ପୋଲ ପାଇଁ ପରିବହନ ମନ୍ତ୍ରୀ ଅଟକ ! ସମସ୍ୟା ଶୁଣାଇବାକୁ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ରାଣୀତାଲ ରାସ୍ତା ଉପରେ ରୋକିଲେ ଆନ୍ଦୋଳନକାରୀ

221

କନକ ବ୍ୟୁରୋ: ପୋଲ ପାଇଁ ପରିବହନ ମନ୍ତ୍ରୀଙ୍କୁ ଅଟକ ରଖିଲେ ଲୋକେ । ୧୬ ନମ୍ବର ଜାତୀୟ ରାଜପଥର ଭଦ୍ରକ ଓ ବାଲେଶ୍ୱର ସୀମା ନିକଟରେ ଥିବା ରାଣୀତାଲ ଛକରେ ଏକ ଉଚ୍ଚପୋଲ ନିର୍ମାଣ ଦାବିରେ ଆନ୍ଦୋଳନକାରୀମାନେ ଆଜି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ଦୀର୍ଘ ଏକ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଅଟକ ରଖିଛନ୍ତି। ଆନ୍ଦୋଳନକାରୀ ମନ୍ତ୍ରୀଙ୍କୁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ସହିତ ଆଲୋଚନା କରିବା ଦାବିରେ ଆଜି ଅଟକ ରଖିଛନ୍ତି।

ତେବେ ମନ୍ତ୍ରୀ ବାଲେଶ୍ୱର ଗସ୍ତ ଶେଷ କରି ଭୁବନେଶ୍ୱର ଅଭିମୁଖେ ଫେରୁଥିବା ବେଳେ ଆନ୍ଦୋଳନକାରୀମାନେ ତାଙ୍କୁ ରାଣୀତାଲ ଛକରେ ଅଟକାଇ ଥିଲେ । ଏହା ପରେ ସେମାନେ ମନ୍ତ୍ରୀଙ୍କୁ ଧାରଣାସ୍ଥଳକୁ ନେଇ ଯାଇଥିଲେ। ଆନ୍ଦୋଳନସ୍ଥଳରେ ମନ୍ତ୍ରୀଙ୍କୁ ବସାଇ ବିଭିନ୍ନ ସମସ୍ୟା ବାବଦରେ ଅବଗତ କରିଥିଲେ। ସେମାନେ ବହୁ ଦିନ ଧରି ଧରଣାରେ ବସିଥିଲେ ମଧ୍ୟ ଧାରଣାସ୍ଥଳକୁ ଜିଲ୍ଲାପାଳ ଆସୁ ନଥିବା ଅଭିଯୋଗ କରିଥିଲେ।ଶେଷରେ ମନ୍ତ୍ରୀ ଶ୍ରୀ ବେହେରା ଜାତୀୟ ରାଜପଥ କର୍ତ୍ତୃପକ୍ଷର ପ୍ରକଳ୍ପ ନିର୍ଦ୍ଦେଶକ ନାଗେଶ୍ୱର ରାଓ ଓ ଜିଲ୍ଲା ପ୍ରଶାସନ ସହିତ କଥା ହେବା ପରେ ଧାରଣାସ୍ଥଳରୁ ମୁକୁଳି ଥିଲେ।

ପୂର୍ବରୁ ରାଣୀତାଲ ଛକରେ ୫୦ରୁ ଅଧିକ ଦୁର୍ଘଟଣା ଘଟି ବହୁ ଲୋକଙ୍କର ଜୀବନ ଯାଇଥିଲା। ଗତ ବର୍ଷ ମଧ୍ୟ ଏହି ଛକ ନିକଟରେ ସ୍କୁଲ ପିଲାଙ୍କର ଉପରେ ଟ୍ରକ ଚଢ଼ି ଯିବାରୁ ୬ ଜଣଙ୍କର ମୃତ୍ୟୁ ହୋଇଥିଲା। ସେହି ଦିନ ଠାରୁ ପୋଲ ନିର୍ମାଣ ପାଇଁ ଦାବି ଜୋର ଧରିଥିଲା। ଆଜି ମଧ୍ୟ ସେଠାରେ ଏକ ଦୁର୍ଘଟଣା ଘଟିଥିଲା। ଜଣେ ମୋଟର ସାଇକେଲ ଚାଳକଙ୍କୁ ଏକ ଯାତ୍ରୀ ବସ୍ ଧକ୍କା ଦେଇଥିଲା।