ସାତକୋଶିଆରେ କିଏ ରହିବ ? ବାଘୁଣୀ ନା ମଣିଷ, ଜିଲ୍ଲା ପ୍ରଶାସନ କହିଲା ସୁନ୍ଦରୀ ଫେରିଯିବ ମଧ୍ୟପ୍ରଦେଶ, ମନ୍ତ୍ରୀ କହିଲେ ଚୂଡାନ୍ତ ନିଷ୍ପତି ନେବ ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ୍

33

କନକ ବ୍ୟୁରୋ : ମଣିଷ ଖିଆ ବାଘୁଣୀ ଜଙ୍ଗଲକୁ ଫେରିବ କି ନାହିଁ, ତାକୁ ନେଇ ଉପୁଜିଛି ଦ୍ୱନ୍ଦ୍ୱ । କାରଣ ସାତକୋସିଆରେ ଲୋକଙ୍କ ଆକ୍ରୋଶ ଦେଖି ବାଘୁଣୀକୁ ଫେରାଇ ନିଆଯିବ ବୋଲି କହିଥିଲା ଜିଲ୍ଲା ପ୍ରଶାସନ । ହେଲେ ବିଭାଗୀୟ ମନ୍ତ୍ରୀ କହିଛନ୍ତି ନିଷ୍ପତି, ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ୍ ନେବ । ସେହିପରି ମହିଳାଙ୍କୁ ବାଘ ଶିକାର ନେଇ ମଧ୍ୟ ସେ ସନ୍ଦେହ ପ୍ରକାଶ କରିଛନ୍ତି । ବନ ବିଭାଗର ତଥ୍ୟକୁ ଆଧାର କରି ମୃତ ମହିଳାଙ୍କ ଦେହରେ ବାଘ ଆକ୍ରମଣର କୌଣସି ଲକ୍ଷ୍ୟଣ ଦେଖାଯାଉ ନଥିବା କହିଛନ୍ତି । ସେପଟେ ୧୫ ତାରିଖ ସୁଦ୍ଧା ସୁନ୍ଦରୀକୁ ସ୍ଥାନାନ୍ତର କରିବାକୁ ଚେତାବନୀ ଦେଇଛନ୍ତି ସ୍ଥାନୀୟ ଲୋକେ ।

‘ମଣିଷ ଖିଆ ବାଘୁଣୀ’ ବିରୋଧରେ ସାତକୋସିଆ ବନବାସୀଙ୍କ ଲଙ୍କାକାଣ୍ଡ ପରେ ଅକଳରେ ପଡିଯାଇଛି ବନ ବିଭାଗ ଓ ଅନୁଗୁଳ ଜିଲ୍ଲା ପ୍ରଶାସନ । ସ୍ଥାନୀୟ ଲୋକଙ୍କ ଚାପରେ ବାଘୁଣୀ ସୁନ୍ଦରୀକୁ ଫେରାଇ ଆଣିବାକୁ ଯୋଜନା ପ୍ରସ୍ତୁତ ହୋଇଥିବା କହିଥିଲା ଜିଲ୍ଲା ପ୍ରଶାସନ । ଆଗାମୀ ୧୫ ତାରିଖରେ ମଧ୍ୟପ୍ରଦେଶ ବାନ୍ଧବଗଡରୁ ଏକ୍ସପର୍ଟ ଟିମ୍ ଆସିବା ପରେ ବାଘୁଣୀକୁ ଟ୍ରାଙ୍କୁଲାଇଜ କରି ସ୍ଥାନାନ୍ତର କରାଯିବ । ଜଣେ ମହିଳାଙ୍କୁ ସୁନ୍ଦରୀ ଆକ୍ରମଣ କରି ମାରିପକାଇବା ପରେ ଯେଉଁ ଅସନ୍ତୋଷର ନିଆଁ ଜଳିଥିଲା, ତାକୁ ପ୍ରଶମିତ କରିବାକୁ ଏଭଳି ନିଷ୍ପତି ନିଆଯାଇଛି । ସାତକୋସିଆ ଡିଏଫଓ ଉତ୍ୟକ୍ତ ଲୋକଙ୍କୁ ଏହି ପ୍ରତିଶ୍ରୁତି ଦେଇଥିବାବେଳେ ଗଣମାଧ୍ୟମକୁ ସୂଚନା ଦେଇଥିଲେ ଅନୁଗୁଳ ଉପଜିଲ୍ଲାପାଳ ।

tigressଜିଲ୍ଲା ପ୍ରଶାସନର ଏଭଳି ନିଷ୍ପତି ଫଳରେ ସାତକୋସିଆ ଅଂଚଳରେ ବାଘ ବଂଶ ବୃଦ୍ଧି କରିବାକୁ ଯେଉଁ ଯୋଜନା ଥିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସେପଟେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଛନ୍ତି ସୁନ୍ଦରୀକୁ ଫେରାଇ ଦେବା ନେଇ କୌଣସି ନିଷ୍ପତି ଚୂଡାନ୍ତ ହୋଇନାହିଁ । ସୁନ୍ଦରୀର କାର୍ଯ୍ୟକଳାପ ବାବଦରେ ୱାଇଲ୍ଡ ଲାଇଫ୍ ଇନଷ୍ଟିଚ୍ୟୁଟକୁ ଜଣାଇ ଦିଆଯାଇଛି ।  ଅଭିଯୋଗ ଅନୁସାରେ ସାତକୋସିଆ ଅଭୟାରଣ୍ୟ ହାତୀବାରି ଗାଁର ମହିଳା କୈଳାସୀ ସାଏ ଘର ପାଖ ନାଳକୁ ଗାଧୋଇବାକୁ ଯାଇଥିବାବେଳେ ତାଙ୍କୁ ଘୋଷାଡି ନେଇଥିଲା ସୁନ୍ଦରୀ । ହେଲେ ବାଘୁଣୀର ମଣିଷ ଶିକାର ନେଇ ମଧ୍ୟ ସନ୍ଦେହ ପ୍ରକାଶ କରିଛନ୍ତି ମନ୍ତ୍ରୀ । ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ କହିବା ହେଲା :
– ଗାଁ ଲୋକଙ୍କ ଅଭିଯୋଗ ଅନୁସାରେ ବାଘୁଣୀ ମଣିଷ ଶିକାର କରିଛି
– ବନ ବିଭାଗ କହିଛି ମହିଳାଙ୍କ ଦେହରେ ବାଘ ଆକ୍ରମଣର ଲକ୍ଷଣ ନାହିଁ
– ବାଘ ଆକ୍ରମଣ କରିଥିଲେ ମୃତଦେହକୁ ଛାଡି ଚାଲିଯାଇ ନଥାନ୍ତା
– ତଥାପି ଲୋକଙ୍କ ଅଭିଯୋଗ ଆଧାରରେ ତଦନ୍ତ କରାଯାଉଛି

ବାଘୁଣୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ହୋଇଛି କି ନା, ତାହା ଶବବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡିବ । ହେଲେ ଏହାରି ଭିତରେ ମୃତ୍ୟୁକୁ ନେଇ ହିଂସାକାଣ୍ଡ ଘଟାଇଥିବା ସ୍ଥାନୀୟ ଲୋକେ ପ୍ରଶାସନକୁ ଆଗାମୀ ୧୫ ତାରିଖ ପର୍ଯ୍ୟନ୍ତ ମହଲତ ଦେଇଛନ୍ତି । ସୁନ୍ଦରୀ ସ୍ଥାନାନ୍ତର ନହେଲେ ପ୍ରତିକ୍ରିୟା ଆହୁରି ଭୟାବହ ହେବା ଆଶଙ୍କା କରାଯାଉଛି ।