟରେ ଜଣେ କର୍ମଚାରୀ ସାନିଟାଇଜେସନ୍ ମେସିନ ସହ ଘରେ ଶୋଇଥିବାର ଦେଖିଥିଲେ ମନ୍ତ୍ରୀ । ଏହି ଘଟଣାରେ ମନ୍ତ୍ରୀ ରାଗିଯାଇ ଉପସ୍ଥିତ ଥିବା ଅଧିକାରୀଙ୍କ ଉପରେ ବର୍ଷିବା ସହ ନିଜ ପିଠିରେ ସାନିଟାଇଜେସନ୍ ମେସିନ୍ ବୋହି ସହରକୁ ସାନିଟାଇଜ୍ କରିଥିଲେ ।

ପାଖାପାଖି ୧ ଘଂଟା ଧରି ସହରର ଗଳିକନ୍ଦିଠାରୁ ଆରମ୍ଭ କରି ଦୋକାନ ବଜାର ସବୁଠି ନିଜେ ସାନିଟାଇଜ୍ କରିଥିଲେ ମନ୍ତ୍ରୀ । କେବଳ ଏତିକି ନୁହେଁ, ହସ୍ପିଟାଲ ଯାଇ ରୋଗୀଙ୍କୁ ଉତମ ଚିକିତ୍ସା ମିଳୁଛି କି ନାହିଁ, ସେ ବାବଦରେ ମଧ୍ୟ ପଚାରି ବୁଝିଥିଲେ ମନ୍ତ୍ରୀ । ଆଉ ଏହା ସହ କରୋନା ଆକ୍ରାନ୍ତଙ୍କର ସ୍ୱତନ୍ତ୍ର ଧ୍ୟାନ ରଖିବାକୁ ମଧ୍ୟ ସେ ପରାମର୍ଶ ଦେଇଥିଲେ ।
କରୋନା ମହାମାରୀ ଭଳି ମହାସଙ୍କଟ ସମୟରେ ମନ୍ତ୍ରୀ ପ୍ରଦ୍ୟୁମ୍ନ ସିଂ ତୋମାର ସମାଜ ଆଗରେ ଏକ ଉଦାହରଣ ପାଲଟିଛନ୍ତି । ତେବେ ଏଭଳି ସଙ୍କଟ ସମୟରେ ସମସ୍ତେ ପରସ୍ପରକୁ ସାହାଯ୍ୟ କରିବାର ଆବଶ୍ୟକତା ରହିଛି ।

ତେବେ କିଛିଦିନ ତଳେ କରୋନା ରୋଗୀଙ୍କ ପାଇଁ କେମିତି ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ ଆମ୍ବୁଲାନ୍ସର ଡ୍ରାଇଭର ବନିଥିଲେ, ସେ ଚିତ୍ର ଆମେ ଆପଣଙ୍କୁ ଦେଖାଇଥିଲୁ । ବରଗଡ ସୋହେଲା ବ୍ଲକ ତବଡା ଗାଁର ଜଣେ ଯୁବକ କରୋନାରେ ଆକ୍ରାନ୍ତ ହୋଇ କଷ୍ଟ ପାଉଥିବାର ଖବର ଯେତେବେଳେ ମନ୍ତ୍ରୀଙ୍କ ପାଖରେ ପହଂଚିଥିଲା, ସେତେବେଳେ ସେ ନିଜେ ଆମ୍ବୁଲାନ୍ସ ଚଳାଇ ରୋଗୀଙ୍କ ପାଖରେ ପହଂଚିଯାଇଥିଲେ । ରୋଗୀଙ୍କୁ ଆମ୍ବୁଲାନ୍ସରେ ଆଣି ଡାକ୍ତରଖାନାରେ ଭର୍ତି କରାଇଥିଲେ । କେବଳ ଏତିକି ନୁହେଁ, ବରଗଡ ଜିଲ୍ଲା ସୋହେଲାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଥିବାବେଳେ ମନ୍ତ୍ରୀ ସୁଶାନ୍ତ ସିଂ ଜରୁରିକାଳୀନ ପରିସ୍ଥିତିର ମୁକାବିଲା ପାଇଁ ନିଜସ୍ୱ ଉଦ୍ୟମରେ ଏକ ଆମ୍ବୁଲାନ୍ସ ଓ ୧୫ଟି ଅକ୍ସିଜେନ୍ ସିଲିଣ୍ଡର ଲୋକଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି ।